ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା, ବର୍ଷକରେ ଗଡ଼ିଲାଣି ୪୩ ମୁଣ୍ତ

୧୧୩ ଦୁର୍ଘଟଣା, ୭୪ ଆହତ, ୧୩ ବ୍ଲାକସ୍ପଟ୍‌ରେ ଘଟୁଛି ଅଧିକାଂଶ ଦୁର୍ଘଟଣା

ଦ୍ରୁତଗତି ଓ ନିଶାସକ୍ତ ଗାଡ଼ି ଚାଳନା ନେଉଛି ଜୀବନ
ଭୁବନେଶ୍ବର: ରାଜଧାନୀ ଦେଇ ଯାଇଥିବା ଜାତୀୟ ରାଜପଥ ୧୬ ଏବେ ମରଣଯନ୍ତା ପାଲଟିଛି। ବାରମ୍ବାର ଦୁର୍ଘଟଣା ଯୋଗୁଁ ଲୋକମାନେ ଜାତୀୟ ରାଜପଥରେ ଗାଡ଼ି ଚଳାଇବାକୁ ଭୟ କଲେଣି। ଗତ ବର୍ଷକ ମଧ୍ୟରେ ମଞ୍ଚେଶ୍ବରରୁ ଖଣ୍ଡଗିରି ଥାନା ଦେଇ ଯାଇଥିବା ଏହି ଜାତୀୟ ରାଜପଥରେ ୧୧୩ଟି ଦୁର୍ଘଟଣାରେ ୪୩ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୭୪ଜଣ ଆହତ ହୋଇଛନ୍ତି। ଯେଉଁଥିରେ ୫୯ଟି ବଡ଼ ଦୁର୍ଘଟଣା ଓ ୫୪ଟି ଛୋଟ ଦୁର୍ଘଟଣା ରହିଛି। ତେବେ ସବୁଠାରୁ ଦୁର୍ଘଟଣାବହୁଳ ଥାନା ମଧ୍ୟରେ ଖଣ୍ଡଗିରି ରହିଥିବା ବେଳେ ପଛକୁ ମଞ୍ଚେଶ୍ବର, ସହିଦନଗର ଓ ନୂଆପଲ୍ଲୀ ଥାନା ରହିଛି। ଏହି ଜାତୀୟ ରାଜପଥରେ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନକୁ ବ୍ଲାକସ୍ପଟ ଚିହ୍ନଟ କରାଯାଇଛି। ଖଣ୍ଡଗିରି ଛକ, ଫାୟାର ଷ୍ଟେସନ୍‌ ଛକ, ସମାନ୍ତରାଳ ଭାବେ ଓଭରବ୍ରିଜ୍ ଉପର, ସିଆରପି ଛକ, କ୍ରାଉନ୍‌ ହୋଟେ୍‌ଲ ସମ୍ମୁଖ, ଜୟଦେବ ବିହାର ଓଭରବ୍ରିଜ୍‌ ଉପର, ଆଚାର୍ଯ୍ୟବିହାର ଛକ, ବାଣୀବିହାର ଓଭରବ୍ରିଜ୍, ସତ୍‌ସଙ୍ଗ ସମ୍ମୁଖ, ପଳାଶୁଣୀ, ପାଣ୍ଡରା, ଗଙ୍ଗୁଆ ବ୍ରିଜ୍, ହଂସପାଳ ଆଦି ସ୍ଥାନଗୁଡ଼ିକୁ ବ୍ଲାକସ୍ପଟ ଭାବେ ଚିହ୍ନଟ କରାଯାଇଛି। ବ୍ଲାକସ୍ପଟ ଚିହ୍ନଟ ପରେ ଦୁର୍ଘଟଣାକୁ ରୋକିବା ନେଇ ସରକାର ଯେତେ ଯୋଜନା କଲେ ମଧ୍ୟ ସଫଳ ହୋଇପାରୁ ନାହିଁ। ଯାହାକୁ ନେଇ ପୁଲିସଠାରୁ ଆରମ୍ଭ କରି ଏନ୍‌ଏଚ୍‌ଏଆଇ କର୍ତୃପକ୍ଷ ଚିନ୍ତା ପ୍ରକଟ କଲେଣି। ଦୁର୍ଘଟଣାର ମୁଖ୍ୟ କାରଣ ଦ୍ରୁତଗତି ଓ ନିଶାସକ୍ତ ଅବସ୍ଥା‌ରେ ଗାଡ଼ି ଚଳାଇବା। ତେବେ ଦିନ ଅପେକ୍ଷା ରାତିରେ ଅଧିକାଂଶ ଦୁର୍ଘଟଣା ଘଟୁଥିବା ଜଣାପଡ଼ିଛି। ପ୍ରାୟତଃ ଯୁବବର୍ଗର ଚାଳକମାନେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରୁଛନ୍ତି। କାରଣ ଯୁବବର୍ଗର ଚାଳକମାନେ ରାତିରେ ନିଶାସକ୍ତ ଅବସ୍ଥାରେ ପୁଣି ବିନା ହେଲ୍‌ମେଟ୍‌ରେ ଦ୍ରୁତ ଗତିରେ ଗାଡ଼ି ଚଳାଉଛନ୍ତି। ଓଭରବ୍ରିଜ ହେତୁ ଚାଳକମାନେ ଗତିରେ ନିୟନ୍ତ୍ରଣ ହରାଇ ମନଇଚ୍ଛା ସ୍ପିଡ୍‌ରେ ଗାଡ଼ି ଚଲାଉଛନ୍ତି। ଗାଡ଼ି ତଳକୁ ଖସିବା ବେଳକୁ ଚାଳକମାନେ ନିୟନ୍ତ୍ରଣ ହରାଇ ଦୁର୍ଘଟଣା ଘଟାଉଛନ୍ତି। ରାସ୍ତାକଡ଼ରେ ବାଲି ଜମା ହୋଇ ରହିବା ଓ ରଙ୍ଗ ସାଇଡ୍‌ରେ ଗାଡ଼ି ଚଳାଇବା ଯୋଗୁଁ ମଧ୍ୟ କେତେକ ଦୁର୍ଘଟଣା ଘଟୁଛି। ଜାତୀୟ ରାଜପଥରେ ଦୀର୍ଘ ଦିନ ଧରି ବାଲି ଜମା ହେଉଥିଲେ ମଧ୍ୟ ତାହା ସଫା କରାଯାଉ ନାହିଁ। ବାଲି ଯୋଗୁଁ ଚକା ସ୍ଲିପ୍‌ ହୋଇ ଦୁର୍ଘଟଣା ଘଟୁଛି। ସେହିପରି ରାଜଧାନୀକୁ ଆସୁଥିବା ବାହାର ଲୋକମାନେ ମଧ୍ୟ ଟ୍ରାଫିକ୍ ନିୟମ ନ ଜାଣିପାରି ଦୁର୍ଘଟଣାର ଶିକାର ହେଉଛନ୍ତି। ପଳାଶୁଣୀ, ହସଂପାଳ ଓ ରସୁଲଗଡ଼ ଓଭରବ୍ରିଜ୍‌ ମଞ୍ଚେଶ୍ବର ଥାନା ପାଇଁ ଦୁର୍ଘଟଣା ପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ ହୋଇଛି। ଖଣ୍ଡଗିରି ଥାନା ପରେ ରାଜଧାନୀରେ ମଞ୍ଚେଶ୍ବର ଥାନା ଅଧୀନ ଜାତୀୟ ରାଜପଥ ଏବେ ଦୁର୍ଘଟଣାପ୍ରବଣ ଅଞ୍ଚଳ ପାଲଟି ଯାଇଛି। ବିଶେଷକରି ରସୁଲଗଡ଼ ଓଭରବ୍ରିଜ, ପଳାଶୁଣୀ, ସତ୍ୟବିହାର ଛକ, ହାଇଟେକ ଗଡ଼, ହଂସପାଳ ଛକ ଏବେ ମରଣଯନ୍ତା ପାଲଟିଛି। ମଞ୍ଚେଶ୍ବର ଥାନା ଦେଇ ଯାଇଥିବା ଜାତୀୟ ରାଜପଥରେ ୧୮ଟି ବଡ଼ ଓ ୧୨ଟି ଛୋଟ ଦୁର୍ଘଟଣା ଯୋଗୁଁ ୧୫ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଲୋକ ଆହତ ହୋଇଛନ୍ତି।

୧୦ ଦିନରେ ୫ ଜଣଙ୍କ ମୃତ୍ୟୁ
ଗତ ୧୦ ଦିନ ମଧ୍ୟରେ ରାଜଧାନୀରେ ୮ଟି ସ୍ଥାନରେ ଦୁର୍ଘଟଣା ଘଟି ୫ ଜଣଙ୍କ ମୃତ୍ୟୁ ଘଟିଛି। ଯାହା ପୁଲିସ, ପରିବହନ ବିଭାଗ ଓ ଜାତୀୟ ରାଜପଥ କର୍ତୃପକ୍ଷଙ୍କୁ ଚିନ୍ତାରେ ପକାଇ ଦେଇଛି। ଏତେ ସବୁ ଯୋଜନା ସତ୍ତ୍ବେ କାହିଁକି ଦୁର୍ଘଟଣା ଘଟୁଛି ତାକୁ ନେଇ ଚିନ୍ତା ବଢ଼ିଛି। ସୂଚନା ମୁତାବକ, ଗତ ୩ ତାରିଖ ରାତି ୧୧ଟା ବେଳେ ସତ୍‌ସଙ୍ଗ ବିହାର ସାମ୍ନା ଜାତୀୟ ରାଜପଥରେ ଏକ ଟ୍ରକ୍‌ ମାଡ଼ିଯିବାରୁ ଅନୁଗୁଳ ଜିଲ୍ଲା ପାଳଲହଡ଼ାର ଦୀପ୍ତିରଞ୍ଜନ ବାରିକଙ୍କ ମୃତ୍ୟୁ ହୋଇଥିଲା। ୫ତାରିଖ ଅପରାହ୍‌ଣ ୫ଟା ବେଳେ ଭିଏସ୍‌ଏସ୍‌ ନଗର ପ୍ରଭୁଜୀ ସ୍କୁଲ ସାମ୍ନାରେ ଦୁଇ ବାଇକ୍‌ ଧକ୍କା ହେବା ଫଳରେ ବାଲେଶ୍ବର ଜିଲ୍ଲା ସିମୁଳିଆର ତପନ ସାହୁଙ୍କ ମୃତ୍ୟୁ ହୋଇଥିଲା। ଧକ୍କା ଦେଇଥିବା ଅନ୍ୟ ବାଇକ୍‌ ଆରୋହୀ ଗୁରୁତର ଆହତ ହୋଇଥିଲେ। ୫ ତାରିଖ ରାତି ଗୋଟାଏ ବେଳେ ସିଆର୍‌ପି ଛକରେ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍‌ ଫୁଟ୍‌ପାଥ୍‌ରେ ପିଟି ହୋଇଯିବା ଫଳରେ ସୋନପୁରର ଆନନ୍ଦ ମେହେରଙ୍କ ମୃତ୍ୟୁ ହୋଇଥିଲା। ବାଇକ୍‌ରେ ବସିଥିବା ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଥିଲେ। ୬ ତାରିଖ ରାତି ୯ଟାରେ ଗଙ୍ଗୁଆ ବ୍ରିଜ୍‌ ଉପରେ ଏକ ଟ୍ରକ୍‌ ବାଇକ୍‌କୁ ପିଟିବାରୁ ଅନୁଗୁଳର ପ୍ରବୀର ଦେହୁରିଙ୍କ ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ରୋକିବା ପାଇଁ ଆମେ ବିଭିନ୍ନ ଯୋଜନା ଆପଣେଇଛୁ : ଡିସିପି
ବିଶେଷ କରି ଦ୍ରୁତଗତିରେ ଗାଡ଼ି ଚଳାଉଥିବା ଚାଳକ ଓ ନିଶାସକ୍ତ ଚାଳକଙ୍କ ଉପରେ ନଜର ରଖିଛୁ। ଏମାନେ ହିଁ ଦୁର୍ଘଟଣା ଘଟାଉଛନ୍ତି। ଆଗାମୀ ଦିନରେ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ। ସେହିପରି ଜାତୀୟ ରାଜପଥରେ ବ୍ଲାକସ୍ପଟ ଚିହ୍ନଟ କରାଯାଇଛି। ହେଲେ ଲୋକମାନେ ମଧ୍ୟ ଗାଡ଼ି ଚଳାଇବା ସମୟରେ ଟ୍ରାଫିକ୍ ନିୟମକୁ ମାନିବା ଆବଶ୍ୟକ। ସେମାନେ ସଚେତନ ହେଲେ ବହୁମାତ୍ରାରେ ଦୁର୍ଘଟଣା କମିପାରିବ ବୋଲି ଡିସିପି ଅନୁପ ସାହୁ କହିଛନ୍ତି।

ରାଜପଥରେ ଇଣ୍ଟରସେପ୍ଟର ଚେକିଂ ବ୍ୟବସ୍ଥା କଡ଼ାକଡ଼ି କରାଯିବ: ଆଞ୍ଚଳିକ ପରିବହନ ଅଧିକାରୀ
ବିଶେଷକରି ରାତି ସମୟରେ ଅଧିକାଂଶ ଦୁର୍ଘଟଣା ଘଟୁଛି। ଦ୍ରୁତ ଗାଡ଼ିଚାଳନା ଓ ନିଶାସକ୍ତ ଚାଳକଙ୍କ ଯୋଗୁଁ ଦୁର୍ଘଟଣା ଘଟୁଛି। ସେମାନଙ୍କ ଉପରେ କଡ଼ା ନଜର ପାଇଁ ଜାତୀୟ ରାଜପଥର ଅଧିକାଂଶ ସ୍ଥାନରେ ସିସିଟିଭି ଓ ସ୍ପିଡ୍‌ ଡିଟେକ୍ଟର ଲାଗିଛି। ଦ୍ରୁତଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ବାରମ୍ବାର ନିୟମ ଉଲଂଘନ କରୁଥିବା ଚାଳକଙ୍କ ଲାଇସେନ୍ସ ରଦ୍ଦ କରାଯିବ। ଦୁର୍ଘଟଣା କମ୍‌ କରିବା ପାଇଁ ବିଭିନ୍ନ ଯୋଜନା ମଧ୍ୟ କରାଯାଉଛି ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଦୀପ କୁମାର ମହାନ୍ତି କହିଛନ୍ତି। ଏହାଛଡ଼ା ରାଜପଥରେ ଇଣ୍ଟରସେପ୍ଟର୍‌ ଚେକିଂ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସତ୍‌ସଙ୍ଗ ବିହାର ଛକ ସହିଦନଗର ଥାନା ପାଇଁ କାଳ
ସହିଦନଗର ଥାନା ଅଧୀନ ସତସଙ୍ଗ ବିହାର ଛକ ଓ ଜାତୀୟ ରାଜପଥରୁ ଭିଏସ୍ଏସ ନଗରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ଛକ ଏବେ ଦୁର୍ଘଟଣାସ୍ଥଳ ପାଲଟି ଯାଇଛି। ବିଶେଷକରି ଓଭରବ୍ରିଜ ଯେଉଁଠାରେ ମିଶୁଛି ସେଠାରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି। ଯାହା ସୂଚନା ମିଳିଛି, ସହିଦନଗର ଥାନା ଅଧୀନ ଜାତୀୟ ରାଜପଥରେ ୧୫ଟି ବଡ଼ ଦୁର୍ଘଟଣା ଓ ୭ଟି ଛୋଟ ଦୁର୍ଘଟଣା ଯୋଗୁଁ ୭ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ତାଲିକାରେ ଶେଷରେ ଥିବା ନୂଆପଲ୍ଲୀ ଥାନା ଜାତୀୟ ରାଜପଥରେ ୬ଟି ବଡ଼ ଦୁର୍ଘଟଣା ଓ ୧୦ଟି ଛୋଟ ଦୁର୍ଘଟଣା ଯୋଗୁଁ ୭ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ଜଣ ଆହତ ହୋଇଛନ୍ତି।

ଖଣ୍ଡଗିରି ଥାନା ଅଧୀନରେ ସର୍ବାଧିକ ଦୁର୍ଘଟଣା
ବର୍ଷକ ମଧ୍ୟରେ ଖଣ୍ଡଗିରି ଥାନା ଦେଇ ଯାଇଥିବା ଜାତୀୟ ରାଜପଥରେ ସର୍ବାଧିକ ୨୦ଟି ବଡ଼ ଓ ୨୫ଟି ଛୋଟ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଯୋଗୁଁ ୧୪ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୭ଜଣ ଆହତ ହୋଇଛନ୍ତି। ଖଣ୍ଡଗିରି ଥାନା ଅଧୀନ ଖଣ୍ଡଗିରି ଛକ, ଯାଁଳା, ପାତ୍ରପଡ଼ା, ତମାଣ୍ଡୋ ଛକରେ ଏଭଳି ଦୁର୍ଘଟଣା ଘଟୁଛି। ଜାତୀୟ ରାଜପଥରେ ଷ୍ଟ୍ରିଟ ଲାଇଟ ନ ଥିବା ସାଙ୍ଗକୁ ମଝିରେ ମଝିରେ ଥିବା କଟ୍ ପାଇଁ ଏହି ଦୁର୍ଘଟଣା ଘଟୁଛି।

ସମ୍ବନ୍ଧିତ ଖବର