ଜାତୀୟ ହସ୍ତତନ୍ତ ମେଳା: ତନ୍ତରେ ଲୁଗାବୁଣା ଦେଖିବାକୁ ଜମୁଛି ଭିଡ଼

ଭୁବନେଶ୍ବର: ତନ୍ତବୁଣା କଳ, ରଙ୍ଗବେରଙ୍ଗ ସୂତା ସହ ନିଜେ ବୁଣାକାର। ଯିଏ ଦେଖୁଛି, ତା’ ଆଖି ଆଗରେ ଗାଁରେ ବିତାଇଥିବା ପୁରୁଣା ଦିନଗୁଡ଼ିକ ନାଚି ଯାଉଛି। ପ୍ରଦର୍ଶନୀ ପଡ଼ିଆରେ ପଡ଼ିଥିବା ଜାତୀୟ ହସ୍ତତନ୍ତ ମେଳା ରାଜଧାନୀବାସୀଙ୍କ ପାଇଁ ଏମିତି ଏକ ଅବସର ଆଣିଦେଇଛି। ତନ୍ତୀର ତନ୍ତ ବୁଣିବାର ସିଧା ପ୍ରଦର୍ଶନ ଦେଖିବାକୁ ମେଳାରେ ଥିବା ଥିମ୍‌ ପାଭିଲିଅନ୍‌ରେ ଦର୍ଶକଙ୍କ ପ୍ରବଳ ଭିଡ଼ ଜମୁଛି। ଏଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ତନ୍ତ ସାହାଯ୍ୟରେ ଲୁଗାବୁଣାର ଡେମୋ ପ୍ରଦର୍ଶିତ ହେଉଛି।

ଏହାସହ ଏହି ଥିମ୍‌ ପାଭିଲିଅନ୍‌ରେ ବଛାବଛା କାରିଗରମାନଙ୍କର ହାତ ତିଆରି ଶାଢ଼ି ମଧ୍ୟ ପ୍ରଦର୍ଶିତ ହେଉଛି। ଶାଢ଼ିଗୁଡ଼ିକ ମଧ୍ୟରେ ସମ୍ବଲପୁରୀ ପାଟ, ବମ୍‌କେଇ ପାଟ, ଢେଙ୍କାନାଲର ସିନେଇ, ବିଚିତ୍ରାପୁରୀ ଶାଢ଼ି, ଖୋର୍ଦ୍ଧାର ଧଳାପଥର ଶାଢ଼ି ଓ ଟସର ଶାଢ଼ି ଇତ୍ୟାଦି ରହିଛି। ସମସ୍ତ ଶାଢ଼ିର ପ୍ରିଣ୍ଟିଂ ଡିଜାଇନ୍‌ର କ୍ୟାଟୋଲଗ ମଧ୍ୟ ରହିଛି। ଏହାକୁ ଦେଖିବା ପାଇଁ ଲୋକମାନଙ୍କର ଭିଡ଼ ଜମୁଥିବା ବେଳେ ଯୁବପିଢ଼ି ଏଠାରେ ସେଲ୍‌ଫି ନେବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ଏଠାରେ ଏ ସବୁ ବିଷୟରେ ବୁଝାଇବା ପାଇଁ କାରିଗରମାନଙ୍କୁ ନିୟୋଜିତ କରାଯାଇଛି। ଫଳରେ ଲୋକମାନେ ଏ ସବୁ ଶାଢ଼ି ଓ କାରିଗରି ବିଷୟରେ ସହଜରେ ବୁଝିପାରୁଛନ୍ତି। ଏଥିସହ ତନ୍ତବୁଣା ଦେଖିବା ପାଇଁ ଜନସମାଗମ ହେଉଛି ବୋଲି କହିଛନ୍ତି କାରିଗର ସନାତନ ଭୋଇ। ମେଳା ବୁଲି ଆସିଥିବା ମୌସୁମୀ ପଣ୍ଡା କହିଛନ୍ତି, ଆମେ ସବୁବର୍ଷ ହସ୍ତତନ୍ତ ମେଳା ବୁଲିବା ପାଇଁ ଆସୁ। ଏହି ଥିମ୍‌ ପାଭିଲିଅନ୍‌ରେ ଭିନ୍ନଭିନ୍ନ ରକମର ଶାଢ଼ି ଦେଖିବାକୁ ମିଳୁଛି। ଏହାସହ କ୍ୟାଟୋଲଗ୍‌ ଥିବାରୁ ସହଜରେ ଶାଢ଼ିର ଡିଜାଇନ୍‌ ବିଷୟରେ ଜାଣି ହେଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର