ଭୁବନେଶ୍ବର: ଖାଉଟିମାନଙ୍କ ସୁରକ୍ଷା ଓ ଅଧିକାର ପ୍ରତି ସରକାର ସବୁବେଳେ ତତ୍ପର। ଅସାଧୁ ବିକ୍ରେତା, ମୁନାଫାଖୋର ବ୍ୟବସାୟୀ ଓ ସେବା ପ୍ରଦାନରେ ଅବହେଳା ପ୍ରଦର୍ଶନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନକୁ ଗୁରୁତ୍ବ ଦିଆଯାଉଛି। ବିଶେଷକରି ସୁନାଗହଣା ଆଦି କିଣିବା ଦିଗରେ ଖାଉଟିମାନଙ୍କୁ ସୁରକ୍ଷା ଦେବା ଦିଗରେ ପ୍ରଚଳିତ ଆଇନରେ ପରିବର୍ତନ ଆଣାଯିବା ସହ ଜରିମାନା ରାଶିକୁ ବୃଦ୍ଧି କରାଯିବା ଉଚିତ। ଜାତୀୟ ଉପଭୋକ୍ତା ଦିବସ ପାଳନ ଅବସରରେ ଆଜି ଜୟଦେବ ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି।
ସେ ଆହୁରି କହିଛନ୍ତି, କେନ୍ଦ୍ର ସରକାର ଖାଉଟି ସୁରକ୍ଷା ଆଇନ-୨୦୧୯ ପ୍ରଣୟନ କରିଛନ୍ତି। ସଂଘୀୟ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ନୂତନ ଖାଉଟି ସୁରକ୍ଷା ଆଇନରେ ଆବଶ୍ୟକ ସଂଶୋଧନ ଆଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଭେଜାଲ ଔଷଧ ଓ ପ୍ରସାଧନ ସାମଗ୍ରୀ, ନକଲି ଗାଡ଼ି ଯନ୍ତ୍ରାଂଶ ନିର୍ମାଣ ଆଦି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଆଇନରେ ବ୍ୟାପକ ପରିବର୍ତନ ଓ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରାଯିବା ଜରୁରୀ। ନୂତନ ଖାଉଟି ଆଇନକୁ ଭିତ୍ତି କରି ଖାଉଟିମାନଙ୍କୁ ସମୟୋଚିତ ନ୍ୟାୟ ପ୍ରଦାନ ପାଇଁ ରାଜ୍ୟ ସରକାର ଖୁବଶୀଘ୍ର ନିୟମାବଳୀ ପ୍ରଣୟନ କରୁଛନ୍ତି ବୋଲି ଶ୍ରୀ ସ୍ବାଇଁ କହିଥିଲେ।
ଅନ୍ତର୍ଜାତୀୟ ଉପଭୋକ୍ତା ବିଶେଷଜ୍ଞ ତଥା ରାଜ୍ୟ ଖାଉଟି କଲ୍ୟାଣ ଉପଦେଷ୍ଟା ବେଜୋନ ମିଶ୍ର କହିଲେ, ଛାତ୍ରଛାତ୍ରୀମାନଙ୍କୁ ପ୍ରଥମରୁ ହିଁ ଖାଉଟି ଅଧିକାର ଓ ପ୍ରତିକାର ସଂପର୍କରେ ସଚେତନ କରାଇପାରିଲେ ଏହାର ସୁଫଳ ସମାଜ ଉପରେ ପଡ଼ିବ। ଖାଉଟି ବ୍ୟାପାର ନିର୍ଦେଶକ ତଥା ଅତିରିକ୍ତ ସଚିବ ସତ୍ୟନାରାୟଣ ଦାଶ କହିଲେ, ଉପଭୋକ୍ତା ବିବାଦ ପ୍ରତିକାର ଆୟୋଗ ୩୧ଟି ଜିଲ୍ଲା ଉପଭୋକ୍ତା ବିବାଦ ପ୍ରତିକାର ମଞ୍ଚ, ରାଜ୍ୟ ଉପଭୋକ୍ତା ପରାମର୍ଶ କେନ୍ଦ୍ର ଓ ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ ଜରିଆରେ ଖାଉଟିମାନଙ୍କୁ ସୁବିଧା ସୁଯୋଗ ପ୍ରଦାନ କରାଯାଉଛି।
ଯୁଗ୍ମସଚିବ ଚିତ୍ତରଂଜନ ପ୍ରଧାନ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦେଶକ ବିଶ୍ବଜିତ କେଶରୀ ଦାସ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ‘ଦି ଆୱେର କଞ୍ଜ୍ୟୁମର’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ପରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଖାଉଟି ସଚେତନତା ଓ ସୁରକ୍ଷା ସଂପର୍କରେ ଆୟୋଜିତ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/684fh98fs7h98fs74h65sf4h65fs4h65sfhsfhsfhs.jpg)