କିମ୍‍ସରେ ଯକୃତ ଓ ପାଚନ ରୋଗ ଉପରେ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର: ଯକୃତ ଓ ପାଚନ ରୋଗ ଉପରେ ଦୁଇ ଦିନିଆ ଜାତୀୟ ସମ୍ମିଳନୀ କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡିକାଲ୍‍ ସାଇନ୍‍ସେସ୍‍ (କିମ୍‍ସ) ପରିସରରେ ଶନିବାର ଉଦ୍‍ଘାଟିତ ହୋଇଯାଇଛି। କିମ୍‍ସର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଓ ହେପାଟୋଲୋଜି ବିଭାଗ ପକ୍ଷରୁ ଆୟୋଜିତ ଏହି ସମ୍ମଳନୀ ‘କିମ୍‍ସ ପର୍‍ସ୍ପେକ୍ଟିଭ ଅଫ୍‍ ଲିଭର ଆଣ୍ଡ ଡାଇଜେଷ୍ଟିଭ୍‍ ଡିଜିଜେସ୍‍’ (କେପିଏଲ୍‍ଡି)ରେ ଦିଲ୍ଲୀ, ହାଇଦ୍ରାବାଦ, ଚଣ୍ଡିଗଡ଼, ମୁମ୍ବାଇ ଆଦି ଦେଶର ବିଭିନ୍ନ ସ୍ଥାନରୁ ବିଶିଷ୍ଟ ଯକୃତ ଓ ପାଚନ ରୋଗ ବିଶେଷଜ୍ଞମାନେ ଯୋଗ ଦେଇଛନ୍ତି। ଆଜି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି ସମ୍ମିଳନୀକୁ ଉଦ୍‍ଘାଟନ କରିଥିବା ବେଳେ ଡା. ବିଷ୍ଣୁ ପାଣିଗ୍ରାହୀ, ମେଜର ଜେନେରାଲ୍‍ ଡା. ପି.କେ ପଟ୍ଟନାୟକ, ଡା. ଏ ସି ଆନନ୍ଦ ଓ ଡା ମିହିର ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମିଳନୀରେ ୧୧ଟି ଇଣ୍ଟରଆକ୍ଟିଭ ଅଧିବେଶନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିରେ ଗତ ୬ରୁ ୧୨ ମାସ ମଧ୍ୟରେ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଏବଂ ଯକୃତ ଓ ପାଚନ ରୋଗ କ୍ଷେତ୍ରରେ ରୋଗ ନିରୂପଣ ଓ ନିରାକରଣର ନୂତନ ଜ୍ଞାନ କୌଶଳ ସଂପର୍କରେ ଆଲୋଚନା ହେବ। ସମ୍ମିଳନୀରେ ଯୋଗ ଦେଇଥିବା ପ୍ରତିନିଧିମାନେ ଡା. ଜେ.ବି ଦିଲାୱାରୀ, ଡା. ମନୁ ଟଣ୍ଡନ ଓ ଡା. ଏମ୍‍.କେ ଗୋଏଙ୍କାଙ୍କ ଭଳି ଭାରତର ବିଶିଷ୍ଟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଶେଷଜ୍ଞଙ୍କ ସହ ଆଲୋଚନା କରିବାର ସୁଯୋଗ ପାଇପାରିବେ। କିଟ୍‍ ବିଶ୍ୱବିଦ୍ୟାଳୟର ଉପକୁଳାଧିପତି ତଥା ଦେଶର ବିଶିଷ୍ଟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଶେଷଜ୍ଞ ପଦ୍ମଶ୍ରୀ ଡା. ସୁବ୍ରତ ଆଚାର୍ଯ୍ୟ ଓ କିମ୍‍ସର ପ୍ରଫେସର ଏମିରେଟସ୍‍ ଡା. ୱାଇ.କେ ଚାୱଲାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସମ୍ମିଳନୀ ଅନୁଷ୍ଠିତ ହେଉଥିବା ବେଳେ ପୂର୍ବ ଭାରତରେ କିମ୍‍ସକୁ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି, ଯକୃତ ଓ ପାଚନ ରୋଗ ଚିକିତ୍ସା ଓ ଗବେଷଣା କ୍ଷେତ୍ରରେ ଏକ ହବ୍‍ରେ ପରିଣତ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଡା. ଆଚାର୍ଯ୍ୟ ପ୍ରକାଶ କରିଛନ୍ତି। ଏହି ଅବସରରେ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଏବଂ ହେପାଟୋଲୋଜି ଉପରେ ବେଙ୍ଗାଲୁରୁର ଡା. ନରେଶ ଭଟ୍ଟ ଏବଂ କିମ୍‍ସ ଗ୍ୟାଷ୍ଟୋଏଣ୍ଡେରୋଲୋଜି ଓ ହେପାଟୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଏ.ସି ଆନନ୍ଦଙ୍କ ଦ୍ୱାରା ସଂପାଦିତ ପୁସ୍ତକ ‘ପ୍ରୋଗ୍ରେସ ଇନ୍‍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଓ ହେପାଟୋଲୋଜି-୨୦୧୯’ ଉନ୍ମୋଚିତ ହୋଇଥିଲା।

ସମ୍ବନ୍ଧିତ ଖବର