ଜାତୀୟ କୁକୁର ପ୍ରଦର୍ଶନୀ ଉଦ୍‌ଘାଟିତ: ଲକ୍ଷ୍ନୌର ‘ଓବୁଟ୍‌’ ଚାମ୍ପିଅନ୍‌

ଭୁବନେଶ୍ବର: ସକାଳ ପ୍ରାୟ ୧୦ଟା ହେବ। ଧାଡ଼ିକୁ ଧାଡ଼ି ହୋଇ ପାଖାପାଖି ୮୦ କୁକୁର ଠିଆ ହୋଇଥିଲେ। ରଙ୍ଗ, ବର୍ଣ୍ଣ ସବୁ ଏକାପରି; ସବୁ ଗୋଟିଏ ପ୍ରଜାତିର। ସେମାନଙ୍କ ମଧ୍ୟରେ ପ୍ରଭେଦ ବାରିବା ବାହାର ଲୋକଙ୍କ ପକ୍ଷେ ଭାରି କଷ୍ଟକର ଥିଲା। ମାଲିକଙ୍କ ପାଟିରୁ ସ୍ଲୋ-ୱାକ୍‌ ନିର୍ଦ୍ଦେଶ ଶୁଣିବା ମାତ୍ରେ ମନମତାଣିଆ ଚାଲି ଆରମ୍ଭ କରିଦେଉଥିଲେ। ‘ଷ୍ଟପ୍‌’ ଶୁଣି ଅଟକି ଯାଉଥିଲେ। ଦୁଇ କାନକୁ ଠେଙ୍ଗାଠେଙ୍ଗା କରି ପୁଣି ପରବର୍ତ୍ତୀ ନିର୍ଦ୍ଦେଶକୁ ଅପେକ୍ଷା କରି ରହୁଥିଲେ। ୟୁନିଟ୍‌-୬ସ୍ଥିତ ଖେଳ ପଡ଼ିଆରେ ‘ଓଡ଼ିଶା କେନେଲ୍‌ କ୍ଲବ’ ପକ୍ଷରୁ ଆଜି ଆୟୋଜିତ ଜାତୀୟ କୁକୁର ପ୍ରଦର୍ଶନୀ‌ରେ ଏପରି ଦୃଶ୍ୟ କୁକୁରପ୍ରେମୀଙ୍କୁ ଆନନ୍ଦିତ କରିଥିଲା। ସମୟ ବଢ଼ିବା ସହ ଦର୍ଶକଙ୍କ ଗହଳି ଜମି ଯାଇଥିଲା।

ପ୍ରଦର୍ଶନୀରେ ମନ ଜିଣିଲେ ‘ଜର୍ମାନ ସେଫାର୍ଡ’
ରବିବାର ଆସିବେ ୩୫ ପ୍ରଜାତି

ଆଜିର ଉଦ୍‌ଘାଟନୀ ଦିବସରେ ଜର୍ମାନ୍‌ ସେଫାର୍ଡ ପ୍ରଜାତିର କୁକୁରମାନଙ୍କୁ ନେଇ ସ୍ବତନ୍ତ୍ର ପ୍ରଦର୍ଶନୀ କରାଯାଇଥିଲା। ପ୍ରତିଯୋଗିତାରେ ଓଡ଼ିଶା ସ‌ମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ହିମାଚଳପ୍ରଦେଶ, ତାମିଲନାଡ଼ୁ, କର୍ଣ୍ଣାଟକ, ଲକ୍ଷ୍ନୌ ଆଦି ବିଭିନ୍ନ ରାଜ୍ୟ ଓ ସହରରୁ ୮୦ କୁକୁର ଭାଗ ନେଇଥିଲେ। ପ୍ରଥମେ କୁକୁରମାନଙ୍କର ପଞ୍ଜୀକରଣ କରାଯିବା ପରେ ପ୍ରାଣୀ ଚିକିତ୍ସକଙ୍କ ଦ୍ବାରା ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରେ ସେମାନେ ପ୍ରତିଯୋଗିତାରେ ଭାଗ ନେଇଥିଲେ। କମ୍‌ ଲୋମ ଥିବା ଜର୍ମାନ୍‌ ସେଫାର୍ଡ ପ୍ରଜାତିର କୁକୁରମାନଙ୍କୁ ନେଇ ବେବି କ୍ଲାସ୍‌, ପୁପି କ୍ଲାସ୍‌, ୟୁଥ୍‌ କ୍ଲାସ୍‌, ୟଙ୍ଗ କ୍ଲାସ୍‌ ପ୍ରତିଯୋଗିତା ଏବଂ ଲୋମଶ କୁକୁରମାନଙ୍କୁ ନେଇ ପୁପି କ୍ଲାସ୍‌ ଓ ଜୁନିଅର୍‌ କ୍ଲାସ୍‌ କରାଯାଇଥିଲା। ପରେ ଦୁଇ ବର୍ଗରେ କୃତିତ୍ବ ହାସଲ କରିଥିବା କୁକୁରମାନଙ୍କୁ ନେଇ ଓପନ୍‌-କ୍ଲାସ୍‌ ପ୍ରତିଯୋଗିତା ହୋଇଥିଲେ। ଏଥିରେ ଓବୁଟ୍‌ ନାମକ ସାଢ଼େ ୩ବର୍ଷର ଏକ ଅଣ୍ଡିରା ଜର୍ମାନ୍‌ ସେଫାର୍ଡ ଶ୍ରେଷ୍ଠ ପ୍ରଦର୍ଶନ କରି ଚାମ୍ପିଅନ୍‌ ହୋଇଥିଲା। ଓବୁଟ୍‌ ପକ୍ଷରୁ ତା’ ମାଲିକ ଲକ୍ଷ୍ନୌର ସିଦ୍ଧାର୍ଥ ଶର୍ମା ଚାମ୍ପିଅନ୍‌ ଟ୍ରଫି ଗ୍ରହଣ କରିଥିଲେ। ଅଷ୍ଟ୍ରେଲିଆର ଲୁଇସ୍‌ ଡୋନାଲ୍ଡ ବିଚାରକ ଭାବେ ଯୋଗଦେଇ ପ୍ରତିଯୋଗିତାର ମୂଲ୍ୟାୟନ କରିଥିଲେ। ଓଡ଼ିଶା ‌କେନେଲ୍‌ କ୍ଲବ୍‌ର ସୁବ୍ରତ ପୃଷ୍ଟି ଓ ଅନ୍ୟ ସଦସ୍ୟମାନେ ଏହାକୁ ପରିଚାଳନା କରିଥିଲେ। ଶନିବାର ଲାବ୍ରାଡର ଓ ବିଗଲ୍‌ ଦୁଇଟି ପ୍ରଜାତିର କୁକୁରଙ୍କୁ ନେଇ ଲାବ୍ରାଡର ସୋ, ବିଗଲ୍‌ ‌ସୋ ଓ ଓବେଡିଏନ୍‌ସ ଟ୍ରାଏଲ୍‌ ତିନୋଟି ସୋ କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର