‘ଅଭିନେତାଙ୍କ ଗୁଟଖା ବ୍ରାଣ୍ଡିଙ୍ଗ ପାଇଁ ବି ବଢୁଛି ମୁଖଗହ୍ୱର କର୍କଟ’

ଭୁବନେଶ୍ୱର: ବିଭିନ୍ନ ଗୁଟଖା କମ୍ପାନି ପାଇଁ ବିଜ୍ଞାପନ କରୁଥିବା ଅଭିନେତାମାନଙ୍କୁ ଦେଖି ଲୋକଙ୍କ ଭିତରେ ଏସବୁ ଖାଇବାକୁ ଇଚ୍ଛା ହେଉଛି | ଫଳସ୍ୱରୂପ ଲଗାତାର ଗୁଟଖା ଖାଇବା ଦ୍ୱାରା ମୁଖଗହ୍ଵର କର୍କଟ ବଢ଼ିବାରେ ଲାଗିଛି | ନ୍ୟାସନାଲ ଓରାଲ ମେଡ଼ିସିନ ଆଣ୍ଡ ରେଡିଓଲୋଜି ଦିବସ ଅବସରରେ କିଛି ଏଭଳି କଥା କହିଛନ୍ତି ଖ୍ୟାତିସମ୍ପନ୍ନ ମୁଖଗହ୍ଵର କର୍କଟ ରୋଗ ବିଶେଷଜ୍ଞ | ଇନଷ୍ଟିଚ୍ୟୁଟ ଅଫ ଡେଣ୍ଟାଲ ସାଇନ୍ସର ଓରାଲ ମେଡିସିନ ଓ ରେଡିଓଲୋଜି ବିଭାଗ ପକ୍ଷରୁ ମୁଖଗହ୍ୱର କର୍କଟକୁ ନେଇ ଏକ କର୍ମଶାଳା ଆୟୋଜିତ ହୋଇଥିଲା |

ଏଥିରେ ସମାଜସେବୀ ବଦ୍ରୀନାଥ ମିଶ୍ର ଓ ଡ଼.ମହମ୍ମଦ ଇମ୍ରାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ | ଡ଼.ମହମ୍ମଦ କହିଥିଲେ ଯେ ଛୋଟପିଲାଙ୍କ ହାତରେ ଗୁଟଖା ସହ ଅଭିନେତାମାନେ ଯେଭଳି ଭାବରେ ଗୁଟଖା ବିଜ୍ଞାପନ କରୁଛନ୍ତି ସେଥିପାଇଁ ମୁଖଗହ୍ଵର କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି | ଅନ୍ୟମାନଙ୍କ ମଧ୍ୟରେ ଡ଼.ଉଜ୍ଜ୍ୱଳ ରାମାନୁପମ ତ୍ରିପାଠୀ, ପ୍ରଫେସର ଡ଼.ନିତା ମହାନ୍ତି, ପ୍ରଫେସର ଡ଼.ସତ୍ୟରଞ୍ଜନ ମିଶ୍ର ପ୍ରମୁଖ ମୁଖଗହ୍ଵର କର୍କଟ ବଢିବାକୁ କିଭଳି ରୋକିହେବ ସେବାବଦରେ କହିଥିଲେ | ଏହି କର୍ମଶାଳାକୁ ଡ଼.ରୁପ୍ସା ଦାସ, ଡ଼.ସ୍ମିତା ପ୍ରିୟଦର୍ଶିନୀ, ଡ଼.ସନତ କୁମାର ଭୂୟାଁ, ଡ଼.ରଜତ ପାଣିଗ୍ରାହୀ, ଡ଼.ଅଭିଷେକ ରଞ୍ଜନ ପତି, ଡ଼.ବସନ୍ତ ଚୌଧୁରୀ ଆୟୋଜନ କରିଥିଲେ | ସେହିପରି ଡ଼.ପୁର୍ବାସା ନାୟକ ମେମୋରିଆଲ ପୁରସ୍କାର ଡ଼. ଦୀନେଶ ସେନାପତି ଓ ଡ଼.ମେଘନା ସିଂହଙ୍କୁ ପ୍ରଦାନ କରାଯାଇଥିଲା | ସୂଚନା ଥାଉ କି ଭାରତରେ ଦିନକୁ ଦିନ ମୁଖଗହ୍ୱର କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି |

ଏକ ରିପୋର୍ଟ ମୁତାବକ ଭାରତରେ ପ୍ରତି ଏକ ଲକ୍ଷ ଲୋକଙ୍କ ମଧ୍ୟରୁ ୨୦ ଜଣ ମୁଖଗହ୍ୱର କର୍କଟରେ ପୀଡିତ ହେଉଥିବାବେଳେ ପ୍ରତି ଘଣ୍ଟାରେ ୫ ଜଣଙ୍କର ଏହି କର୍କଟ ଯୋଗୁଁ ମୃତ୍ୟୁ ଘଟୁଛି | ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ମୁଖଗହ୍ୱର କର୍କଟ ରୋଗୀଙ୍କ ସଂଖ୍ୟା ଅଧିକ ମାତ୍ରାରେ ଥିବାବେଳେ ସଚେତନତା ଅଭାବରୁ ଠିକ ସମୟରେ କର୍କଟ ବାବଦରେ ରୋଗୀ ଜାଣିପାରିନଥାଏ | ଆଉ ମୁଖଗହ୍ୱର କର୍କଟ ବାବଦରେ ଲୋକଙ୍କୁ ସଚେତନ କରିବା ପାଇଁ ଏପ୍ରିଲ ମାସକୁ ମୁଖକର୍କଟ ସଚେତନତା ମାସ ଭାବରେ ପାଳନ କରାଯାଏ |

ସମ୍ବନ୍ଧିତ ଖବର