ଜାତୀୟ କଳା ପ୍ରଦର୍ଶନୀ ଉଦ୍‌ଘାଟିତ

ଧଉଳି: ଇଷ୍ଟର୍ଣ୍ଣ ଫାଉଣ୍ଡେସନ୍‌ ଅଫ ଆର୍ଟ ଆଣ୍ଡ କଲଚର୍‌ ଓ ଧଉଳି ଶାନ୍ତିସ୍ତୂପ ପରିସରରେ ଥିବା ଚାରୁକଳା ମହାବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ଆଜି ଅପରାହ୍‌ଣରେ ଜାତୀୟ କଳା ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି। ବରିଷ୍ଠ ଚିତ୍ରଶିଳ୍ପୀ ଜଗଦୀଶ ଚନ୍ଦ୍ର କାନୁନ୍‌ଗୋ, ଚଳଚ୍ଚିତ୍ର ନିର୍ମାତା ସୁବାସ ରଥ ଓ ଜ୍ୟୋତିର୍ମୟୀ କାନୁନଗୋ ପ୍ରମୁଖ ଯୋଗ ଦେଇ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ। ଏଥିରେ ୨୨ଟି ରାଜ୍ୟର ୧୫୦ଟି ଚିତ୍ର, ଭାସ୍କର୍ଯ୍ୟ, ମୁଦ୍ରଣ କଳା ଓ ଡ୍ରଇଁ ପ୍ରଦର୍ଶିତ ହୋଇଥିଲା। କୃତୀ ପ୍ରତିଯୋଗୀମାନଙ୍କୁ ଆସନ୍ତା ୫ ତାରିଖ ଉଦ୍‌ଯାପନୀ ସଭାରେ ସମ୍ବର୍ଦ୍ଧିତ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ଜଣାଇ ଦିଆଯାଇଛି। କେନ୍ଦ୍ର ଲଳିତକଳା ଏକାଡେମି ପୁରସ୍କାରପ୍ରାପ୍ତ ଭାସ୍କର୍ଯ୍ୟ ଶିଳ୍ପୀ ଚନ୍ଦନ କୁମାର ସାମଲ, ଚିତ୍ରଶିଳ୍ପୀ ଜୟା ଜେନା, ବରିଷ୍ଠ ଚିତ୍ରଶିଳ୍ପୀ ଶ୍ରୀ କାନୁନଗୋ, କାନ୍ତ କିଶୋର ମହାରଣା ଓ ଚିତ୍ରଶିଳ୍ପୀ ଜୟଶ୍ରୀ ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କଲେଜର ଅଧ୍ୟକ୍ଷ ପଞ୍ଚାନନ ସାମଲ ପ୍ରଦର୍ଶନୀ ପରିଚାଳନା କରିଥିଲେ। ସଂପାଦକ ମିହିରକାନ୍ତ ପ୍ରହରାଜ ଓ ଡ. ହୃଷୀକେଶ ପ୍ରହରାଜ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର