ଦେଶର ଅର୍ଥନୀତିରେ ଓଡ଼ିଶା ଅଗ୍ରଣୀ ରାଜ୍ୟ: ରାଜ୍ୟପାଳ

ଇଣ୍ଡିଆ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ମେଗା ଟ୍ରେଡ୍‌ ଫେୟାର ଉଦ୍‌ଘାଟିତ

ଭୁବନେଶ୍ୱର: ଜାତୀୟ ଓ ଆନ୍ତର୍ଜାତିକ ସ୍ତରର ପ୍ରତିଯୋଗିତାମୂଳକ ବଜାରରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିବା ତଥା ସଫଳତା ପାଇବା ପାଇଁ ବ୍ୟବସାୟୀମାନେ ନିଜ ଶକ୍ତି ଓ ସାହସର ସହ ଲଢ଼େଇ ଜାରି ରଖିଛନ୍ତି। ବାଣିଜ୍ୟ ବ୍ୟବସାୟର ସୁବିଧା ପାଇଁ ସରକାର ମଧ୍ୟ ଗୁରୁତ୍ୱାରୋପ କରୁଛନ୍ତି। ବାଣିଜ୍ୟର ବିକାଶ ପାଇଁ ବହୁ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ହାତକୁ ମଧ୍ୟ ନିଆଯାଉଛି। ବିସିସିଆଇ, ୟୁସିସିଆଇ, ରେଡା ଓ ଜିଏସ୍‌ ମାର୍କେଟିଂ ଆସୋସିଏଟ୍‌ସ୍‌ର ମିଳିତ ସହଯୋଗରେ ସ୍ଥାନୀୟ ଜନତା ମଇଦାନଠାରେ ଆୟୋଜିତ ‘ଇଣ୍ଡିଆ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ମେଗା ଟ୍ରେଡ୍‌ ଫେୟାର(ଆଇଆଇଏମ୍‌ଟିଏଫ୍‌)’କୁ ଉଦ୍‌ଘାଟନ କରି ଏହା କହିଛନ୍ତି ରାଜ୍ୟପାଳ ଡ.ଏସ୍‌ ସି ଜମିର। ରାଜ୍ୟପାଳ ପୁଣି କହିଲେ, ନିଜର କଠିନ ପରିଶ୍ରମ ଯୋଗୁଁ ଭାରତୀୟ ଅର୍ଥନୀତିରେ ଅଗ୍ରଣୀ ରାଜ୍ୟ ଭାବେ ଓଡ଼ିଶା ଉଭା ହେଉଛି। ପୁଣି ଓଡ଼ିଶାର ଶିଳ୍ପ ଭିତ୍ତିକ ପରିବେଶ ଯୋଗୁଁ ଏହା ପୂର୍ବ ଭାରତର ମାନ୍ୟୁଫାକ୍‌ଚରିଂ ହବ୍‌ ଭାବେ ମୁଣ୍ଡ ଟେକୁଛି। ଦ୍ରୁତ ଗତିରେ ବିଶ୍ୱରେ ପରିବର୍ତ୍ତନ ଘଟୁଥିବାରୁ ଆମକୁ ଏହା ସହ ସବୁବେଳେ ତାଳ ଦେଇ ଚାଲିବାକୁ ପଡ଼ିବ। ତେଣୁ ଯୁବପିଢ଼ିଙ୍କ ମଧ୍ୟରେ ଦକ୍ଷତା ବିକାଶ ଓ ବୈଷୟିକ ତାଲିମ୍‌କୁ ତ୍ୱରାନ୍ଵିତ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଆଜିର କାର୍ଯ୍ୟକ୍ରମରେ ଅତିଥି ଭାବେ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ବିଧାୟକ ବିଜୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ୟୁସିସିଆଇର ଅଧ୍ୟକ୍ଷ ରମେଶ ମହାପାତ୍ର, ବିସିସିଆଇର ଅଧ୍ୟକ୍ଷ ପ୍ରକାଶ ଶାହ, ରେଡାର ଅଧ୍ୟକ୍ଷ କାନ୍ତିିଲାଲ୍‌ ପଟେଲ୍‌ ଓ କୋଲ୍‌କାତା ବିସିସିଆଇର ଏଜିଡି ସ୍ମରଜିତ୍‌ ପୁରକାୟାସ୍ତ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଏହି ମେଳାରେ ଭାରତ ସମେତ ଆଫ୍‌ଗାନିସ୍ତାନ, ଥାଇଲାଣ୍ଡ୍‌, ପାକିସ୍ତାନ, ବାଂଲାଦେଶ, ତୁର୍କୀ, ଇଜିପ୍‌ଟ୍‌, ଘାନା, ଚାଇନା, ଶ୍ରୀଲଙ୍କା, ନେଦର୍‌ଲାଣ୍ଡ୍‌ ଆଦି ୧୧ଟି ଦେଶ ଏବଂ ଓଡ଼ିଶା ସମେତ ତାମିଲନାଡ଼ୁ, ଝାଡ଼ଖଣ୍ଡ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଉତ୍ତର ପ୍ରଦେଶ ଭଳି ଦେଶର ୧୭ଟି ରାଜ୍ୟ ଅଂଶଗ୍ରହଣ କରିଛନ୍ତି। ଏଠାରେ ଘର ତିଆରି ପ୍ରକଳ୍ପ, ଘରସଜ୍ଜା ସାମଗ୍ରୀଠାରୁ ଆରମ୍ଭ କରି ଘର ଓ କାର୍ଯ୍ୟାଳୟର ସାଜସଜ୍ଜା ପାଇଁ ଡିଜାଇନର୍‌ ସାମଗ୍ରୀ ଉପଲବ୍ଧ। ଏହି ମେଳା ଆସନ୍ତା ୧୨ ତାରିଖ ଯାଏଁ ଚାଲିବ।

ସମ୍ବନ୍ଧିତ ଖବର