ଡିସେମ୍ବର ୨୭ରୁ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ୍
ଯୋଗଦେବେ ଭାରତ ସମେତ ୧୧ ଦେଶର ୧୨୦୦ ଶିଶୁ ବିଜ୍ଞାନୀ, ୧୨ବିଭାଗକୁ ଦାୟିତ୍ବ
ଭୁବନେଶ୍ବର: ଆସନ୍ତା ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ କ୍ୟାମ୍ପସ-୨ ପରିସରରେ ଆୟୋଜନ ହେବ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ। ୨୬ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ୫ଦିନ ବ୍ୟାପି ଆୟୋଜନ ହେବ। ଏଥିରେ ୧୦ଟି ଏସିଆନ୍ ଦେଶ ଯଥା ଇଣ୍ଡୋନେସିଆ, ଥାଇଲାଣ୍ଡ, ସିଙ୍ଗାପୁର, ମାଲେସିଆ, ଫିଲିପାଇନ୍ସ, ଭିଏତନାମ୍, ମିଆଁମାର, କାମ୍ବୋଡିଆ, ବ୍ରୁନେଇ ଓ ଲାଓସ୍ ଦେଶର ଶିଶୁ ବିଜ୍ଞାନୀଙ୍କ ସମେତ ୨୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୧୦ରୁ ୧୭ବର୍ଷ ବୟସର ପ୍ରାୟ ୧୨୦୦ ଶିଶୁ ବିଜ୍ଞାନୀ ଯୋଗ ଦେବେ। କାର୍ଯ୍ୟକ୍ରମରେ ମୋଟ ୧୫୩୦ ଜଣ ପ୍ରତିଯୋଗୀଙ୍କ ସମେତ ସ୍ଥାନୀୟ କର୍ମଚାରୀ ଏବଂ ସ୍ବେଚ୍ଛାସେବୀ ଯୋଗଦେବେ ବୋଲି ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ଆରମ୍ଭ ହୋଇଛି। ନିକଟରେ ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବିଭିନ୍ନ ବିଭାଗକୁ ଏହି କାର୍ଯ୍ୟକ୍ରମର ଭିନ୍ନଭିନ୍ନ ଦାୟିତ୍ବ ଦିଆଯାଇଛି। ବିଦେଶରୁ ଆସିବାକୁ ଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷା, ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଟ୍ରାଫିକ ନିୟନ୍ତ୍ରଣ ଦାୟିତ୍ବ କମିସନରେଟ୍ ପୁଲିସ୍କୁ ଦିଆଯାଇଛି। ପ୍ରତିଯୋଗୀମାନଙ୍କୁ ବିମାନବନ୍ଦର, ରେଳ ଷ୍ଟେସନ୍ ଏବଂ ବରମୁଣ୍ଡା ବସଷ୍ଟାଣ୍ଡରେ ସ୍ବାଗତ କରିବା ଏବଂ କାର୍ଯ୍ୟକ୍ରମସ୍ଥଳକୁ ଆଣିବା ପାଇଁ ଆବଶ୍ୟକୀୟ ଯାନବାହନର ବ୍ୟବସ୍ଥା କରିବାକୁ ଖୋର୍ଦ୍ଧା ଡିଆରଏମ୍ ଏବଂ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ନିର୍ଦ୍ଦେଶକଙ୍କୁ ଦାୟିତ୍ବ ଦିଆଯାଇଛି। ୨୬ତମ ଜାତୀୟ ବିଜ୍ଞାନ ମେଳାକୁ ଯେପରି ରାଜଧାନୀର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ବୁଲିବାକୁ ଆସିବେ, ଆକ୍ଟିଭିଟି କର୍ଣ୍ଣର ବୁଲିବେ, ବିଖ୍ୟାତ ବୈଜ୍ଞାନିକମାନଙ୍କ ସହ ଆଲୋଚନା କରିବେ, ସେଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଦାୟିତ୍ବ ଦିଆଯାଇଛି। ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଚତୁର୍ଥ ଦିନରେ ୧୨୦୦ ପ୍ରତିଯୋଗୀଙ୍କୁ କ୍ଷେତ୍ର ପରିଦର୍ଶନରେ ନେବା ଦାୟିତ୍ବ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ଏବଂ ବିଜ୍ଞାନ ଓ ବୈଷୟିକ ବିଭାଗ ବିଭାଗକୁ ଦାୟିତ୍ବ ଦିଆଯାଇଛି। ଏଥିରେ ଭାଗ ନେଇଥିବା ପ୍ରତ୍ୟେକ ପ୍ରତିଯୋଗୀ ଏବଂ ଅଧିକାରୀଙ୍କୁ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବିଷୟରେ ଜଣାଇବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨୫୦୦ଟି ପର୍ଯ୍ୟଟନ କିଟ୍ ଯୋଗାଇ ଦିଆଯିବ।
କାର୍ଯ୍ୟକ୍ରମରେ ଯେପରି ୨୪ଘଣ୍ଟା ବିଦ୍ୟୁତ ସଂଯୋଗ ଉପଲବ୍ଧ ହେବ, ସେଥିପାଇଁ ଶକ୍ତି ବିଭାଗ (ସେସୁ), ପିଇବା ପାଣି ଯୋଗାଇବା ଦାୟିତ୍ବ ଜନସ୍ବାସ୍ଥ୍ୟ ବିଭାଗ, ଅଗ୍ନି ନିରାପତ୍ତା ବ୍ୟବସ୍ଥା ମୁଖ୍ୟ ଅଗ୍ନିଶମ ଅଧିକାରୀ, ଆବର୍ଜନା ଉଠାଇବା ଏବଂ କାର୍ଯ୍ୟକ୍ରମ ସ୍ଥଳକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବା ପାଇଁ ବିଏମ୍ସିକୁ, କଳିଙ୍ଗ ଷ୍ଟୁଡିଓ ଛକରୁ ସମ୍ ହସ୍ପିଟାଲ ପର୍ଯ୍ୟନ୍ତ ଆପ୍ରୋଚ୍ ରାସ୍ତା ନିର୍ମାଣ ସଂପୂର୍ଣ୍ଣ କରିବା ଦାୟିତ୍ବ ପୂର୍ତ୍ତ ବିଭାଗକୁ, ଏସ୍ଓଏସ୍ ଭିଲେଜ୍ରୁ ଘାଟିକିଆ ଛକ ଏବଂ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟର କ୍ୟାମ୍ପସ ୨ ପର୍ଯ୍ୟନ୍ତ ଆଲୋକୀକରଣ କରିବାକୁ ବିଏମ୍ସିକୁ, ଏହି ରାସ୍ତାରେ ବେଆଇନ ଦୋକାନକୁ ଉଚ୍ଛେଦ କରିବାକୁ ଜିଲ୍ଲାପାଳ ଏବଂ ବିଏମ୍ସି କମିସନରଙ୍କୁ, ଷ୍ଟ୍ରିଟ୍ ଲାଇଟ୍ ମରାମତି ଏବଂ ଆବଶ୍ୟକୀୟ ସାଇନ୍ବୋର୍ଡ ଲଗାଇବାକୁ ବିଏମ୍ସି କମିସନରଙ୍କୁ ଦାୟିତ୍ବ ଦିଆଯାଇଛି। କାର୍ଯ୍ୟକ୍ରମର ଭିଡ଼କୁ ନଜରରେ ନିକଟରେ ଥିବା ସରକାରୀ ଜମିରେ ଗାଡ଼ି ପାର୍କିଂ କରାଯିବ। ଏଥିପାଇଁ ଆବଶ୍ୟକୀୟ ସ୍ଥାନ ଚିହ୍ନଟ କରିବାକୁ ସାଧାରଣ ପ୍ରଶାସନ ବିଭାଗ ଏବଂ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଦାୟିତ୍ବ ଦିଆଯାଇଛି। ଡିସେମ୍ବର ୩୦ତାରିଖରେ ରବିବାର ଦିନ ସମସ୍ତ ପ୍ରତିଯୋଗୀଙ୍କୁ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଆଞ୍ଚଳିକ ପ୍ରାକୃତିକ ଐତିହ୍ୟ ସଂଗ୍ରହାଳୟ, ପଠାଣି ସାମନ୍ତ ପ୍ଲାନେଟୋରିୟମ, ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର, କଳାଭୂମି, ଜନଜାତି ସଂଗ୍ରହାଳୟକୁ ବୁଲାଇବାକୁ ନିଆଯିବ। ଏହି ଦିନ ଏହି ସମସ୍ତ ଅନୁଷ୍ଠାନ ଖୋଲା ରଖିବା ସହ ପ୍ରତିଯୋଗୀଙ୍କୁ ମାଗଣାରେ ପ୍ରବେଶ କରାଇବାକୁ କୁହାଯାଇଛି।