ବିଏସ୍‌ସିଏଲ୍‌କୁ ଜାତୀୟ ପୁରସ୍କାର

ଭୁବନେଶ୍ବର: ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌)କୁ ମିଳିଛି ଜାତୀୟ ପୁରସ୍କାର। ବୈଷୟିକ ଜ୍ଞାନକୌଶଳ ଓ ନାଗରିକ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଇକୋନୋମିକ୍‌ ଟାଇମ୍ସ ପକ୍ଷରୁ ଆୟୋଜିତ ‘ସମ୍ମିଟ୍‌ ଆଣ୍ଡ ଆୱାର୍ଡସ୍‌’ର ସପ୍ତମ ସଂସ୍କରଣରେ ଏହି ‘ଇନ୍‌ପ୍ରାଫୋକସ୍‌’ ବିଏସ୍‌ସିଏଲ୍‌କୁ ପ୍ରଦାନ କରାଯାଇଛି। ଆଜି ସନ୍ଧ୍ୟାରେ ଦିଲ୍ଲୀର ହାଥ୍‌ ରିଜେନ୍‌ସି ହୋଟେଲ୍‌ରେ ଆୟୋଜିତ ସମାରୋହରେ କେନ୍ଦ୍ର ମନ୍ତ୍ରୀ ନିତୀନ ଗଡ଼କରି ଓ ପ୍ରହଲ୍ଲାଦ ଯୋଶୀ ଏବଂ କୋଇଲା ମନ୍ତ୍ରାଳୟ ସଚିବ ଅନୀଲ ଜୈନ୍‌ଙ୍କଠାରୁ ସ୍ମାର୍ଟ ସିଟି ମହାପ୍ରବନ୍ଧକ କମଲ୍‌ଜିତ୍‌ ଦାସ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

କାର୍ଯ୍ୟକ୍ରମରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ, ଦିଲ୍ଲୀ ମେଟ୍ରୋ ରେଲ୍‌ କର୍ପୋରେସନ୍‌, ଜବାହାରଲାଲ ନେହରୁ ‌ବନ୍ଦର, ଆନ୍ଧ୍ରପ୍ରଦେଶ ସରକାରଙ୍କ ଆଇଟି ଓ ଶିଳ୍ପ ବିଭାଗ ମଧ୍ୟ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ ହୋଇଛନ୍ତି। ଘରୋଇ ସଂସ୍ଥା ଭାବେ ଏଲ୍‌ ଆଣ୍ଡ ଟି ମଧ୍ୟ ଏଠାରେ ସମ୍ବର୍ଦ୍ଧିତ ହୋଇଛି। ଏହି ପୁରସ୍କାର ପାଇବା ପାଇଁ ନିତି ଆୟୋଗ ଏକ ଜୁରି କମିଟି ଗଠନ କରିଥିଲେ। କମିଟି ସାରା ଭାରତବର୍ଷରେ ନାଗରିକ ସେବାକୁ ଗୁରୁତ୍ବ ଦେଇ କେଉଁ ସଂସ୍ଥା ଉଲ୍ଲେଖନୀୟ କାମ କରିଛି, ସେମାନଙ୍କୁ ଯୋଗ୍ୟତା ଓ ଦକ୍ଷତା ଭିତ୍ତିରେ ଚୟନ କରିଥିଲା। ଏଥିରେ ସ୍ମାର୍ଟସିଟି ଚୟନ ହେବା ପରେ ବିଏସ୍‌ସିଏଲ୍‌ ଏମ୍‌ଡି ସଞ୍ଜୟ ସିଂହଙ୍କୁ କମିଟି ପତ୍ର ଲେଖିଥିଲା। ଏ ସଂପର୍କରେ ଶ୍ରୀ ସିଂହ କହିଛନ୍ତି, ଜାତୀୟସ୍ତରରେ ଏହି ସମ୍ମାନ ବିଏସ୍‌ସିଏଲ୍‌କୁ ଢେର୍‌ ପ୍ରେରଣା ଯୋଗାଇଛି। ଆଗାମୀ ଦିନରେ ବିଏସ୍‌ସିଏଲ୍‌ କିଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ନାଗରିକ ସେବାକୁ ଆହୁରି ସହଜଲବ୍ଧ କରିପାରିବ, ସେନେଇ ଉଦ୍ୟମ କରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର