ଓୟୁଡବ୍ଲୁଜେ ପକ୍ଷରୁ ଜାତୀୟ ପ୍ରେସ୍‌ ଦିବସ, ଗଣତନ୍ତ୍ରର ବିପତ୍ତି ସମୟରେ ଗଣମାଧ୍ୟମର ଭୂମିକା ଗୁରୁତ୍ବପୂର୍ଣ୍ଣ

ଭୁବନେଶ୍ବର: ଗଣତନ୍ତ୍ରକୁ ବିପତ୍ତି ପଡ଼ିଥିବା ବେଳେ ଗଣମାଧ୍ୟମ ହିଁ ଏହାକୁ ସଜାଡ଼ିବାରେ ଭୂମିକା ନେଇଛି। ଏବେ ବି ଗଣତନ୍ତ୍ର ଉପରେ ବାରମ୍ବାର ବିପଦ ଆସିବା ସହ ଅର୍ଥନୀତି କ୍ଷେତ୍ରରେ ମାନ୍ଦାବସ୍ଥା ଦେଖାଦେଇଛି। ଏହି ସନ୍ଧିକ୍ଷଣରେ ଗଣମାଧ୍ୟମ ଜାଗ୍ରତ ପ୍ରହରୀ ସାଜି ଗଣତନ୍ତ୍ରକୁ ପରିପୁଷ୍ଟ କରିବାରେ ଭୂମିକା ନେଇପାରିବ। ‘ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ’ (ଓୟୁଡବ୍ଲୁଜେ) ପକ୍ଷରୁ ରେଡ୍‌କ୍ରସ ଭବନରେ ଅନୁଷ୍ଠିତ ଜାତୀୟ ପ୍ରେସ୍‌ ଦିବସରେ ଅତିଥିମାନେ ଏପରି ବକ୍ତବ୍ୟ ରଖିଛନ୍ତି।

ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘର ସଭାପତି ସୁଜ୍ଞାନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଗଣତନ୍ତ୍ରର ୪ଟି ସ୍ତମ୍ଭ ମଧ୍ୟରୁ ଯଦି ଗୋଟିଏ ବି ସ୍ତମ୍ଭ ଦୁର୍ବଳ ହୁଏ, ତେବେ ଗଣତନ୍ତ୍ର ଦୁର୍ବଳ ହୋଇଯିବ। ତେବେ ସାମ୍ବାଦିକମାନେ କର୍ମ କ୍ଷେତ୍ରରେ ଥିବା ସମୟରେ ନିରାପତ୍ତା ଏକ ଆହ୍ବାନ ପାଲଟିଛି। ଏଥିପାଇଁ ସାମ୍ବାଦିକମାନଙ୍କୁ ଏକାଠି ହୋଇ ମିଳିତ ସ୍ବର ଉଠାଇବାକୁ ପଡ଼ିବ। ବିଧାୟକ ବିଷ୍ଣୁ ଦାସ ଅତିଥି ଭାବେ ଯୋଗଦେଇ ଗଣମାଧ୍ୟମର ନିରପେକ୍ଷତା ଓ ଗଣମାଧ୍ୟମ କର୍ମୀମାନଙ୍କ ସାମ୍ନା‌ରେ ଥିବା ଆହ୍ବାନ ବିଷୟରେ କହିଥିଲେ। ଶ୍ରମ ଆୟୁକ୍ତ ନିରଂଜନ ସାହୁ ଗଣମାଧ୍ୟମକୁ ସାଧାରଣ ଲୋକଙ୍କ ଜାଗ୍ରତ ପ୍ରହରୀ ଭାବେ ଅଭିହିତ କରିବା ସହ ଦୁର୍ବଳମାନଙ୍କ ପକ୍ଷ ରଖିବାକୁ କହିଥିଲେ। ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ପୁରସ୍କୃତ କରାଯାଇଥିଲା। ଉପସଭାପତି ନାରାୟଣ ମିଶ୍ର, ଭାରପ୍ରାପ୍ତ ସମ୍ପାଦକ ପବିତ୍ର ପାତ୍ର, କୋଷାଧ୍ୟକ୍ଷ ନିରଂଜନ ପଟ୍ଟନାୟକ ଓ ସଂଯୋଜକ ଶ୍ୟାମସୁନ୍ଦର ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର