‘ରାଷ୍ଟ୍ରୀୟ ଶିକ୍ଷାନୀତି ଭାରତକୁ ବିଶ୍ବର ନେତୃତ୍ବ ନେବାକୁ ଶକ୍ତି ଯୋଗାଇବ’
ଅର୍ଗସ୍ ଏଜୁକେସନ୍ ନେକ୍ସଟ୍-୨୦୨୨ କନ୍କ୍ଲେଭ
ଭୁବନେଶ୍ବର: ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଦେଶ ଆଗଉଛି ଓ ଅର୍ଥନୈତିକ କ୍ଷେତ୍ର ମଧ୍ୟ ବିକଶିତ ହେଉଛି। ଭାରତର ଅର୍ଥନୀତିରେ ଆଶାତୀତ ବୃଦ୍ଧି ଘଟିଛି, ଯାହା ବିଶ୍ବ ଦେଖୁଛି। ଦେଶରେ ଯୁବକଯୁବତୀଙ୍କୁ ରୋଜଗାରକ୍ଷମ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି। ନୂତନ ଜାତୀୟ ଶିକ୍ଷାନୀତି ଯୁବବର୍ଗଙ୍କ ଆଜି ଓ କାଲିର ସ୍ବପ୍ନକୁ ସାକାର କରିବ। ରାଷ୍ଟ୍ରୀୟ ଶିକ୍ଷାନୀତି ଭାରତକୁ ବିଶ୍ବର ନେତୃତ୍ୱ ନେବାକୁ ଶକ୍ତି ଯୋଗାଇବ। ଅର୍ଗସ୍ ନ୍ୟୁଜ୍ ଚ୍ୟାନେଲ୍ ପକ୍ଷରୁ ହୋଟେଲ ମେ’ ଫେୟାର୍ରେ ଆୟୋଜିତ ‘ଅର୍ଗସ୍ ଏଜୁକେସନ୍ ନେକ୍ସଟ୍- ୨୦୨୨’ କନ୍କ୍ଲେଭ୍ରେ କେନ୍ଦ୍ର ଦକ୍ଷତା ବିକାଶ, ଉଦ୍ୟମିତା, ସୂଚନା ପ୍ରଯୁକ୍ତିବିଦ୍ୟା ଓ ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି କହିଛନ୍ତି।
ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୋଇଥିବାରୁ ସେ ଏହି ଅବସରରେ ଖୁସି ପ୍ରକଟ କରିଥିଲେ। ମହାମାରୀ କରୋନା ସଂକଟକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର ସଫଳତାର ସହ ମୁକାବିଲା କରିଥିଲା ବୋଲି ସେ କହିଥିଲେ। ନୂତନ ଜାତୀୟ ଶିକ୍ଷାନୀତି ଦ୍ବାରା ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବଢ଼ିବ ଓ ସେମାନେ ସ୍ବାବଲମ୍ବୀ ହୋଇପାରିବେ ବୋଲି ସେ ମତ ରଖିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ନ୍ୟାସନାଲ୍ କାଉନ୍ସିଲ୍ ଫର୍ ଭୋକେସନାଲ୍ ଏଜୁକେସନ୍ ଆଣ୍ଡ ଟ୍ରେନିଂର ଚେୟାରମ୍ୟାନ୍ ଡା. ନିର୍ମଳ ସିଂହ କାଲ୍ସି ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଅର୍ଗସର ମୁଖ୍ୟ ସଂପାଦକ ସଞ୍ଜୟ ଜେନା ସ୍ବାଗତ ଭାଷଣ ଦେଇଥିଲେ। ଅର୍ଗସର ସିଇଓ ପ୍ରକାଶ ସାହୁ ଧନ୍ୟବାଦ ଦେଇଥିଲେ।