ଭୁବନେଶ୍ୱର: ଏଏସ୍ବିଏମ୍ ବିଶ୍ୱବିଦ୍ୟାଳୟରେ ‘ପରିବର୍ତ୍ତନଶୀଳ ଜଗତରେ ନ୍ୟାୟପାଳିକାର ଭୂମିକା’ ଶୀର୍ଷକ ପ୍ରଥମ ଜାତୀୟ ଆଇନ୍ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସୁପ୍ରିମକୋର୍ଟର ପ୍ରାକ୍ତନ ଜଜ୍ ଅନଙ୍ଗ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ କହିଥିଲେ ମୌଳିକ ଅଧିକାରର ସୁରକ୍ଷା ପ୍ରଦାନ କରିବା ଦିଗରେ ନ୍ୟାୟପାଳିକାର ଯଥେଷ୍ଠ ଭୂମିକା ରହିଛି। ବର୍ତ୍ତମାନ ସମାଜର କେତେକ ସମ୍ବେଦନଶୀଳ ପ୍ରସଙ୍ଗରେ ବୁଦ୍ଧିମତାପୂର୍ଣ୍ଣ ଏବଂ ଆଇନଗତ ନିଷ୍ପତ୍ତି ପ୍ରଦାନ କରିବା ବେଳେ ନ୍ୟାୟପାଳିକାକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ପରିବେଶ ଜନିତ ନ୍ୟାୟିକ ସମସ୍ୟାର ସମାଧାନ ଦିଗରେ ଭାରତୀୟ ନ୍ୟାୟବିଧି ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ ବୋଲି ସେ କହିଥିଲେ।
ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଡ୍ଭୋକେଟ୍ ଜେନେରାଲ ଅଶୋକ କୁମାର ପରିଜା ବିଶ୍ୱର ଦ୍ରୁତ ପ୍ରଗତି ଓ ଆର୍ଟିଫିସିଆଲ ଇଣ୍ଟିଲ୍ଜେନ୍ସିର କାର୍ଯ୍ୟକାରିତା ଦିଗରେ ନ୍ୟାୟପାଳିକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତବ୍ୟକ୍ତ କରିଥିଲେ। ଦ୍ରୁତ ବାଣିଜ୍ୟିକ ପ୍ରଗତି ହେତୁ ଅଦାଲତ ସମୁହକୁ ବାଣିଜ୍ୟ ସମ୍ବଦ୍ଧୀୟ ବହୁ ମାମଲା ସମାଧାନ କରିବାକୁ ପଡୁଛି। ଏହାର ସମାଧାନ ବେଳେ ପ୍ରାନ୍ତୀୟ, ରାଷ୍ଟ୍ରୀୟ ଓ ସାମାଜିକ ଅର୍ଥନୀତିକୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ମଧ୍ୟ ସେ ମନ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଓଡ଼ିଶାର କୁଳପତି ପ୍ରଫେସର ବେଦ୍ କୁମାରୀ ବ୍ୟକ୍ତିଗତ ଗୋପନୀୟତା, ବିବାହ ଓ ଯୌତୁକ ଆଇନ ଏବଂ ବାଳ ଅପରାଧ ମାମଲା ସମ୍ବନ୍ଧୀୟ ନ୍ୟାୟିକ ନିଷ୍ପତ୍ତି ସମ୍ପର୍କରେ ଆଲୋକପାତ କରିଥିଲେ। ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା କୁଳାଧ୍ୟକ୍ଷ ପ୍ରଫେସର ବିଶ୍ୱଜିତ୍ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମର ଦ୍ବିତୀୟ ଅଧିବେଶନରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଓଡ଼ିଶାର କୁଳସଚିବ ପ୍ରଫେସର ରଙ୍ଗୀନ୍ ପଲ୍ଲବ ତ୍ରିପାଠୀ, ସୁପ୍ରିମକୋର୍ଟର ଆଡ୍ଭୋକେଟ୍ ଅବନୀ କୁମାର ସାହୁ ଓ ଅରୁନଭ ପଟ୍ଟନାୟକ ଏବଂ କଞ୍ଜୁମର ଡିସ୍ପୁଟ ରିଡ୍ରେସାଲ କମିସନ ସଭାପତି ଦେବାଶିଷ ନାୟକ ଯୋଗଦାନ କରିଥିଲେ।
ଏସ୍ଏସବିଏମ୍ ସ୍କୁଲ୍ ଅଫ୍ ଲ’ର ଡିନ୍ ତଥା ସଂଯୋଜକ ପ୍ରଫେସର୍ ବିନୟ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସହ-ସଂଯୋଜିକା ଡ. ଝରାଶ୍ରୀ ପାଇକରାୟ ଧନ୍ୟବାଦ ଦେଇଥିଲେ। ବିଶ୍ୱବିଦ୍ୟାଳୟର ଉପ କୁଳାଧ୍ୟକ୍ଷ ପ୍ରଫେସର୍ କଲ୍ୟାଣ ଶଙ୍କର ରାୟ, କୁଳପତି ପ୍ରଫେସର୍ ରଞ୍ଜନ କୁମାର ବଳ, ଉପକୁଳପତି ପ୍ରଫେସର ଫାଲଗୁ ନିରଞ୍ଜନା, ପ୍ରିନ୍ସିପାଲ ଡାଇରେକ୍ଟର୍ ପ୍ରଫେସର୍ ସ୍ମାରକୀ ପଟ୍ଟନାୟକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।