ଭୁବନେଶ୍ବର ଅବନ୍ତିକା ଏକାଡେମି ଅଫ୍ କଲଚର୍ ଆଣ୍ଡ ସୋସିଆଲ ୱେଲ୍ଫେୟାର୍ ଆନୁକୂଲ୍ୟରେ ପଞ୍ଚମ ରାଷ୍ଟ୍ରୀୟ ସାଂସ୍କୃତିକ ମହୋତ୍ସବ ଆଜି ସନ୍ଧ୍ୟାରେ ଉତ୍କଳ ରଙ୍ଗମଞ୍ଚରେ ଅନୁଷ୍ଠିତ ହୋଇଯାଇଛି। ଦୁର୍ଗମ ଅଞ୍ଚଳ ତଥା ଅପହଞ୍ଚ ଇଲାକାର ଲୁକ୍କାୟିତ ପ୍ରତିଭାଙ୍କୁ ଗୋଟିଏ ମଞ୍ଚରେ ସୁଯୋଗ ଦେବାକୁ ଅନୁଷ୍ଠାନ ପକ୍ଷରୁ ଏଭଳି ଉଦ୍ୟମ କରାଯାଇଛି। ନାଜିଆ ଆଲମଙ୍କ ଶାସ୍ତ୍ରୀୟ ସଂଗୀତ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ପରେ ଓଡ଼ିଶୀ ଅଭିନୟରେ ‘ଲଜ୍ଜା’ ପରିବେଷଣ କରାଯାଇଥିଲା। ସେହିପରି ଲୋକନୃତ୍ୟ ଏବଂ ଭାରତନାଟ୍ୟମ୍ ଦେଖିବାକୁ ମିଳିଥିଲା। ଶେଷରେ ନାଟ୍ୟ କଳାକାର ଦୁର୍ଯ୍ୟୋଧନ ସାହୁଙ୍କ ଦ୍ବାରା ନାଟକ ‘ବନ୍ଦୀ’ ମଞ୍ଚସ୍ଥ ହୋଇଥିଲା।
ଆଜିର ପ୍ରଥମ ଅଧିବେଶନରେ ‘ଚେତନା ପ୍ରାଙ୍ଗଣ, ଆଦ୍ୟ ରଙ୍ଗ ଓ ତାର ସ୍ଥିତିଗତି’ ଶୀର୍ଷକ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବେ ଓଡ଼ିଶୀ ନୃତ୍ୟଶିଳ୍ପୀ ମନୋଜ ବେହେରା, ନାଟ୍ୟ ନିର୍ଦ୍ଦେଶକ ଅନନ୍ତ ମହାପାତ୍ର ଏବଂ ପରମେଶ୍ବର ମୁଣ୍ଡ୍, ନୃତ୍ୟଗୁରୁ ଧନେଶ୍ବର ସ୍ବାଇଁ, ରମେଶ ପ୍ରସାଦ ପାଣିଗ୍ରାହୀ ଯୋଗ ଦେଇଥିଲେ। ସନ୍ଧ୍ୟାରେ ଅତିଥି ଭାବେ କଳାହାଣ୍ଡି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ ଶତପଥୀ, ଉତ୍କଳ ସଂଗୀତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ମାୟା ଦାସ, ସିଏଚ୍ଏସ୍ଇର ଉପସଚିବ ଯଶୋବନ୍ତ ସାମଲ ଓ କର୍କଟ ବିଶେଷଜ୍ଞ ଗୌରଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ। ପରେ କଳାକାରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହି ଅବସରରେ ‘ଅନନ୍ଦିନୀ ଜାତୀୟ ସାଂସ୍କୃତିକ ମହୋତ୍ସବ’ ଓ ‘ଇନ୍ଦିରା କ୍ରିତି ସମ୍ମାନ’ ପ୍ରଦାନ କରାଯାଇଥିଲା। ନାଟ୍ୟ ନିର୍ଦ୍ଦେଶକ ପ୍ରଶାନ୍ତ ମହାପାତ୍ର ଓ ଅଭିନେତ୍ରୀ ତଥା ନାଟ୍ୟ କଳାକାର ଲୋଚିନ ବାଗଙ୍କୁ ‘ଇନ୍ଦିରା କ୍ରିତି ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ପ୍ରତିଷ୍ଠାତା ନିର୍ଦ୍ଦେଶିକା ମଞ୍ଜୁଶ୍ରୀ ପଣ୍ଡା, ସଭାପତି ଅର୍ଚ୍ଚନା ପଣ୍ଡା, ଉପ ସଭାପତି ମନୀଷା ପଣ୍ଡା ଓ ନାଟ୍ୟ କଳାକାର ପ୍ରଶାନ୍ତ ମହାପାତ୍ର ପରିଚାଳନା କରିଥିଲେ।