ହସ୍ତତନ୍ତ ମେଳାରେ ବ୍ୟବସାୟ ୬.୫କୋଟି ଟପିଲା : ଇକତ୍‌ ପିନ୍ଧି ର‍୍ୟାମ୍ପ୍‌ରେ ଚାଲିଲେ ମଡେଲ୍‌

ଭୁବନେଶ୍ୱର : ଜାତୀୟ ହସ୍ତତନ୍ତ ମେଳା ପରିସରରେ ଆଜି ସନ୍ଧ୍ୟାରେ ବୟନିକା ଏବଂ ଭାରତ ସରକାରଙ୍କ ବସ୍ତ୍ର ନମୁନା ବିକାଶ ସଂସ୍ଥା (ଏଟିଡିସି)ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା ନିଆରା ଫେସନ୍‌ ସୋ।

ଓଡ଼ିଶାର ହସ୍ତତନ୍ତ ପିନ୍ଧି ର‍୍ୟାମ୍ପ୍‌ରେ ଚାଲିଥିଲେ ମୁମ୍ବାଇ ଓ କୋଲକାତାର ମଡେଲ୍‌। ମଡେଲ୍‌ଙ୍କ ପୋଷାକରେ ଓଡ଼ିଶା ହସ୍ତତନ୍ତର ପାରମ୍ପରିକ ପରିଧାନ ସହ ଆଧୁନିକତାର ସମ୍ମିଶ୍ରଣ ବେଶ୍‌ ଉପଭୋଗ୍ୟ ହୋଇଥିଲା। ପ୍ରହ୍ଲାଦ ମେହେରଙ୍କ ଡିଜାଇନ୍‌ରେ ପ୍ରସ୍ତୁତ ‘ଇକତ୍‌’ ଶାଢ଼ୀ ପିନ୍ଧି ମଡେଲ୍‌ମାନେ ମଞ୍ଚ ପ୍ରବେଶ କରିଥିଲେ। ପରେ ବମ୍‌କାଇ ଓ ଟସର ଶାଢ଼ି ପିନ୍ଧି ମଡେଲ୍‌ମାନେ ଆକର୍ଷଣୀୟ ଭଙ୍ଗୀରେ ଚାଲିଥିଲେ। ଫେସନ୍‌ ସୋ’ରେ ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଷୀ ଏବଂ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଲାସ୍ୟକଳା’ ନୃତ୍ୟାନୁଷ୍ଠାନର ଶିଳ୍ପୀମାନେ ସମ୍ବଲପୁରୀ ତଥା ଇକତ୍‌ ବସ୍ତ୍ର ପ୍ରଦର୍ଶନ କରିଥିଲେ। ଏହି ଅବସରରେ ବିଧାୟକ ପଦ୍ମନାଭ ବେହେରା, ବୟନିକାର ସଭାପତି ଶେଷ କୁମାର ମେହେର, ପରିଚାଳନା ନିର୍ଦେଶକ ବିଷ୍ଣୁ ପ୍ରସାଦ ମିଶ୍ର, ସମ୍ପାଦକ ଦେବରାଜ ସାହୁ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ ଯେ ହସ୍ତତନ୍ତ ମେଳାରେ ୨ ତାରିଖ ସୁଦ୍ଧା ୬.୫୦ କୋଟି ଟଙ୍କାର ବ୍ୟବସାୟ ହୋଇଥିବା ବେଳେ ବୟନିକାର ବ୍ୟବସାୟ ୧ କୋଟି ଟପିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର