ଚନ୍ଦ୍ରଶେଖରପୁର : ରାଇସ ମିଲ୍ରୁ ନିର୍ଗତ ହେଉଥିବା ବର୍ଯ୍ୟବସ୍ତୁ କାରଣରୁ ପ୍ରାୟ ପାଞ୍ଚଶହ ଦଳିତ ପରିବାର ମ୍ୟାଲେରିଆ, ଟାଇଫଏଡ୍, ଡେଙ୍ଗୁ ଓ ଆଜ୍ମା ଆଦି ରୋଗର ଶିକାର ହେଉଛନ୍ତି। ଯେତେ ଗୁହାରି କଲେ ମଧ୍ୟ ନା ପ୍ରଶାସନ ନା ପ୍ଲାଣ୍ଟ୍ କର୍ତ୍ତୃପକ୍ଷ, କେହି ମଧ୍ୟ କର୍ଣ୍ଣପାତ କରୁନାହାନ୍ତି। ପ୍ରଶାସନ ଓ ରାଇସ୍ ପ୍ଲାଣ୍ଟ୍ କର୍ତ୍ତୃପକ୍ଷଙ୍କ ସଲାସୁତୁରାରେ ଚାଲୁଥିବା ଏହି କାରବାର ଯୋଗୁଁ ସାଧାରଣ ଲୋକ ନାନା ବ୍ୟାଧିରେ ପୀଡ଼ିତ ହେଉଛନ୍ତି। ଏନେଇ ଆଜି ଜାତୀୟ ଦଳିତ ମହାସଂଘ ପକ୍ଷରୁ ଚନ୍ଦ୍ରଶେଖରପୁରସ୍ଥିତ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟକୁ ଘେରାଉ କରାଯାଇଥିଲା।
ଶତାଧିକ ଗ୍ରାମବାସୀ ଆଜି ସକାଳୁ ଓଏସ୍ପିସିବିର ଆଞ୍ଚଳିକ କାର୍ଯ୍ୟାଳୟ ଘେରାଉ କରିବା ସହିତ ବୋର୍ଡର ଅନିୟମିତତା ବିରୋଧରେ ନାରାବାଜି କରିଥିଲେ। ଖୋର୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଅନ୍ତର୍ଗତ ପ୍ରତାପରୁଦ୍ରପୁର ପଞ୍ଚାୟତର ପାରିବାସୁଦେଇପୁର ଓ ଭିଙ୍ଗାରପୁର ପଞ୍ଚାୟତର ମଧ୍ୟଭାଗରେ ରହିଥିବା ବୃହତ୍ ସାନ୍ଥୋଲିଆ ରାଇସ୍ ମିଲ୍ ପ୍ରାୟ ୧୫ବର୍ଷ ହେବ ଏଠାରେ କାର୍ଯ୍ୟ କରୁଅଛି। ଏହି ପ୍ଲାଣ୍ଟ୍ଠାରୁ ମାତ୍ର ୨୦୦ ମିଟର ପରିଧି ମଧ୍ୟରେ ବଂଶାନୁକ୍ରମିକ ଭାବରେ ସ୍ଥାୟୀ ଭାବରେ ବସବାସ କରୁଛନ୍ତି। ମାତ୍ର ଏହି ରାଇସ୍ ମିଲ୍ ବେଆଇନ୍ ଭାବରେ ପଚା, ଆବର୍ଜନା ଜଳ ଓ ପାଉଁଶକୁ ବାହାରକୁ ଛାଡ଼ିଥାଏ। ନିର୍ଗତ ହେଉଥିବା ଏହି ପ୍ଲାଣ୍ଟ୍ ବର୍ଯ୍ୟବସ୍ତୁ ନାନା ଦୁରାରୋଗର କାରଣ ହେଉଥିବା ସ୍ଥାନୀୟ ବାସିନ୍ଦା ବାରମ୍ବାର ଅଭିଯୋଗ କରିଛନ୍ତି। ସେହିପରି ପ୍ଲାଣ୍ଟ୍ରୁ ମାତ୍ର ୨୦୦ ମିଟର ଦୂରତାରେ ରହିଛି ଜାଗେଶ୍ୱରୀ ୟୁଜିୟୁପି ସ୍କୁଲ୍ ଓ ଏକ ଅଙ୍ଗନବାଡ଼ି କେନ୍ଦ୍ର। ଶତାଧିକ ଛାତ୍ରଛାତ୍ରୀ ମଧ୍ୟ ଏହି ପ୍ଲାଣ୍ଟ୍ରୁ ଦିନରାତି ବାହାରୁଥିବା ବିକଟାଳ ଶବ୍ଦରେ ଅତିଷ୍ଠ।
ଏହାସହିତ ଏହି ପ୍ଲାଣ୍ଟ୍ର ପ୍ରଦୂଷିତ ଜଳ ଏହି କୋମଳମତି ଶିଶୁଙ୍କୁ ନାନା ରୋଗରେ ଆକ୍ରାନ୍ତ କରାଉଥିବା ଜାତୀୟ ଦଳିତ ମହାସଂଘର ରାଜ୍ୟ ସଭାପତି ଲିଟୁ ଦାସ ଅଭିଯୋଗ କରିଛନ୍ତି। ଏହି ରାଇସ୍ମିଲ୍ ନିକଟରେ ଏକ ପାଓ୍ଵାରପ୍ଲାଣ୍ଟ୍ ମଧ୍ୟ ସ୍ଥାପନ କରିବାକୁ ଯାଉଛି। ଏନେଇ ପ୍ରଦୂଷଣ କାର୍ଯ୍ୟାଳୟ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଆଞ୍ଚଳିକ ଅଧିକାରୀ ହାଡ଼ିବନ୍ଧୁ ପାଣିଗ୍ରାହୀ କୌଣସି ପଦକ୍ଷେପ ନେଇନାହାନ୍ତି। ସରକାରୀ କର୍ତ୍ତବ୍ୟରେ ଅବହେଳା କରିଥିବା ଶ୍ରୀ ପାଣିଗ୍ରାହୀଙ୍କୁ ଏସ୍ସି ଓ ଏସ୍ଟି ଆଇନ୍ର ଧାରା ୪ରେ ଗିରଫ କରିବା ସହିତ ଚାକିରିରୁ ବହିଷ୍କାର ଦାବି କରିଛି ସଂଗଠନ। ଏହାସହିତ ପରିବେଶ ଆଇନକୁ ଉଂଲଘନ କରିଥିବା ଅଭିଯୋଗରେ ସାନ୍ଥୋଲିଆ ରାଇସମିଲ୍ ଓ ପାଓ୍ଵାରପ୍ଲାଣ୍ଟ୍କୁ ତୁରନ୍ତ ବନ୍ଦ କରାଯାଉ ବୋଲି ସଂଘ ପକ୍ଷରୁ ଦୃଢ଼ ଦାବି କରାଯାଇଛି। ଏନେଇ ଆଜି ସଂଗଠନ ପକ୍ଷରୁ କରାଯାଇଥିବା ଆନ୍ଦୋଳନରେ ପ୍ରକାଶ ଚନ୍ଦ୍ର ପ୍ରଧାନ, କବିତା ଭୋଇ, କୈବର୍ତ୍ତ ଶାଖା ସଭାପତି ଚୈତ୍ର ବେହେରା ପ୍ରମୁଖ ନେତୃତ୍ୱ ନେଇଥିଲେ।
ସଂଗଠନ ପକ୍ଷରୁ ଏନେଇ ଓଏସ୍ପିସିବିକୁ ତିନି ଦିନ ସମୟ ଦିଆଯାଇଛି। ଏହି ସମୟ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ସଂଘ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବା ନେଇ ସଭାପତି ସୂଚନା ଦେଇଛନ୍ତି। ଜାତୀୟ ଦଳିତ ମହାସଂଘ ଏନେଇ ନଭେମ୍ବର ମାସରେ ଅଭିଯୋଗ କରିଥିଲେ। ଓଏସ୍ପିସିବି ପକ୍ଷରୁ ଡିସେମ୍ବର ୨୩ରେ ତଦନ୍ତ ହୋଇଥିଲା। ମାତ୍ର ସେ ସମୟରେ ପ୍ଲାଣ୍ଟ୍ ବନ୍ଦ ଥିବାରୁ ଅଭିଯୋଗଗୁଡ଼ିକର ସତ୍ୟାସତ୍ୟ ଜଣାପଡ଼ି ନଥିଲା। ବର୍ତମାନ ପୁଣି ଅଭିଯୋଗ ପାଇବା ପରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବା ନେଇ ଓଏସ୍ପିସିବିର ଆଞ୍ଚଳିକ ଅଧିକାରୀ ହାଡ଼ିବନ୍ଧୁ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।