ଭୁବନେଶ୍ୱର: ଜି-୨୦ ଅଧୀନରେ କିଟ୍‌ ବିଶ୍ୱବିଦ୍ୟାଳୟରେ ଚାଲୁଥିବା ୱାଇ-୨୦ କନ୍‌ସଲ୍‌ଟେସନ୍‌ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ଜାତୀୟ ଗଣମାଧ୍ୟମର ୩୫ରୁ ଊର୍ଦ୍ଧ୍ୱ ପ୍ରତିନିଧି ଓଡ଼ିଶାର ବିଭିନ୍ନ ଐତିହ୍ୟସ୍ଥଳ ପରିଦର୍ଶନ କରିଛନ୍ତି। ବିଶ୍ୱ ଐତିହ୍ୟ ଦିବସ ପରିପ୍ରେକ୍ଷୀରେ ଗଣମାଧ୍ୟମ ପ୍ରତିନିଧିମାନେ ଭୁବନେଶ୍ୱର, ପୁରୀ ଓ କୋଣାର୍କ ଆଦି ସ୍ଥାନ ବୁଲି ଦେଖିଥିଲେ। କିଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଥିଲା। ଗଣମାଧ୍ୟମ ପ୍ରତିନିଧିମାନେ ପର୍ଶୁରାମେଶ୍ୱର ମନ୍ଦିର, ମୁକ୍ତେଶ୍ୱର ଓ କାର୍ତ୍ତିକେଶ୍ୱର ମନ୍ଦିର ପରିଦର୍ଶନ କରିଥିଲେ। ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରିଚୀ କୁଣ୍ଡ, ପର୍ଶୁରାମେଶ୍ୱର ମନ୍ଦିରରେ ରେଖା ଦେଉଳ, ପିଢ଼ା ଦେଉଳ ଓ ଖାକ୍ରା ଦେଉଳ ଢାଞ୍ଚାରେ ନିର୍ମାଣ କରାଯାଇଥିବା ମନ୍ଦିର କାରୁକାର୍ଯ୍ୟ ବିଷୟରେ ସେମାନେ ଅବଗତ ହୋଇଥିଲେ। ସେହିପରି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରି ସମସ୍ତ ପ୍ରତିନିଧି ସନ୍ତୋଷ ବ୍ୟକ୍ତ କରିବା ସହ ଓଡ଼ିଶା ଉତ୍କୃଷ୍ଟ କଳା, ଭାସ୍କର୍ଯ୍ୟ ଓ ଐତିହ୍ୟର ପ୍ରଶଂସା କରିଥିଲେ।