ଭୁବନେଶ୍ବର: ଆପ୍ ଜରିଆରେ ଭୁବନେଶ୍ବରରେ ଥିବା ସରକାରୀ ଜମିଗୁଡ଼ିକର ଚିହ୍ନଟ ବ୍ୟବସ୍ଥା (ଭୁବନେଶ୍ବର ଲ୍ୟାଣ୍ଡ ୟୁଜ୍ ଇଣ୍ଟେଲିଜେନ୍ସ ସିଷ୍ଟମ୍)ବ୍ଲୁଇସ୍ ଆପ୍ ଜାତୀୟ ଇ-ଗଭର୍ଣ୍ଣାନ୍ସ ସ୍ବର୍ଣ୍ଣ ପୁରସ୍କାର ପାଇଛି। ହାଇଦ୍ରାବାଦଠାରେ ଅନୁଷ୍ଠିତ ୨୪ତମ ଜାତୀୟ ଇ-ଗଭର୍ଣ୍ଣାନ୍ସ ସମ୍ମେଳନରେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଜିତେନ୍ଦ୍ର ସିଂ ଏହି ପୁରସ୍କାର ପ୍ରଦାନ କରିଛନ୍ତି।
ଓଡ଼ିଶା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିସନର ସଂଜୀବ ଚୋପ୍ରା, ଓରସାକ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ମଲିକ, ଓଡ଼ିଆ ଆଦର୍ଶ ବିଦ୍ୟାଳୟ ସଂଗଠନର ନିର୍ଦ୍ଦେଶକ ପ୍ରେମଚନ୍ଦ ଚୌଧୁରୀ ଓ ସାଧାରଣ ପ୍ରଶାସନ ବିଭାଗ ନିର୍ଦ୍ଦେଶକ(ମାହାଲ) ସୁଶାନ୍ତ ମହାନ୍ତି କେନ୍ଦ୍ରମନ୍ତ୍ରୀଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ୮୯ଟି ଅଭିନବ ବୈଷୟିକ ପ୍ରକଳ୍ପ ଏହି ପ୍ରତିଯୋଗିତାରେ ସାମିଲ ହୋଇଥିଲା। ଓଡ଼ିଶା ସରକାରଙ୍କ ବ୍ଲୁଇସ୍ ଆପ୍ ଏମାନଙ୍କୁ ପଛରେ ପକାଇ ଶ୍ରେଷ୍ଠ ବିବେଚିତ ହୋଇଛି।
ଜାତୀୟସ୍ତରରେ ସଫଳତା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସାଧାରଣ ପ୍ରଶାସନ ବିଭାଗ ଓ ଓରସାକ୍କୁ ସାଧୁବାଦ ଜଣାଇବା ସହ ଉତ୍ତମ ପ୍ରଶାସନ ଓ ସେବା ଯୋଗାଣରେ ଅଧିକରୁ ଅଧିକ ଅଭିନବ ବୈଷୟିକ କୌଶଳ ପ୍ରୟୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତା’ ସହ ଏହି ବ୍ଲୁଇସ୍ ଆପ୍ ବ୍ୟବସ୍ଥାକୁ ରାଜ୍ୟର ଅନ୍ୟ ମହାନଗର ନିଗମମାନଙ୍କରେ ପ୍ରୟୋଗ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଏହି ଆପ୍ ରାଜଧାନୀରେ ୨୦୨୦ ମସିହାରୁ କାର୍ଯ୍ୟକ୍ଷମ ହୋଇଛି।
ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଚୋପ୍ରାଙ୍କ ସୂଚନା ମୁତାବକ, ସରକାରୀ ଜମିକୁ ଜବରଦଖଲମୁକ୍ତ କରିବାକୁ ଯୋଜନା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଥିଲେ। ଓର୍ସାକ୍ ଏହାକୁ ପ୍ରସ୍ତୁତ କରିଥିଲା। କୌଣସି ସରକାରୀ ଜମି ଜବରଦଖଲ ହୋଇଥିଲେ, ସାଧାରଣ ଲୋକ ଫଟୋ/ଭିଡିଓ ଉଠାଇ ଏଥିରେ ଅପ୍ଲୋଡ୍ କରୁଛନ୍ତି। ଏହା ଅଧିକାରୀମାନେ ଜାଣିବା ପରେ ଜମିକୁ ଜବରଦଖଲମୁକ୍ତ କରୁଛନ୍ତି। ଏହି ଆପ୍ ଗୁଗୁଲ୍ ପ୍ଲେ’ ଷ୍ଟୋର୍ରେ ଉପଲବ୍ଧ ଅଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/42.jpg)