ଉତ୍କଳ ବିଶ୍ୱବିଦ୍ୟାଳୟରେ ଜାତୀୟ ଆଲୋଚନାଚକ୍ର: ଗାନ୍ଧୀ ନୀତି ଆଜିର ଆହ୍ୱାନକୁ ମୁକାବିଲା ପାଇଁ ସକ୍ଷମ

ଭୁବନେଶ୍ୱର,: ମହାତ୍ମା ଗାନ୍ଧୀ ସମାଜର ପ୍ରତ୍ୟେକ ବର୍ଗର ଉନ୍ନତି ଉପରେ ଧ୍ୟାନ ଦେଉଥିଲେ। ତାଙ୍କ ନୀତିରେ ସାମାଜିକ କଲ୍ୟାଣ ନୁହେଁ, ବରଂ ସାମାଜିକ ଏକତା ବିଷୟରେ ଥିଲା। ଆଜିର ସମାଜରେ ଧନୀ ଓ ଗରିବଙ୍କ ମଧ୍ୟରେ କୌଣସି ଯୋଗାଯୋଗ ନ ଥିବା ବେଳେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ପାଇଁ ନୂତନ ବିପଦ ସୃଷ୍ଟି ହେଉଛି। ତେଣୁ ଏକବିଂଶ ଶତାବ୍ଦୀରେ ଗାନ୍ଧୀଜୀ ଅଧିକ ପ୍ରାସଙ୍ଗିକ ହୋଇପାରିଛନ୍ତି। ବିଶ୍ୱ ଆତଙ୍କବାଦ ଆହ୍ୱାନର ସମ୍ମୁଖୀନ ହେଉଛି, ଗାନ୍ଧୀଙ୍କ ଆଦର୍ଶ ଅଧିକ ପ୍ରଯୁଜ୍ୟ। ଏହାର ମୁକାବିଲା ପାଇଁ ଗାନ୍ଧୀ ଉପାୟ ଏକମାତ୍ର ବିକଳ୍ପ ବୋଲି ରେଭେନ୍ସା ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ପ୍ରଫେସର ପ୍ରକାଶ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି।

ଉତ୍କଳ ବିଶ୍ୱବିଦ୍ୟାଳୟ ରୁସା ଅଧୀନ ଭାଷା, ସାହିତ୍ୟ ଓ ସଂସ୍କୃତି ଉତ୍କର୍ଷ କେନ୍ଦ୍ର ଆନୁକୂଲ୍ୟରେ ଆୟୋଜିତ ‘ସ୍ୱରାଜ ଏବଂ ସମସାମୟିକ ଆହ୍ୱାନ’ ଶୀର୍ଷକ ଏକ ଜାତୀୟ ଆଲୋଚନାଚକ୍ରରେ ଭାଗନେଇ ପ୍ରଫେସର ଷଡ଼ଙ୍ଗୀ ଏହା କହିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଯୋଗଦେଇ କହିଲେ, ଆମେ ସ୍ୱାଧୀନତାର ଗୌରବମୟ ୭୫ବର୍ଷ ପୂର୍ତ୍ତି ପାଳନ କରୁଛୁ। କିନ୍ତୁ ଆମେ ଏକ ପ୍ରତିଯୋଗିତାମୂଳକ ଦୁନିଆରେ ବାସ କରୁଛୁ, ଯେଉଁଠାରେ ସ୍ୱରାଜ ପ୍ରତିଷ୍ଠା କରିବାରେ ପ୍ରତିଦିନର ଆହ୍ୱାନ ଗ୍ରହଣ କରୁଛୁ। ଯେଉଁଠାରେ ମହାତ୍ମା ଗାନ୍ଧୀ ନିଜର ଚିନ୍ତାଧାରା ସହ ଜୀବନକୁ ଉତ୍ସର୍ଗ କରିଥିଲେ। ତେଣୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମ-ସଶକ୍ତୀକରଣ ଏକାନ୍ତ ଆବଶ୍ୟକ ବୋଲି ମତ ଦେଇଥିଲେ। ରାଜ୍ୟସଭାର ପୂର୍ବତନ ଯୁଗ୍ମ ସଚିବ ସତ୍ୟ ନାରାୟଣ ସାହୁ ଯୋଗଦେଇ ଦକ୍ଷିଣ ଆଫ୍ରିକାରେ ଅଧ୍ୟୟନ ତଥା ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଗାନ୍ଧୀଙ୍କ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ରୁସା ସଂଯୋଜକ ତଥା ସଂସ୍କୃତ ବିଭାଗ ପ୍ରଫେସର ସୁଭାସ ଚନ୍ଦ୍ର ଦାଶ ସ୍ୱାଗତ ଭାଷଣ ଦେଇଥିବା ବେଳେ ରାଜନୀତି ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ସ୍ୱପ୍ନା ପ୍ରଭୁ ବିଷୟବସ୍ତୁ ଓ ଇଂରାଜୀ ବିଭାଗର ସହକାରୀ ପ୍ରଫେସର ଏସ୍ ଦୀପିକା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର