ଜାତୀୟ ବନ ବିଭାଗ କ୍ରୀଡ଼ା ପ୍ରତିଯୋଗିତା: ୨ ସ୍ବର୍ଣ୍ଣ ପଦକ ସମେତ ୧୯ ପଦକ ପାଇଲା ଓଡ଼ିଶା

ଖଣ୍ଡଗିରି: ଛତିଶଗଡ଼ ରାୟପୁରରେ ଅନୁଷ୍ଠିତ ହୋଇଯାଇଥିବା ଜାତୀୟ ବନ ବିଭାଗ କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶାକୁ ମୋଟ୍‌ ୧୮ଟି ପଦକ ମିଳିଛି। ଏଥିରେ ୨ଟି ସ୍ବର୍ଣ୍ଣ, ୬ଟି ରୌପ୍ୟ ଓ ୧୧ଟି ବ୍ରୋଞ୍ଜ୍‌ ପଦକ ରହିଛି। ‌୮ଟି ବିଭାଗରେ ଓଡ଼ିଶା ଦଳ ୪ର୍ଥ ସ୍ଥାନରେ ରହି ଅଧିକ ପଦକ ଲାଭରୁ ଅଳ୍ପକେ ବଞ୍ଚିତ ହୋଇଛି। ଦଳଗତ ପ୍ରଦର୍ଶନ ଦୃଷ୍ଟିରୁ ଏଥର ଓଡ଼ିଶାର ଏହି ୬୦ ଜଣିଆ ଟିମ୍‌ ଭଲ ପ୍ରଦର୍ଶନ କରିଥିବାରୁ ଆଜି ବନ ବିଭାଗ ପକ୍ଷରୁ ସମସ୍ତ ଖେଳାଳି ଓ ଟିମ୍ ମ୍ୟାନେଜ୍‌ମେଣ୍ଟକୁ ସମ୍ବର୍ଧିତ କରାଯାଇଛି। ସୋମବାର ପାତ୍ରପଡ଼ାସ୍ଥିତ ଔଷଧୀୟ ‌ଜ୍ଞାନକେନ୍ଦ୍ର (ମେଡିସିନାଲ୍‌ ଗାର୍ଡେନ) ପରିସରରେ ଆୟୋଜିତ ଏହି ସମ୍ବର୍ଧନା କାର୍ଯ୍ୟକ୍ରମରେ ବନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର, ପିସିସିଏଫ୍ (ୱାଇଲ୍ଡ ଲାଇଫ) ସନ୍ଦୀପ ତ୍ରିପାଠୀ, ପିସିସଏଫ୍ (ସାଧାରଣ) ଡ. ଦେବବ୍ରତ ସ୍ବାଇଁ ଓ ଭୁବନେଶ୍ବର ବନଖଣ୍ଡ ଡିଏଫ୍ଓ ଅଶୋକଚନ୍ଦ୍ର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ରାଜ୍ୟ ପାଇଁ ଗୌରବ ଆଣିଥିବା ସମସ୍ତ ବନ କର୍ମଚାରୀମାନଙ୍କୁ ଅତିଥିମାନେ ପ୍ରଶଂସା କରିଥିଲେ। ଏଣିକି ରାଜ୍ୟ ବନ କର୍ମଚାରୀମାନଙ୍କ ପାଇଁ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ କରାଯିବା ଉପରେ ବିଭାଗ ପକ୍ଷରୁ ଗୁରୁତ୍ବ ଦିଆଯିବ ବୋଲି ସେମାନେ କହିଥିଲେ। ଫଳରେ ଖେଳାଳିମାନେ ଅଧିକ ଅଭ୍ୟାସର ସୁଯୋଗ ପାଇବେ ଓ ଆଗକୁ ରାଜ୍ୟ ବନ ବିଭାଗ ଏଭଳି ପ୍ରତିଯୋଗିତାରେ ଜାତୀୟସ୍ତରରେ ଟେକ ରଖିବ ବୋଲି କହିଥିଲେ। ଶେଷରେ ସମସ୍ତ ପ୍ରତିଯୋଗୀମାନଙ୍କୁ ସମ୍ବର୍ଧନା ଜ୍ଞାପନ କରାଯାଇଥିଲା। ଖୁବ୍ ଶୀଘ୍ର ୧୬ ଶହ ବନ କର୍ମଚାରୀ ନିଯୁକ୍ତି ପାଇବେ- ଏହି ଅବସରରେ ଅତିରିକ୍ତ ଶାସନ ସଚିବ ଶ୍ରୀ ମହାପାତ୍ର ସୂଚନା ଦେଇ କହିଥିଲେ ଯେ ଖୁବ୍‌ ଶୀଘ୍ର ୧୬ ଶହ ବନ କର୍ମଚାରୀଙ୍କୁ ନୂତନ ନିଯୁକ୍ତି ମିଳିବ। ଏଥିରେ ୧୧ ଶହ ଫରେଷ୍ଟ ଗାର୍ଡ ଓ ୫ ଶହ ଫରେଷ୍ଟର ପଦବି ରହିଛି। ନୂତନ ନିଯୁକ୍ତି ପାଇଁ ସମସ୍ତ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ସେ ସୂଚନା ଦେଇଥିଲେ। ତେବେ ଏଥର ନିଯୁକ୍ତି ପାଇଁ କ୍ରୀଡ଼ାରେ ଅଧିକ ରୁଚି ରଖିଥିବା ପ୍ରାର୍ଥୀଙ୍କୁ ଅଧିକ ଗୁରୁତ୍ବ ଦିଆଯିବ ବୋଲି ସେ କହିଥିଲେ। ଉଲ୍ଲେଖଯୋଗ୍ୟ ଯେ ଦୀର୍ଘ ବର୍ଷ ହେବ ଖାଲି ପଡ଼ିଥିବା ଏହି ସବୁ ପଦବି ପାଇଁ ବନ ବିଭାଗର ତଳିଆ କର୍ମଚାରୀଙ୍କ ଉପରେ ଚାପ ପଡ଼ୁଥିଲା। ରାଜ୍ୟରେ ହାତୀ ମୃତ୍ୟୁ ହାର ବଢ଼ୁଥିବା ପଛରେ ଥିବା ବିଭିନ୍ନ କାରଣଗୁଡ଼ିକ ମଧ୍ୟରୁ ଏତେ ସଂଖ୍ୟାରେ ବନ କର୍ମଚାରୀ ପଦବି ଖାଲି ପଡ଼ିଥିବା ଏକ ମୁଖ୍ୟ କାରଣ ବୋଲି ଅଭିଯୋଗ ହୋଇ ଆସୁଥିଲା। ତେଣୁ ଫରେଷ୍ଟ ଗାର୍ଡ ଓ ଫରେଷ୍ଟର ପଦବି ପୂରଣ ପାଇଁ ବନ କର୍ମଚାରୀ ସଂଘ ଦାବି କରି ଆସୁଥିଲା। ତେଣୁ ଆଜି ଏହି ସୂଚନା ପାଇବ‌ା‌ ପରେ ସଂଘ ପକ୍ଷରୁ ସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର