ନିଖୋଜ ମହିଳା ଓ ବାଳିକାଙ୍କ ଉଦ୍ଧାର ତଥା ମାନବ ଚାଲାଣ ପ୍ରସଙ୍ଗ: ଜାତୀୟ ମାନବାଧିକାର କମିସନଙ୍କ ରିପୋର୍ଟ ତଲବ

କଟକ: ବାହାର ରାଜ୍ୟକୁ ମହିଳା ଓ ବାଳିକାଙ୍କ ଚାଲାଣ ରୋକିବା ପ୍ରସଂଗରେ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପକୁ ନେଇ ଜାତୀୟ ମାନବାଧିକାର କମିସନ୍ ଅସନ୍ତୋଷବ୍ୟକ୍ତ କରିଛନ୍ତି। ଏହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଂଗ ହୋଇଥିବା ବେଳେ ମହିଳା ଓ ବାଳିକାଙ୍କ ଚାଲାଣ ବନ୍ଦ କରିବା ପାଇଁ ପୁଲିସ୍ ଡିଜି ଠୋସ୍ ପଦକ୍ଷେପ ଗ୍ରହଣ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବେ ବୋଲି କମିସନ୍ ନିର୍ଦ୍ଦେଶ ଦେଇଛନ୍ତି। ରେଲୱେ କର୍ତ୍ତୃପକ୍ଷ, ଆରପିଏଫ୍, ଏନଜିଓ, ଜିଆରପି ମିଳିତ ସହଯୋଗରେ ଏଥିପାଇଁ ପୁଲିସ୍ ପଦକ୍ଷେପ ଗ୍ରହଣ କରିବ। ଏ ପ୍ରସଂଗରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସଂପର୍କିତ ରିପୋର୍ଟ ୮ ସପ୍ତାହ ଭିତରେ କମିସନଙ୍କ ନିକଟରେ ଦାଖଲ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ଏଭଳି ମାନବ ଚାଲାଣ ସହିତ ମହିଳା ଓ ବାଳିକାଙ୍କ ନିଖୋଜ ଘଟଣାର ମୁକାବିଲା ପାଇଁ କ’ଣ ଦୀର୍ଘମିଆଦି ଯୋଜନା କରାଯାଇଛି ଓ ଏହାର କ’ଣ ଫଳାଫଳ ମିଳିଛି ସେ ନେଇ ଡିଜି କମିସନଙ୍କୁ ଅବଗତ କରିବେ। ହ୍ୟୁମାନ ରାଇଟ୍ସ ୱାଚ୍ ସଂପାଦିକା ସଂଗୀତା ସ୍ବାଇଁଙ୍କ ପକ୍ଷରୁ ଦାୟର ଅଭିଯୋଗର ଶୁଣାଣି କରି କମିସନ୍ ଏପରି ନିର୍ଦ୍ଦେଶ ଦେଇଛନ୍ତି। ପ୍ରତିବର୍ଷ ହଜାର ହଜାର ମହିଳା ଓ ବାଳିକା ନିଖୋଜ ହେଉଥିବା ବେଳେ ସେମାନଙ୍କ ପତ୍ତା ମିଳୁ ନାହିଁ। ରାଜ୍ୟ ବାହାରକୁ ପୀଡିତାଙ୍କୁ ବେଆଇନ ଭାବେ ଚାଲାଣ କରାଯାଉଛି। ନିଖୋଜ ହେଉଥିବା ବାଳିକା ଓ ମହିଳାଙ୍କୁ ଦେହବ୍ୟବସାୟରେ ନିୟୋଜିତ କରାଯିବାର ମଧ୍ୟ ସମ୍ଭାବନା ରହିଛି। ଏହାଦ୍ବାରା ପୀଡିତାଙ୍କ ମାନବାଧିକାର ଉଲ୍ଲଂଘନ ହେଉଛି। ଏଭଳି ହଜାର ହାଜର ଘଟଣା ହେଉଥିବା ବେଳେ ସରକାର ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ଅଭିଯୋଗରେ ଦର୍ଶାଯାଇଥିଲା। ଏହି ଘଟଣାରେ ରାଜ୍ୟ କ୍ରାଇମବ୍ରାଞ୍ଚ କମିସନଙ୍କ ନିକଟରେ ରିପୋର୍ଟ ଦାଖଲ କରି ଦର୍ଶାଇଥିଲା ଯେ ନିଖୋଜ ମହିଳା ଓ ବାଳିକାଙ୍କୁ ଉଦ୍ଧାର ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ୫୩୭ ଥାନାରେ ମହିଳା ଓ ଶିଶୁ ଡେସ୍କ ପ୍ରତିଷ୍ଠା କରାଯାଇଥିବା ବେଳେ ୩୭ଟି ଇଣ୍ଟିଗ୍ରେଟେଡ୍ ଆଣ୍ଟି ହ୍ୟୁମାନ ଟ୍ରାଫିକିଂ ୟୁନିଟ ଗଠନ କରାଯାଇଛି। ଏଥି ସହିତ ମହିଳାଙ୍କ ବିରୋଧରେ ଅପରାଧର ତଦନ୍ତ ପାଇଁ ତଦନ୍ତ ୟୁନିଟ ୨୨ଟି ଜିଲ୍ଲାରେ ଗଠନ କରାଯାଇଛି। ଅପରେସନ୍ ସ୍ମାଇଲ, ଅପରେସନ୍ ମୁସ୍କାନ, ଅପରେସନ୍ ପରୀ ଭଳି ଅଭିଯାନ ଦ୍ବାରା ନିଖୋଜ ଶିଶୁଙ୍କୁ ଉଦ୍ଧାର କରାଯାଉଛି। ମାନବ ଚାଲାଣ ରୋକିବା ପାଇଁ ସଚେତନତା ସୃଷ୍ଟି କରାଯାଉଛି।

ସମ୍ବନ୍ଧିତ ଖବର