‘ନାମ୍‌’ର ସମୀକ୍ଷା ବୈଠକ, ଅସନ୍ତୋଷ ଝାଡ଼ିଲେ ଜିଲ୍ଲା ଆୟୁର୍ବେଦିକ ଚିକିତ୍ସାଧିକାରୀ

ଭୁବନେଶ୍ବର: ରାଜ୍ୟ ଆୟୁଷ ନି‌ର୍ଦ୍ଦେଶାଳୟରେ ସ୍ଥାୟୀ ନିର୍ଦ୍ଦେଶକ ଓ ଉପନିର୍ଦ୍ଦେଶକ ପଦ ଦୀର୍ଘ ଦିନ ଧରି ଖାଲି ପଡ଼ିଥିବାରୁ ରାଜ୍ୟରେ ଆୟୁଷ ଚିକିତ୍ସା ଏକପ୍ରକାର ବାଟବଣା ହୋଇଗଲାଣି। କେନ୍ଦ୍ର ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଆୟୁଷ ଔଷଧ ପାଇଁ ଦିଆଯାଇଥିବା ଅର୍ଥରେ ଔଷଧ କିଣା ହୋଇଥି‌ଲେ ହେଁ ଏହାକୁ କିପରି ବିତରଣ କରାଯିବ, ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଅପରପକ୍ଷେ ଜିଲ୍ଲା ଆୟୁର୍ବେଦିକ ଚିକିତ୍ସାଧିକାରୀ (ଡିଏଏମ୍‌ଓ)ଙ୍କୁ ଜିଲ୍ଲା ପରିଦର୍ଶନ ପାଇଁ ଗାଡ଼ିର ବ୍ୟବସ୍ଥା ନାହିଁ। ଜାତୀୟ ଆୟୁଷ ମିସନ୍ (ନାମ୍‌)ର ସମୀକ୍ଷା ବୈଠକରେ ଆଜି ଏଭଳି ଢଙ୍ଗରେ ଡିଏଏମ୍‌ଓମାନେ ନିଜ ଅସନ୍ତୋଷ ଝାଡ଼ିଛନ୍ତି।

ଆଜି ଡା. ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ ମେଡିକାଲ କଲେଜ ଓ ହସ୍ପିଟାଲରେ ଡିଏଏମ୍‌ଓ ଓ ଜିଲ୍ଲା ହୋମିଓପ୍ୟାଥିକ ଚିକିତ୍ସାଧିକାରୀ (ଡିଏଚ୍‌ଏମ୍‌ଓ), ସବୁ ଆୟୁର୍ବେଦିକ ଓ ହୋମିଓପ୍ୟାଥିକ କଲେଜର ଅଧ୍ୟକ୍ଷମାନେ ଯୋଗ ଦେଇଥିଲେ। ‘ନାମ୍‌’ରେ ଆୟୁଷ ନିର୍ଦ୍ଦେଶାଳୟ ପାଖରେ ୧୧୦ କୋଟି ଟଙ୍କା ଥିବା ବେଳେ ଏଥିରୁ ମାତ୍ର ୬ କୋଟି ଟଙ୍କା ଖର୍ଚ ହୋଇପାରିଛି। ନିକଟରେ ଦିଲ୍ଲୀରେ ଅନୁଷ୍ଠିତ ‌ବୈଠକରେ ଆସନ୍ତା ମାର୍ଚ ମାସ ସୁଦ୍ଧା ଅତି କମ୍‌ରେ ୩୦କୋଟି ଟଙ୍କା ଖର୍ଚ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ନଚେତ୍ ଆଗାମୀ ଦିନରେ ଓଡ଼ିଶାକୁ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ମିଳିବାକୁ ଥିବା ଅର୍ଥରେ ରୋକ୍‌ ଲାଗିବାର ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ଏହି ପରିପ୍ରେକ୍ଷୀରେ ଆଜି ସମୀକ୍ଷା କରାଯାଇଥିଲା। ନିକଟରେ ଲକ୍ଷାଧିକ ଟଙ୍କାର ଆୟୁର୍ବେଦିକ ଔଷଧ କିଣାଯାଇଛି। ମାତ୍ର ନିର୍ଦ୍ଦେଶକ ନ ଥିବାରୁ ଔଷଧର ବିତରଣ ନେଇ ସମସ୍ୟା ସୃଷ୍ଟି ହୋଇଛି। ଫଳରେ ଔଷଧ ବିତରଣ ନ ହୋଇ ପଡ଼ି ରହିଛି। ତେଣୁ ରାଜଧାନୀରେ ଥିବା ଆୟୁର୍ବେଦିକ ଔଷଧ ପରୀକ୍ଷାଗାରରେ ତୁରନ୍ତ ଏହି ଔଷଧର ମାନ ପରୀକ୍ଷା କରିବା ଲାଗି କୁହାଯାଇଛି। ୭ଦିନ ଭିତରେ ଏ ସଂକ୍ରାନ୍ତୀୟ ରିପୋର୍ଟ ଆସିବା ପରେ ରାଜ୍ୟବ୍ୟାପୀ ଏହି ଔଷଧକୁ ବିତରଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ସେହିପରି ଆୟୁଷ ଗ୍ରାମ ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ରାଜ୍ୟରେ ୧୫ଟି ଡିଏଏମ୍‌ଓ ପଦ ରହିଥିବା ବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦ଟି ଡିଏଏମ୍‌ଓଙ୍କ ଅଧୀନରେ ଆୟୁଷ ଗ୍ରାମ ଗ୍ରହଣ କରାଯିବ। ଆସନ୍ତା ୧ବର୍ଷ ପାଇଁ ଏହି ଗ୍ରାମରେ ଔଷଧୀୟ ବୃକ୍ଷ ଲଗାଯିବା ସହ ସ୍ବାସ୍ଥ୍ୟ କ୍ୟାମ୍ପ ଆୟୋଜନ କରାଯିବା ସହିତ ଯୋଗ ଶିକ୍ଷା ଓ ଆୟୁଷ କିଭଳି ଲୋକମାନଙ୍କ ମଧ୍ୟରେ ଲୋକପ୍ରିୟ ହୋଇପାରିବ, ତାହାକୁ ଗୁରୁତ୍ବ ଦିଆଯିବ। ଭୁବନେଶ୍ବର, ବ୍ରହ୍ମପୁର, କଟକ, ଢେଙ୍କାନାଳ, ବରଗଡ଼ ଭଳି ଡିଏଏମ୍‌ଓ ଅଧୀନରେ ଆୟୁଷ ଗ୍ରାମକୁ ଚିହ୍ନଟ କରାଯାଇଛି। ୧ବର୍ଷ ପରେ ଏହାର ସମୀକ୍ଷା କରାଯାଇ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର