ଜାତୀୟସ୍ତରର କର୍ମଶାଳା ଉଦ୍‌ଯାପିତ

ଭୁବନେଶ୍ୱର: କୃପାଜଳ ଇଞ୍ଜିନିୟରିଂ କଲେଜ ଓ ଆଇସିଏଫ୍‌ଏଆଇ ବିଶ୍ବବିଦ୍ୟାଳୟ ମିଳିତ ଆନୁକୂଲ୍ୟ‌‌ରେ ଚାଲିଥିବା ‘ନୂ୍ଆ ଭାରତରେ ବୈଷୟିକ ଶିକ୍ଷାର ପରିବର୍ତ୍ତିତ ସ୍ଥିତି’ ଶୀର୍ଷକ ଜାତୀୟ କର୍ମଶାଳା ଉଦ୍‌ଯାପିତ ହୋଇଯାଇଛି। କୃପାଜଳ କ୍ୟାମ୍ପସରେ ହୋଇଥିବା ଏହି କର୍ମଶାଳାରେ ଉଦ୍‌ଯାପନୀ ସମାରୋହରେ ଆଇସିଏଫ୍‌ଏଆଇ ବିଶ୍ବବିଦ୍ୟାଳୟ କୁଳପତି ଡ. ଜଗନ୍ନାଥ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ କୃପାଜଳ ଚେୟାରମ୍ୟାନ୍‌ ଡ. ଭବାନୀ ଚରଣ ରଥ, କଲେଜ ଅଧ୍ୟକ୍ଷ ଡ. ନିରଞ୍ଜନ ମିଶ୍ର ଛାତ୍ରଛାତ୍ରୀମାନଙ୍କ ପ୍ରକଳ୍ପ ଆଧାରିତ ଶିକ୍ଷା ଉପରେ ଗୁରୁତ୍ବାରୋପ କରିଥିଲେ। ନିର୍ଦ୍ଦେଶକ ବିଭୂତି ଭୂଷଣ ରଥ ଧନ୍ୟବାଦ ଦେଇଥିଲେ। ଉଦ୍‌ଯାପନୀ ଉତ୍ସବରେ ବିଶେଷକରି ‘ଫାକଲ୍ଟି ଡେଭଲପ୍‌ମେଣ୍ଟ’ ଉପରେ ଆଲୋଚନା ହୋଇଥିଲା।

ସୁଧୁରୁନି ଶିବନଗର ସମସ୍ୟାପୁରୁଣା ଭୁବନେଶ୍ୱର,୧୩/୩(ଇମିସ): ଟଙ୍କପାଣି ରୋଡ୍‌ ନିକଟ ଶିବ ନଗରରେ ବିଭିନ୍ନ ସମସ୍ୟା ନେଇ ସ୍ବର ଉତ୍ତୋଳନ କରିଛି ସ୍ଥାନୀୟ ଶିବନଗର ଆବାସିକ ସମିତି। ସ୍ଥାନୀୟ ଅଞ୍ଚଳରେ ସ୍ବେରେଜ୍‌, ଡ୍ରେନେଜ୍‌ ସମସ୍ୟା ରହିଥିଲେ ମଧ୍ୟ ଏଥିପ୍ରତି ଗୁରୁତ୍ବ ଦିଆଯାଉ ନାହିଁ। ଦୟା ପଶ୍ଚିମ କେନାଲ୍‌ରୁ ଦଳ ସଫା ହେଉ ନଥିବାରୁ ମଶା ସମସ୍ୟା ଲାଗି ରହୁଛି। ଏପରି ଅସ୍ବାସ୍ଥ୍ୟକର ପରିବେଶ ଯୋଗୁ ବିଭିନ୍ନ ସମୟରେ ସ୍ଥାନୀୟ ବାସିନ୍ଦା ରୋଗାକ୍ରାନ୍ତ ହେଉଛନ୍ତି। ବର୍ଷକରେ ଥରେ ବି ମଶା ଧୂଆଁ ଦିଆଯାଉ ନାହିଁ। ଏପରିକି ରାସ୍ତାରେ ଗଦା ହେଉଥିବା ଆବର୍ଜନା ସଫା ହେଉ ନାହିଁ ବୋଲି ସମିତି ପକ୍ଷରୁ ଅଭିଯୋଗ କରାଯାଇଛି। ସବୁଠାରୁ ବଡ଼କଥା ହେଉଛି ଐତିହସ୍ୟ ସମ୍ପନ୍ନ ଚିଲିପୋଖରୀକୁ ଜବରଦଖଲକାରୀଙ୍କ କବ୍‌ଜାରୁ ମୁକ୍ତ କରାଯାଉ ନାହିଁ। ଏ ନେଇ ସମିତି ପକ୍ଷରୁ ୨୦୧୬ରେ ତତ୍କାଳୀନ ମୁଖ୍ୟ ଶାସନ ସଚିବଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରାଯାଇଥିଲା। ମୁଖ୍ୟ ଶାସନ ସଚିବ ମଧ୍ୟ ତୁରନ୍ତ ପଦକ୍ଷେପ ନେବାକୁ ଚିଠି କରିଥିଲେ। ମାତ୍ର ଜବରଦଖଲ ଉଚ୍ଛେଦ ନେଇ ଏଯାଏ କୌଣସି ପଦକ୍ଷେପ ନିଆଯାଇ ନାହିଁ ବୋଲି ସମିତି ପକ୍ଷରୁ କୁହାଯାଇଛି। ସେହିପରି ଟଙ୍କପାଣି ଓ ଶିବନଗର ରାସ୍ତାର ପ୍ରବେଶ ପଥରେ ଅସାମାଜିକ ବ୍ୟକ୍ତିମାନେ ଟ୍ରାଫିକ୍‌ ନିୟମକୁ ଉଲ୍ଲଂଘନ କରି ଗାଡ଼ି ପାର୍କିଂ କରୁଛନ୍ତି। ଫଳରେ ସ୍ଥାନୀୟ ଲୋକଙ୍କ ଯାତାୟାତରେ ସମସ୍ୟା ହେଉଛି। ସ୍ଥାନୀୟ ପୁଲିସ ଏ ନେଇ ପଦକ୍ଷେପ ନେବାକୁ ସମିତି ସଭାପତି ଶରତ ଚନ୍ଦ୍ର ପ୍ରଧାନ, ଯୁଗ୍ମ ସମ୍ପାଦକ ପ୍ରବୀଣ ମହାନ୍ତି, ବ୍ରଜବନ୍ଧୁ ବିଶ୍ବାଳ ଓ ସଭ୍ୟମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର