ଜାତୀୟ ନାଟ୍ୟ ମହୋତ୍ସବ: ‘ମୁନ୍ତାଜିର୍‌’ରେ ବନ୍ଦୀ ଜୀବନର ଯନ୍ତ୍ରଣା କାହାଣୀ

ଭୁବନେଶ୍ବର: ମଞ୍ଚ କହୁଥିଲା ଇରାକ୍‌ର ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ ଦ୍ବାରା ବନ୍ଦୀ ତିନି ଜଣ ଯୁବକ ଜୋସୁଆ, ଡେନିସ୍‌ ଓ ନବୀନଙ୍କ ବନ୍ଦୀ ଜୀବନ କାହାଣୀ। ସେମାନଙ୍କର ମୃତ୍ୟୁର ଭୟ, ଅନିଶ୍ଚିତ ଜୀବନ, ନିଜ ପ୍ରିୟଜନଙ୍କଠାରୁ ଦୂରେଇ ଯିବାର ଦୁଃଖ, ମୁକ୍ତିର ଚିନ୍ତା ମଞ୍ଚରେ ବେଶ୍ ଜୀବନ୍ତ ଢଙ୍ଗରେ ପରିବେଷିତ ହୋଇଥିଲା। ଏହାରି ଭିତରେ ସେମାନଙ୍କ କଳ୍ପନାରେ ମୁକ୍ତି ଓ ଜୀବନକୁ ଉପଭୋଗ କରିବାର ପ୍ରୟାସ ଆଦି କେତେ ଯେ ସୁନ୍ଦର ତାହା ଦର୍ଶାଉଥିଲା। ସେମାନଙ୍କ ବନ୍ଦୀ ଜୀବନ ଏମିତି ଚାଲିଥିବା ବେଳେ ଦିନେ ଆମେରିକାର ବନ୍ଦୀ ଯୁବକ ଜୋସୁଆକୁ ଆତଙ୍କବାଦୀମାନେ ନିର୍ମମ ଭାବେ ହତ୍ୟା କରନ୍ତି। ଜୋସୁଆର ହତ୍ୟା, ଡେନିସ୍‌ ଓ ନବୀନଙ୍କୁ ନିକଟତର କରେ। ଉଭୟ ଭଲ ବନ୍ଧୁ ପାଲଟିଯାଆନ୍ତି। ନିଜ ଦୁଃଖର ସାଥୀ ପାଇ ବନ୍ଦୀ ଜୀବନ ଟିକେ ଆଶ୍ବସ୍ତିକର ହେଉଥିବା ବେଳେ ଡେନିସ୍‌କୁ ଆତଙ୍କବାଦୀମାନେ ମୁକ୍ତ କରି ଦିଅନ୍ତି। ଏବେ ପୁଣି ନବୀନ ଏକା ଓ ଆତଙ୍କବାଦୀଙ୍କ ମର୍ଜିର ଗୁଲାମ୍‌ ପାଲଟିଯାଏ। ଶେଷରେ କ’ଣ ହୁଏ? ନବୀନ ମୁକ୍ତି ପାଏ ନା ମୃତ୍ୟୁ?

ଏଭଳି ଏକ ରୋଚକ କଥାବସ୍ତୁକୁ ନେଇ ଆଜି ରବୀନ୍ଦ୍ର ମଣ୍ଡପଠାରେ ମଞ୍ଚସ୍ଥ ହୋଇଥିଲା ହିନ୍ଦୀ ନାଟକ ‘ମୁନ୍ତାଜିର୍‌’। ବିଦ୍ୟାକନକ ସୃଜନାନୁଷ୍ଠାନ ପକ୍ଷରୁ ଆୟୋଜିତ ‘ଜାତୀୟ ନାଟ୍ୟ ମହୋତ୍ସବ’ର ଆଜି ଚତୁର୍ଥ ସଂଧ୍ୟାରେ ଲକ୍ଷ୍ନୌ ନିପା ରଙ୍ଗମଣ୍ଡଳୀ ପକ୍ଷରୁ ଏହି ନାଟକ ପରିବେଷିତ ହୋଇଥିଲା। ନାଟକର କାହାଣୀ ଭରତେନ୍ଦୁ କଶ୍ୟପ ଓ ସୂର୍ଯ୍ୟମୋହନ କୁଳଶ୍ରେଷ୍ଠ ଲେଖିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ସୂର୍ଯ୍ୟମୋହନ କୁଳଶ୍ରେଷ୍ଠ।
କାର୍ଯ୍ୟକ୍ରମରେ ବରିଷ୍ଠ ପ୍ରଶାସକ ମନୋରଞ୍ଜନ ପାଣିଗ୍ରାହୀ, ହେମନ୍ତ ଶର୍ମା, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ଉପସଭାପତି ମନ୍ତଥ କୁମାର ଶତପଥୀ ଓ ସଦସ୍ୟ ସମର ମୁଦୁଲି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ସଭାପତି ସୁଧାକର ପତ୍ରୀ ଓ ସମ୍ପାଦକ ଶୁଭକାନ୍ତ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର