ଚନ୍ଦ୍ରଶେଖରପୁର: କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ପକ୍ଷରୁ ୮ମ ଜାତୀୟ ଶିଶୁ ସାହିତ୍ୟ ମହୋତ୍ସବ ଶନିବାର ଉଦ୍ଘାଟିତ ହୋଇଛି। ଉଦ୍ଘାଟନୀ ଉତ୍ସବରେ ବିଶିଷ୍ଟ ଅଭିନେତ୍ରୀ, ଲେଖିକା ତଥା ସମାଜସେବୀ ନନ୍ଦିତା ଦାସ, ବିଶିଷ୍ଟ ଲେଖକ ରବିନ୍ଦର ସିଂ ଏବଂ ଖ୍ୟାତି ସମ୍ପନ୍ନ ଲେଖିକା ତଥା ଗାଳ୍ପିକା ଜିଭା ରଘୁନାଥ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।
ଏଭଳି ସାହିତ୍ୟ ମହୋତ୍ସବ ପିଲାମାନଙ୍କ ମଧ୍ୟରେ ସର୍ଜନଶୀଳତାର ବିକାଶ କରିବାରେ ସାହାଯ୍ୟ କରିବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ବିଭିନ୍ନ ପୁସ୍ତକ ପଢ଼ିବା ଓ ଲେଖିବା ଅଭ୍ୟାସ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ ଜଣେ ଜଣେ ଭଲ ଲେଖକ ଲେଖିକା ହେବାରେ ପ୍ରେରଣା ଯୋଗାଇ ଥାଏ ବୋଲି ସେମାନେ କହିଥିଲେ। ଏହି କାର୍ଯ୍ୟକ୍ରମରେ ସ୍କୁଲ୍ର ଚେୟାରପର୍ସନ ମୋନାଲିସା ବଳ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସ୍କୁଲ୍ର ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ସଞ୍ଜୟ ସୁଆର ଧନ୍ୟବାଦ ଦେଇଥିଲେ। କିଟ୍ ଓ କିସ୍ ସଭାପତି ଶାଶ୍ୱତୀ ବଳ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବରେ ଓଡ଼ିଶାର ବିଭିନ୍ନ ସ୍କୁଲ୍ର ୮୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏବଂ ରାଜ୍ୟ ବାହାରୁ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ଷୁଦ୍ର ଗଳ୍ପ ଲିଖନ ଓ କ୍ୱିଜ୍ ପ୍ରତିଯୋଗିତାର ଆୟୋଜନ କରାଯାଇଛି।