ଆତ୍ମା ବଦଳ ହେଲେ…

ଜାତୀୟ ନାଟ୍ୟ ଉତ୍ସବ ‘ପୂର୍ବରଙ୍ଗ’

ଭୁବନେଶ୍ବର: ବୌଦ୍ଧଭିକ୍ଷୁ ଗୁରୁ ପରିବ୍ରାଜକ ଓ ଶିଷ୍ୟ ଶାଣ୍ଡିଲ୍ୟ ଦିନେ ଏକ ଉଦ୍ୟାନରେ ବୁଲୁଥିବା ବେଳେ ଗୁରୁ ଶିଷ୍ୟଙ୍କ ମଧ୍ୟ‌ରେ ଆଲୋଚନା ଚାଲିଥାଏ। ଏତିକିବେଳେ ଗଣିକା ବସନ୍ତସେନା ଓ ତା’ର ସଖିମାନେ ଉଦ୍ୟାନରେ ପ୍ରବେଶ କଲେ। ଗଣିକାର ରୂପମାଧୁର୍ଯ୍ୟରେ ଶାଣ୍ଡିଲ୍ୟ ବିମୋହିତ ହୋଇଗଲେ। ଏଣେ ସେଇ ବସନ୍ତସେନା ନାମ୍ନୀ ଜଣେ ରାଜକୁମାରୀଙ୍କ ଶେଷ ସମୟ ଆସିଯାଇଥିବାରୁ ତାଙ୍କ ଆତ୍ମାକୁ ନେଇଯିବାକୁ ଯମରାଜ ଯମଦୂତଙ୍କୁ ‌ପଠାଇଲେ। ମାତ୍ର ଯମଦୂତ ଏକ ସର୍ପ ରୂପରେ ଆସି ରାଜକୁମାରୀ ବସନ୍ତସେନାଙ୍କ ବଦଳରେ ଗଣିକା ବସନ୍ତସେନାର ଜୀବନ ନେଇଯାଆନ୍ତି। ପରେ ଶିଷ୍ୟଙ୍କ ଅନୁରୋଧରେ ଗୁରୁ ଗଣିକା ବସନ୍ତସେନା ଶରୀରରେ ନିଜ ଆତ୍ମାକୁ ପ୍ରବେଶ କରାଇ ତାଙ୍କୁ ଜୀବିତ କରାନ୍ତି। ମାତ୍ର ଭୁଲ ବ୍ୟକ୍ତିଙ୍କ ଆତ୍ମା ନେଇ ଫେରିଥିବାରୁ ତାଙ୍କୁ ଯମରାଜ ପୁଣି ମର୍ତ୍ୟପୁରକୁ ପଠାନ୍ତି। ହେଲେ ଯମଦୂତ ଗଣିକାର ମର ଶରୀର ନପାଇ ଯମଦୂତ ଗଣିକାଙ୍କ ଆତ୍ମାକୁ ଗୁରୁଙ୍କ ଶରୀରରେ ପ୍ରବେଶ କରାଇ ଦିଅନ୍ତି। ଏହାପରେ ଗୁରୁଙ୍କ ଆବଭାବରେ ଏକ ଅଜବ ପରିବର୍ତନ ଆସେ। ଏହିଭଳି ଏକ କଥାବସ୍ତୁକୁ ହାସ୍ୟ ରସାତ୍ମମ ଶୈଳୀରେ ନାଟକ ‘ଭଗବଦ୍‌ଜୁକୁମ୍‌’ରେ ପରିବେଷଣ କରିଥିଲେ ଲକ୍ଷ୍ନୗର ନିପା ରଙ୍ଗମଣ୍ଡଳୀ। ରବୀନ୍ଦ୍ର ମଣ୍ଡପରେ ଚାଲିଥିବା ଜାତୀୟ ନାଟ୍ୟ ଉତ୍ସବ ‘ପୂର୍ବରଙ୍ଗ’ରେ ମଂଚସ୍ଥ ଏହି ନାଟକର ମୂଳ ରଚନା ମହାକବି ବୋଧାୟନ କରିଥିବା ବେଳେ ସୂର୍ଯ୍ୟମୋହନ କୁଳଶ୍ରେଷ୍ଠ ନିର୍ଦେଶନା ଦେଇଥିଲେ। କାର୍ଯ୍ୟକ୍ରମରେ ଶକ୍ତି ବିଭାଗର ଯୁଗ୍ମ ସଚିବ ମନସ୍ବିନୀ ନାୟକ, ଓପିଟିସିଏଲ୍‌ ଅଧ୍ୟକ୍ଷ ହେମନ୍ତ ଶର୍ମା, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଭାପତି ରାମକୃଷ୍ଣ ସାହୁ ଓ ସଚିବ ବିଜୟ ଜେନା ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଶା ନାଟ୍ୟସଂଘର ସଭାପତି ହରେନ ସାହୁ ଓ ସମ୍ପାଦକ ଲାଲା ବିରେନ ରାୟ ଉପସ୍ଥିତ ଥିଲେ। ନାଟ୍ୟ ନିର୍ଦ୍ଦେଶକ ମନୋଜ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର