ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ‘ଆର୍ଟ ଏରା’

ଭୁବନେଶ୍ବର: ମହିଳା ଚିତ୍ରଶିଳ୍ପୀଙ୍କୁ ନେଇ ମହିଳା ଦିବସରେ ଓଡ଼ିଶା ମଡର୍ଣ୍ଣ ଆର୍ଟ ଗ୍ୟାଲେରି ପକ୍ଷରୁ ଗ୍ୟାଲେରି ପରିସରରେ ଉଦଘାଟିତ ହୋଇଛି ‘ଆର୍ଟ ଏରା’। ରାଜ୍ୟ ବାହାରର ୧୮ ଜଣ ଚିତ୍ରଶିଳ୍ପୀଙ୍କ ସମେତ ମୋଟ ୪୫ ଜଣ ଚିତ୍ରଶିଳ୍ପୀ ଏଥିରେ ଅଂଶଗ୍ରହଣ କରି ଚିତ୍ରରେ ନିଜ ସୃଜନ ପ୍ରକାଶ କରିଛନ୍ତି। ସମାଜସେବୀ ନମ୍ରତା ଚଢ଼ା, ବିଶିଷ୍ଟ କଥାକାର ଗୌରହରି ଦାସ, ‘କାଦମ୍ବିନୀ’ର ସମ୍ପାଦିକା ଇତି ସାମନ୍ତ ଅତିଥି ଭାବେ ଯୋଗଦେଇ ଆର୍ଟ ଏରାକୁ ଉଦଘାଟନ କରିଛନ୍ତି। ମହିଳା ଚିତ୍ରଶିଳ୍ପୀମାନେ ତାଙ୍କ ଦୈନନ୍ଦିନ ଜୀବନର ଘଟଣାବଳୀ, ପରିବେଶ ଓ ପରିସ୍ଥିତିକୁ କାନଭାସ ଉପରେ ପ୍ରକାଶ କରିଛନ୍ତି। ଏହି ଅବସରରେ ବରିଷ୍ଠ ଶିଳ୍ପୀ ଅତସି ବସୁ ଜେନା ସ୍ବାଗତ ଭାଷଣ ଦେଇଥିବା ବ‌େଳେ ଗ୍ୟାଲେରିର ସଦସ୍ୟ ଦିଲୀପ ହାଲି ଧନ୍ୟବାଦ ଅର୍ପଣ କରିଥିଲେ। ଆର୍ଟ ଦି ଫଟୋର ସମ୍ପାଦକ ଅତୁଲ ପଡିୟାଙ୍କ ସମେତ ଚିତ୍ରପ୍ରେମୀ ଅମରେନ୍ଦ୍ର ପଟ୍ଟନାୟକ, ବିକାଶ ଚୌଧୁରୀ, ସିଦ୍ଧାର୍ଥ ଦେ, ନିହାରିକା ପଟ୍ଟନାୟକ, ଚିତ୍ରା ମିଶ୍ର, ସୁବ୍ରତ ମହାନ୍ତି, ଘନଶ୍ୟାମ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ଶିଳ୍ପୀଙ୍କୁ ଉତ୍ସାହିତ କରିଥିଲେ। ଏହି ଚିତ୍ର ପ୍ରଦର୍ଶନୀ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଗ୍ୟାଲେରିର ପ୍ରତିଷ୍ଠାତା ତାରାକାନ୍ତ ପରିଡ଼ା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର