ଜାତୀୟ ଗ୍ରନ୍ଥାଗାରିକ ଦିବସ

ଭୁବନେଶ୍ୱର: ରାଜ୍ୟରେ ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ସମାଜର ଉନ୍ନତି ଓ ବିଦ୍ୟାଳୟଠାରୁ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷାର ପ୍ରଗତିରେ ପାଠାଗାରର ଭୂମିକା ଗୁରୁତ୍ବପୂର୍ଣ୍ଣ। ପାଠାଗାର ଆନ୍ଦୋଳନର ଜନକ ଡ. ଏସ୍. ଆର. ରଙ୍ଗନାଥନ୍‌ଙ୍କ ଜୟନ୍ତୀ ତଥା ରାଜ୍ୟ ମହାବିଦ୍ୟାଳୟ ଗ୍ରନ୍ଥାଗାରିକ ସଂଘ ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ଜାତୀୟ ଗ୍ରନ୍ଥାଗାରିକ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଆଜି ଏହା କହିଛନ୍ତି। ଜୟଦେବ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର(ମଧ୍ୟ) ବିଧାୟକ ତଥା ସଂଘର ସଭାପତି ଅନନ୍ତ ନାରାୟଣ ଜେନା ସଭାପତିତ୍ୱ କରିଥିଲେ। ଅବସରପ୍ରାପ୍ତ ଗ୍ରନ୍ଥାଗାରିକ ଡ. ବନବିହାରୀ ଶୁକ୍ଳା ମୁଖ୍ୟବକ୍ତା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ, ଓୟୁଏଟି ମୁଖ୍ୟ ଗ୍ରନ୍ଥାଗାରିକ ରବୀନ୍ଦ୍ର ମହାପାତ୍ର ଓ ସଂଘର ପ୍ରତିଷ୍ଠାତା ଅର୍ଜୁନ କୁମାର ଜେନା, ପି.ଏନ କଲେଜ ଅଫ୍ ଲାଇବ୍ରେରି ସାଇନସର ଅଧ୍ୟକ୍ଷ ଲଲାଟେନ୍ଦୁ କେଶରୀ ଭୋଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଗ୍ରନ୍ଥାଗାରର ବିକାଶ ପ୍ରତି ଯତ୍ନଶୀଳ ହେବା ସହ ପାଠକମାନଙ୍କ ନିକଟତର ହେବାକୁ ଗ୍ରନ୍ଥାଗାରିକମାନଙ୍କୁ ଅତିଥିମାନେ ଆହ୍ୱାନ ଦେଇଥିଲେ। ବିଭିନ୍ନ ମହାବିଦ୍ୟାଳୟର ସେବାନିବୃତ୍ତ ଓ ସେବାରତ ବିଶିଷ୍ଟ ଲାଇବ୍ରେରିଆନ୍‌ମାନଙ୍କୁ ସମ୍ବର୍ଧିତ କରାଯାଇଥିଲା। ସଂଘର କାର୍ଯ୍ୟକାରୀ ସଭାପତି ହୃଷୀକେଶ ମିଶ୍ର ଅତିଥିମାନଙ୍କୁ ଆମନ୍ତ୍ରଣ କରିଥିବା ବେଳେ ନନ୍ଦକିଶୋର ଧୀର ଅତିଥି ପରିଚୟ ଦେଇଥିଲେ। ସଂପାଦକ ପ୍ରଦୀପ୍ତ କୁମାର ସାହୁ ସଂପାଦକୀୟ ବିବରଣୀ ପାଠ କରିଥିଲେ। ସହ-ସଂପାଦକ କୃଷ୍ଣଚନ୍ଦ୍ର ପ୍ରଧାନ, ଆଦିତ୍ୟ କୁମାର ମିଶ୍ର, ଶିବଚରଣ ସାହୁ, ସୁଶାନ୍ତ ରାଉତ, ଦୀନବନ୍ଧୁ ପରିଡ଼ା, ବିଜୟ ଧଳ, ଲଲାଟ କିଶୋର ମହାନ୍ତି, ହିମାଂଶୁ ଶେଖର ଚମ୍ପତ୍ତିରାୟ, ପ୍ରବୋଧ ଜେନା, ରତିକାନ୍ତ ଓଝା, ଅଭିମନ୍ୟୁ ସାମଲ ଓ ଭବେଶ ନାୟକ ପ୍ରମୁଖ ସହଯୋଗ କରିଥିଲେ। ଶାଶ୍ୱତ ରଂଜନ ପ୍ରଧାନ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର