ଭୁବନେଶ୍ବର: ନୂଆପଲ୍ଲୀସ୍ଥିତ ହଜ୍ ପୋଖରୀର ଜମି ଏବଂ ୧୦ ନମ୍ବର ପ୍ରାକୃତିକ ନାଳକୁ ୬ ମାସ ମଧ୍ୟରେ ଜବରଦଖଲମୁକ୍ତ କରିବାକୁ ବିଏମ୍ସି ଓ ବିଡିଏକୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ସବୁଜ ନ୍ୟାୟାଧିକରଣ (ଏନ୍ଜିଟି)ର କୋଲାକାତାସ୍ଥିତ ପୂର୍ବାଞ୍ଚଳ ଜୋନ୍। ଏହାସହ ପୋଖରୀର ଜଳକୁ ଦୂଷିତ କରୁଥିବା ହୋଟେଲ ପ୍ରେସିଡେନ୍ସିଠାରୁ ପରିବେଶ କ୍ଷତି ଭରଣା ଆଦାୟ କରିବାକୁ ରାଜ୍ୟ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଶନି ମନ୍ଦିରକୁ ୨ମାସ ମଧ୍ୟରେ ଭାଙ୍ଗିବାକୁ ବିଏମ୍ସିକୁ ନିର୍ଦ୍ଦେଶ ହୋଇଛି। ହଜ୍ ପୋଖରୀ ଏବଂ ୧୦ ନମ୍ବର ନାଳ ଜବରଦଖଲ ଏବଂ ପ୍ରଦୂଷଣ ନେଇ ୨୦୨୨ ମସିହାରେ ଦାଖଲ ହୋଇଥିବା ମାମଲାର ଶୁଣାଣି କରି ଏନ୍ଜିଟି ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗକାରୀଙ୍କ ପକ୍ଷରୁ ଆଇନଜୀବୀ ଶଙ୍କର ପାଣି ମାମଲାର ପରିଚାଳନା କରିଥିଲେ।
ସୂଚନା ଅନୁଯାୟୀ, ନୂଆପଲ୍ଲୀରେ ଥିବା ଏହି ହଜ୍ ପୋଖରୀର ଆୟତନ ୭ ଏକର ବୋଲି ସରକାରୀ ରେକର୍ଡ ରହିଛି। କିନ୍ତୁ ଉଭୟ ସରକାରୀ ଓ ବେସରକାରୀ ଜବରଦଖଲ ଯୋଗୁଁ ଏହି ଜଳାଶୟ ଏବେ ମାତ୍ର ୪.୫ ଏକରରେ ସୀମିତ ରହିଛି। ଏହି ଜଳାଶୟର ଜମିକୁ ପୋତି ଆଖପାଖରେ ଥିବା ଆପାର୍ଟମେଣ୍ଟକୁ ରାସ୍ତା ସଂଯୋଗ ହୋଇଛି। ସେହିପରି ରାଜୀବ ଆବାସ ଯୋଜନାରେ ଘରଗୁଡ଼ିକ ମଧ୍ୟ ଜଳାଶୟ ଜମିରେ ନିର୍ମାଣ ହୋଇଛି। ଅର୍ଥାତ୍ ଖୋଦ୍ ସରକାରଙ୍କ ପକ୍ଷରୁ ମଧ୍ୟ ସମସ୍ତ ନିୟମର ଉଲ୍ଲଂଘନ କରାଯାଇ ୧.୫ ଏକର ଜଳାଶୟ ଜମିକୁ ଅଣଜଳାଶୟ କାର୍ଯ୍ୟରେ ବ୍ୟବହାର କରାଯାଇଛି। ସେହିଭଳି କିଛି ବ୍ୟକ୍ତିଙ୍କ ଦ୍ବାରା ଜଳାଶୟ ଜମିରେ ଶନିଶ୍ଚର ମନ୍ଦିର ନିର୍ମାଣ କରାଯାଇଛି। ଆଉ ଜଣେ ମହିଳା ପୋଖରୀର ୨୩୦ ଡିସମିଲ ଜମିକୁ ଅକ୍ତିଆର କରି ରଖିଛନ୍ତି।
ନାଳରୁ ବି ହଟିବ ଜବରଦଖଲ
୨ ମାସରେ ଶନି ମନ୍ଦିର ଭଙ୍ଗାଯିବ
ହୋଟେଲ ପ୍ରେସିଡେନ୍ସି ଉପରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ
ଗୋଟିଏ ସମୟରେ ଲୋକଙ୍କ ଜୀବନରେଖା ଥିବା ହଜ୍ ପୋଖରୀ ପୋତି ହୋଇ ସମୁଦାୟ ରାଜଧାନୀର ଆବର୍ଜନା ନିଷ୍କାସନର ପ୍ରମୁଖ ସ୍ଥଳୀ ପାଲଟିଥିଲା। ଏହାକୁ ଗତ ଏକ ବର୍ଷ ହେଲା ବିଏମସି ପକ୍ଷରୁ ସଫେଇ କରାଯାଉଛି। ହଜ୍କୁ ୧୦ ନମ୍ବର ପ୍ରାକୃତିକ ନାଳ ସଂଯୋଗ ହୋଇ ରହିଛି। ପୂର୍ବରୁ ଏହା ୧୨ ମିଟର ବା ୪୦ ଫୁଟ ଥିଲା। କିନ୍ତୁ ଜବରଦଖଲ ଯୋଗୁଁ ଏହାର ଚଉଡ଼ା ମାତ୍ର ୨ ମିଟରରେ ରହିଛି। ଘର, ଦୋକାନଗୁଡ଼ିକ ନାଳକୁ ଜବରଦଖଲ କରିବା ଯୋଗୁଁ ଏହି ପ୍ରାକୃତିକ ନାଳ ମଧ୍ୟ ସଂକୁଚିତ ହୋଇଯାଇଛି।
୨୦୧୮ ଜୁଲାଇରେ ବିଏମ୍ସି କମିସନଙ୍କ ପକ୍ଷରୁ ହଜ୍ ଏବଂ ୧୦ ନମ୍ବର ପ୍ରାକୃତିକ ନାଳର ସ୍ଥିତି ଅନୁଧ୍ୟାନ କରାଯାଇଥିଲା। ସପ୍ତାହ ମଧ୍ୟରେ ଉଭୟକୁ ଜବରଦଖଲମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଉଚ୍ଛେଦ ଅଭିଯାନ ଆରମ୍ଭର କିଛି ଦିନ ମଧ୍ୟରେ ବନ୍ଦ ହୋଇଯାଇଥିଲା। କାରଣରେ ଉଚ୍ଛେଦ ସ୍କ୍ବାଡ୍ ଏବଂ କର୍ମଚାରୀ ଅଭାବ ବୋଲି ଦର୍ଶାଯାଇଥିଲା। ଅନ୍ୟ ଏକ ପ୍ରସଙ୍ଗ ହେଲା, ନିକଟସ୍ଥ ହୋଟେଲ ଏବଂ ବ୍ୟବସାୟିକ ସ୍ଥଳରୁ ବିନା ବିଶୋଧନରେ ବିଷାକ୍ତ ପାଣି ହଜ ପୋଖରୀରେ ମିଶୁଛି।
ସୂଚନା ଅନୁଯାୟୀ, ହୋଟେଲ ଜଳ ନିଷ୍କାସନ ଏବଂ ପରିଚାଳନାର ସ୍ବତନ୍ତ୍ର ବ୍ୟବସ୍ଥା ରହିଛି। ଏଥିପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଠାରୁ ଅନୁମତି ମଧ୍ୟ ଆବଶ୍ୟକ ହୋଇଥାଏ। ମାତ୍ର ହୋଟେଲ ପ୍ରେସିଡେନ୍ସି ଏଥିରେ ସମ୍ପୂର୍ଣ୍ଣ ଅବହେଳା ପ୍ରଦର୍ଶନ କରିଛି। ଏପରିକି, ୨୦୧୮ ମସିହାରେ ତତ୍କାଳୀନ ବିଏମ୍ସି କମିସନରଙ୍କ ନିରୀକ୍ଷଣ ବେଳେ ମଧ୍ୟ ଏହା ଚିହ୍ନଟ ହୋଇଥିଲା। ହୋଟେଲ ପ୍ରେସିଡେନ୍ସିକୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି ହୋଇଥିଲା। ମାତ୍ର ସେ ସମୟରେ ଏହାକୁ ନେଇ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ।
ତେଣୁ ବର୍ତ୍ତମାନ କୋର୍ଟଙ୍କ ନିର୍ଦ୍ଦେଶାନୁଯାୟୀ, ଯେଉଁ ସମୟଠାରୁ ହୋଟେଲର ବିଷାକ୍ତ ପାଣି ହଜ୍ରେ ମିଶୁଛି, ସେହି ସମୟରୁ ଅନୁଧ୍ୟାନ କରାଯାଇ ଜରିମାନା ଆଦାୟ ହେବା ଉଚିତ। ହୋଟେଲ ବ୍ୟତୀତ ଅନ୍ୟ ସ୍ଥାନରୁ ମଧ୍ୟ ବିଷାକ୍ତ ପାଣି ଏହି ପୋଖରୀରେ ମିଶୁଥିବା ମଧ୍ୟ ଜଣାପଡ଼ିଛି। ବର୍ତ୍ତମାନ ସରକାରଙ୍କ ପକ୍ଷରୁ ସଂଯୁକ୍ତ ଯାଞ୍ଚ କରାଯାଇ ଜବରଦଖଲ ଜମି ଚିହ୍ନଟ ହେବା ଉଚିତ। ଏହି ଆଇନଗତ ଲଢେଇ କଟକ ଜିଲ୍ଲାର ଶ୍ରୀକାନ୍ତ ପାକଳ ଏବଂ ଭୁବନେଶ୍ବର ନୂଆପଲ୍ଲୀର ନଟବର ସାମନ୍ତରାୟ ବନାମ ପ୍ରମୁଖ ଶାସନ ସଚିବଙ୍କ ଜରିଆରେ ଓଡ଼ିଶା ସରକାରଙ୍କ ସମେତ ବିଭିନ୍ନ ସରକାରୀ ବିଭାଗ, ଶନିଦେବ ମନ୍ଦିର ଟ୍ରଷ୍ଟ ମଧ୍ୟରେ ଚାଲିଥିଲା।
ସୁନ୍ଦର ହେଉଛି ପୋଖରୀ
ଭୁବନେଶ୍ବର: ୧୧୧ବର୍ଷ ପୁରୁଣା ନୂଆପଲ୍ଲୀ ବେହେରାସାହିସ୍ଥିତ ହଜ ପୋଖରୀକୁ ଏକପ୍ରକାର ହତ୍ୟା କରି ଡମ୍ପିଂୟାର୍ଡରେ ପରିଣତ କରି ଦିଆଯାଇଥିଲା। ବର୍ତ୍ତମାନ ଏହାର ପୁନରୁଦ୍ଧାର ସହ ସୌନ୍ଦର୍ଯୀକରଣ କାର୍ଯ୍ୟ କରୁଛି ବିଏମ୍ସି। ବର୍ତ୍ତମାନ ସୁଦ୍ଧା ସାଢ଼େ ୪ ଏକର ଜମିରେ ଖନନ କାର୍ଯ୍ୟ ସରିଛି। ଏଠାରେ ୧୭ ଫୁଟ୍ର ପାଣି ସଂରକ୍ଷିତ ହୋଇ ରହିଛି। ବର୍ଷା ୪ମାସ ଅର୍ଥାତ୍ ଜୁନ୍ରୁ ଡିସେମ୍ବର ପର୍ଯ୍ୟନ୍ତ ନିର୍ମାଣ ବନ୍ଦ ଥିବାରୁ କାର୍ଯ୍ୟ ମନ୍ଥର ହୋଇଛି। କିନ୍ତୁ ଯଥାଶୀଘ୍ର ଏହା ସାରିବାକୁ ଚେଷ୍ଟା କରାଯାଉଥିବା କହିଛନ୍ତି ୱାର୍ଡ ନମ୍ବର ୩୭ର କର୍ପୋରେଟର୍ ବନ୍ଦିତା ପାଲ। ତାଙ୍କ ସୂଚନା ଅନୁସାରେ, ୪ କୋଟି ଟଙ୍କା ବଜେଟରେ ଏହାର ପୁନରୁଦ୍ଧାର କରାଯାଉଛି। କିଛି ଦିନ ପୂର୍ବରୁ ଅତିରିକ୍ତ ୭ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ପୁନରୁଦ୍ଧାର କାର୍ଯ୍ୟ ସରିବା ପରେ ଏଠାରେ ବୋଟ୍ ଚଳାଇବା ସହିତ ଲୋକଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ଏହା ସହିତ ଜବରଦଖଲରେ ଥିବା ଦେବୋତ୍ତର ବିଭାଗର ୩ ଏକର ଜମିରେ ପାର୍କ ପାଇଁ ଯୋଜନା ରହିଛି ବୋଲି ସେ କହିଛନ୍ତି।