ଚନ୍ଦ୍ରଶେଖରପୁର: ଜ୍ଞାନର ମୁକ୍ତ ଉତ୍ସକୁ ବ୍ୟବହାର କରି ଗ୍ରନ୍ଥାଗାରିକ, ଛାତ୍ରଛାତ୍ରୀ, ପାଠକ ଏବଂ ଗବେଷକମାନେ ଲାଭବାନ ହୋଇପାରିବେ। ଗବେଷଣା କ୍ଷେତ୍ରରେ ମୁକ୍ତ ଉତ୍ସ ବହୁମାତ୍ରାରେ ସହାୟକ ସାବ୍ୟସ୍ତ ହୋଇଥାଏ। କିଟ୍ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ଜାତୀୟ ଆଲୋଚନାଚକ୍ର ‘ଓପନ୍ ସୋର୍ସ ମୁଭ୍ମେଣ୍ଟ: ହ୍ୱାଟ୍ ନେକ୍ସଟ୍’ରେ ଏଭଳି ମତ ପ୍ରକାଶ ପାଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର୍ ସସ୍ମିତା ସାମନ୍ତ କହିଲେ, ଗ୍ରନ୍ଥାଗାର ଜ୍ଞାନର ଭଣ୍ଡାର ଏବଂ ଏହା ଦେଶର ସଂସ୍କୃତିର ପ୍ରତୀକ। କଲ୍ୟାଣୀ ବିଶ୍ବ୍ୱବିଦ୍ୟାଳୟର ଲାଇବ୍ରେରି ଆଣ୍ଡ୍ ଇନଫର୍ମେସନ୍ ସାଇନ୍ସର ମଖ୍ୟ ପ୍ରଫେସର୍ ପାର୍ଥସାରଥି ମୁଖୋପାଧ୍ୟାୟ ଆଧୁନିକ ଯୁଗରେ ଡିଜିଟାଲ ଲାଇବ୍ରେରି, ଡାଟା ସାଇନ୍ସ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ଗୁରୁତ୍ୱ ସଂପର୍କରେ କହିଥିଲେ। ବନାରସ୍ ହିନ୍ଦୁ ବିଶ୍ୱବିଦ୍ୟାଳୟର ଲାଇବ୍ରେରି ଆଣ୍ଡ୍ ଇନଫର୍ମେସନ୍ ସାଇନ୍ସର ମୁଖ୍ୟ ପ୍ରଫେସର୍ ଭାସ୍କର ମୁଖାର୍ଜୀ ହ୍ୟାକିଂଠାରୁ ଆରମ୍ଭ କରି ପ୍ଲାଟଫର୍ମ ଇଞ୍ଜିନିୟରିଂରେ ମୁକ୍ତ ଉତ୍ସର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସଂପର୍କରେ ଆଲୋଚନା କରିଥିଲେ।
ମୌଲାନା ଆଜାଦ୍ ଜାତୀୟ ଊର୍ଦ୍ଦୁ ବିଶ୍ୱବିଦ୍ୟାଳୟର ଲାଇବ୍ରେରି ଆଣ୍ଡ୍ ଇନଫର୍ମେସନ୍ ସାଇନ୍ସର ମୁଖ୍ୟ ଅଖତର୍ ପରଭେଜ୍ ମୁକ୍ତ ଉତ୍ସ ବ୍ୟବହାର କରି ଡାଟାସଂଗ୍ରହ ପାଠ୍ୟ ବିଷୟବସ୍ତୁ କିପରି ପ୍ରସ୍ତୁତ କରାଯାଇପାରିବ, ତାହା ଉପରେ ଆଲୋଚନା କରିଥିଲେ। ସମ୍ବଲପୁର ବିଶ୍ୱବିଦ୍ୟାଳୟ ଲାଇବ୍ରେରି ଆଣ୍ଡ୍ ଇନଫର୍ମେସନ୍ ସାଇନ୍ସ ପିଜି ବିଭାଗର ମୁଖ୍ୟ ପ୍ରଫେସର୍ ବୁଲୁ ମହାରଣା ଭବିଷ୍ୟତ ପାଇଁ ମୁକ୍ତ ଉତ୍ସର ପରିମାପ ଏବଂ ପ୍ରଭାବ ବିଷୟରେ ଆଲୋଚନା କରିଥିଲେ। କିଟ୍ ବିଶ୍ୱବିଦ୍ୟାଳୟ ମୁଖ୍ୟ ଲାଇବ୍ରେରିର ନିର୍ଦ୍ଦେଶିକା ବିଜୟଲକ୍ଷ୍ମୀ ରାଉତରାୟ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ। ସିନିୟର ଲାଇବ୍ରେରିଆନ୍ ଦିଲ୍ଲୀପ ସ୍ବାଇଁ ଧନ୍ୟବାଦ ଦେଇଥିଲେ।