ଜାତୀୟ ରାଜପଥରେ ବେଲଗାମ ଟ୍ରାଫିକ୍‌: ଡ୍ୟୁଟି ଛାଡ଼ି ମୋବାଇଲରେ ଗପୁଛନ୍ତି ଟ୍ରାଫିକ୍‌ ପୁଲିସ

ବରମୁଣ୍ଡା ଛକରେ ଟ୍ରାଫିକ ପୁଲିସ ନାଚାର

ଭୁବନେଶ୍ବର: ଭୁବନେଶ୍ବର ଦେଇ ଯାଇଥିବା ୨୦୩ ନମ୍ବର ଜାତୀୟ ରାଜପଥରେ ଏବେ ଟ୍ରାଫିକ୍‌ ସମସ୍ୟା ଉତ୍କଟ ରୂପ ଧାରଣ କଲାଣି। ଏକାଧିକ ଛକରେ ଟ୍ରାଫିକ୍‌ ପୁଲିସକୁ କେହି ମାନୁନାହାନ୍ତି। ଯିଏ ଯୁଆଡ଼େ ପାରିଲା ପଶିଲା। ସର୍ଭିସ୍‌ ରୋଡ୍‌ ଓ ରଙ୍ଗ ଡ୍ରାଇଭ କେତେକ ଛକ ପାଇଁ ସମସ୍ୟା ସୃଷ୍ଟି କରୁଛି। ଅନେକ ଛକରେ ପୁଲିସ ନାଚାର ହୋଇପଡ଼ୁଛି। ବାଧ୍ୟ ହୋଇ ପୁଲିସ ହାତ ଟେକି ଦେଉଛି। କେତେକ ଛକରେ ଟ୍ରାଫିକ୍‌ ସମସ୍ୟା ନ ଥାଇ ମଧ୍ୟ ଏକାଧିକ ପୁଲିସ କର୍ମଚାରୀଙ୍କୁ ଡ୍ୟୁଟି ଦିଆଯାଉଛି। ଫଳରେ ଜଣେ ସିଗନାଲ୍‌ ପରିଚାଳନା କରୁଥିବା ବେଳେ ଅନ୍ୟମାନେ ବାଇକ୍ ଉପରେ ବସି ମୋବାଇଲରେ ବ୍ୟସ୍ତ ରହୁଛନ୍ତି। ଖଣ୍ଡଗିରି ଛକର ଅବସ୍ଥା ସଂଘାତିକ। ଯିଏ ଯୁଆଡ଼େ ପାରିଲା ପଶିଲା। ଆଇଗିଣିଆ ଛକରେ ଟ୍ରାଫିକ୍‌ ପୁଲିସ ଜାଗାରେ ସିକ୍ୟୁରିଟି ଗାର୍ଡ ସିଗନାଲ ଦେଉଛନ୍ତି। ଜାତୀୟ ରାଜପଥରେ ଏଭଳି ଟ୍ରାଫିକ ବ୍ୟବସ୍ଥା କାରଣରୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଅନେକ ଏଥିରେ ମୃତ୍ୟୁବରଣ କରୁଥିବା ବେଳେ ଅନେକ ସାରା ଜୀବନ ପଙ୍ଗୁ ମଧ୍ୟ ହେ‌ଉଛନ୍ତି। ଜାତୀୟ ରାଜପଥର ଏହି ଛକଗୁଡ଼ିକର ଅବସ୍ଥା ସଂଧ୍ୟାରେ ଆହୁରି ସାଂଘାତିକ ହୋଇପଡ଼ୁଛି। ଗୋଟିଏ ଗୋଟିଏ ଛକ ପାର ହେବାକୁ ଅନେକ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି। ବଡ଼ କଥା ହେଉଛି, ଭୁବନେଶ୍ବର ଦେଇ ଯାଇଥିବା ଜାତୀୟ ରାଜପଥରେ ଦୁର୍ଘଟଣା ଓ ତତ୍‌ଜନିତ ମୃତ୍ୟୁ ହାର ମଧ୍ୟ ପ୍ରତ୍ୟେକ ବର୍ଷ ବଢ଼ି ବଢ଼ି ଚାଲିଛି। ଯାହାକୁ ନେଇ ମାନ୍ୟବର ସୁପ୍ରିମକୋର୍ଟ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଜାତୀୟ ରାଜପଥରେ ଥିବା କେତେକ ଛକକୁ ନେଇ ଆମେ ଅନୁଧ୍ୟାନ କରିଥିଲୁ। ଏ ସମ୍ପର୍କରେ ଏକ ରିପୋର୍ଟ…

ଆଇଗିଣିଆ ଛକରେ ସିଗନାଲ ଦେଉଛି ସିକ୍ୟୁରିଟି ଗାର୍ଡ
ଖଣ୍ଡଗିରି ଛକ ନିୟନ୍ତ୍ରଣରେ ନାହିଁ

ସିଆର୍‌ପି ଛକରେ ବାଇକ ଉପରେ ପୁଲିସ ବାବୁ
ମଧ୍ୟାହ୍ନ ପ୍ରାୟ ୧୨ଟା ହେବ। ଆମେ ଜାତୀୟ ରାଜପଥରେ ଥିବା ଛକର ଟ୍ରାଫିକ ପରିଚଳାନା ଦେଖିବାକୁ ସିଆରପି ଛକରେ ପହଞ୍ଚିଥିଲୁ। ସେଠାରେ ସେତେବେଳେ ଜଣେ ହୋମଗାର୍ଡ ଡ୍ୟୁଟିରେ ଥିଲେ। ଅନ୍ୟ ୩ ଜଣ ପୁଲିସ ବାବୁ ଦୁଇଟି ବାଇକ ଉପରେ ବସି ମୋବାଇଲ ଫୋନରେ ଗପିବା ଓ ଚାଟିଂରେ ବ୍ୟସ୍ତ ଥିଲେ। ଟ୍ରାଫିକ ପରିଚାଳନା କରୁଥିବା ହୋମଗାର୍ଡଙ୍କ ସିଗନାଲ କେହି ମାନୁଥାନ୍ତି ଆଉ କେହିକେହି ମନ ଇଚ୍ଛା ଯିଏ ଜୁଆଡ଼େ ପାରିଲେ ଚାଲି ଯାଉଥାନ୍ତି।

ହୋମ୍‌ଗାର୍ଡଙ୍କ କଥା କେହି ଶୁଣୁ ନାହାନ୍ତି
ଏହା ପରେ ଆମେ ସିଧା ପହଞ୍ଚିଥିଲୁ ବରମୁଣ୍ଡା ଛକରେ। ବରମୁଣ୍ଡା ବସଷ୍ଟାଣ୍ଡରୁ ଏହି ସମୟରେ ବସ ବାହାରି ଖୋର୍ଧା ଆଡ଼କୁ ଯାଉଥାଏ। ବସ ଚାଳକମାନେ ସେହି ଛକ ଉପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଠିଆ ହୋଇ ଯାତ୍ରୀ ଉଠାଉଥାନ୍ତି। ଯାହା ଫଳରେ ଜାତୀୟ ରାଜପଥରେ ଗାଡ଼ି ମୋଟର ଜାମ ହୋଇ ଯାଉଥାଏ। ଏହି ଭଳି ଭାବେ ଗୋଟିଏ ଗୋଟିଏ ପରେ ବସ ଷ୍ଟାଣ୍ଡରୁ ବାହାରିଲାବେଳେ ଟ୍ରାଫିକ ଜାମ ଅବସ୍ଥା। ଗୋଲେଇ ଛକରୁ ଲମ୍ବା ହୋଇ ଗାଡ଼ି ମୋଟର ଲମ୍ବି ଯାଉଥାଏ ଜାତୀୟ ରାଜପଥରେ। ଗୋଲେଇ ଛକକୁ ଲାଗି କରି ଅଟୋ ଷ୍ଟାଣ୍ଡ। ସର୍ଭିସରୋଡରେ ବସ ଥୁଆ ହୋଇ ରହୁଛି। ଡ୍ୟୁଟିରେ ଦୁଇ ଜଣ ହୋମଗାର୍ଡ ଥିଲେ ମଧ୍ୟ କେହି ସେମାନଙ୍କ କଥା ଶୁଣୁନାହାନ୍ତି।

ଖଣ୍ଡଗିରି ଛକରେ ସର୍ଭିସ ରୋଡ୍‌ ଜାମ ବଢ଼ାଉଛି
ଜାତୀୟ ରାଜପଥରେ ଥିବା ଛକଗୁଡ଼ିକ ମଧ୍ୟରୁ ଖଣ୍ଡଗିରି ଛକ ଟ୍ରାଫିକ ଅବସ୍ଥା କମିସନରେଟ ପୁଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି। ବର୍ଷକ ବାର ମାସ ଏଠାରେ ଦୁର୍ଘଟଣା। ସର୍ଭିସରୋଡ୍‌ ମଧ୍ୟ ଜାମକୁ ଅଧିକ ବଢ଼ାଉଛି। ଭିଡ଼ରୁ ବର୍ତିବା ପାଇଁ ଏହି ରାସ୍ତାରେ ଆସୁଥିବା ଲୋକ ଖଣ୍ଡଗିରି ପାହାଡ଼ ପଟୁ ଆସୁଥିବା ଗାଡ଼ି ମୋଟର ଭିତରେ ପଶି ଆହୁରି ଜାମ କରାଉଛି। ପ୍ରତ୍ୟେକ ଦିନ ଟ୍ରାଫିକ ପୁଲିସ ପକ୍ଷରୁ ସର୍ଭିସରୋଡ୍‌ ଗାଡ଼ି ମୋଟର ଯାଞ୍ଚ କରାଯାଉଥିଲେ ମଧ୍ୟ ସଚେତନତା ଅଭାବରୁ ଏହି ଛକରେ ଏହି ସମସ୍ୟା ସୃଷ୍ଟି ହେଉଛି।

 ସିକ୍ୟୁରିଟି ଗାର୍ଡଙ୍କ ହାତରେ ଟ୍ରାଫିକ୍‌ ଦାୟିତ୍ବ
ଖଣ୍ଡଗିରି ଛକ ପରେ ପରେ ଏବେ ଆଇଗିଣିଆ ଛକରେ ସଂଧ୍ୟା ସମୟରେ ଅସମ୍ଭାଳ ଭିଡ ହେଉଛି। ସର୍ଭିସ ରୋଡରେ ଲୋକ ଆସି ଖଣ୍ଡଗିରି ପଟୁ ଯିବା ଚାହିଁଲାବେଳେ ଖୋର୍ଧା ପଟୁ ଦ୍ରୁତ ଗତିରେ ଭାରୀଯାନଗୁଡିକ ଆସୁଛି। ଏହା ସାଙ୍ଗକୁ ଛକଟି ଅନ୍ଧାକାରମୟ ଥିବାରୁ ଦୁର୍ଘଟଣା ମଧ୍ୟ ବଢ଼ିବାରେ ଲାଗିଛି। ଏଭଳି ଏକ ଛକରେ ଏବେ ଓଭରବ୍ରିଜ କାମ କରୁଥିବା ସିକ୍ୟୁରିଟି ଗାର୍ଡମାନେ ଟ୍ରାଫିକ ପରିଚାଳନା କରୁଛନ୍ତି। ଯାହାକୁ ନେଇ ବିଭିନ୍ନ ସମସ୍ୟା ମଧ୍ୟ ସୃଷ୍ଟି ହେଉଛି।

ଡ୍ୟୁଟି ଖିଲାପକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ: ପୁଲିସ କମିସନର
ଯେଉଁ ଟ୍ରାଫିକ ପୁଲିସ କର୍ମଚାରୀମାନେ ଡ୍ୟୁଟିରେ ଖିଲାପ କରୁଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୁଲିସ କମିସନର ସତ୍ୟଜିତ ମହାନ୍ତି। ତେବେ ଜାତୀୟ ରାଜପଥରେ ଜାମ ହେଉଥିବା କାରଣ ସମ୍ପର୍କରେ କମିସନର ଶ୍ରୀ ମହାନ୍ତି କହିଛନ୍ତି, ସହର ମଧ୍ୟ ଦେଇ ଜାତୀୟ ରାଜପଥ ଯାଇଛି। ଜାତୀୟ ରାଜପଥର ଦୁଇ ପାର୍ଶ୍ବରେ ବିଭିନ୍ନ ଅଞ୍ଚଳ ଓ କଲୋନି ରହୁଛି। ତେଣୁ ଏହି ସବୁ ଛକରେ ଏଭଳି ଭିଡ ପରିଲକ୍ଷିତ ହେଉଛି। ଟ୍ରାଫିକ ସମସ୍ୟା ଦୂର କରାଯିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ପୁଲିସ କମିସନର ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର