ସୁସ୍ଥ ସାମ୍ବାଦିକତା ସୁସ୍ଥ ସମାଜ ଗଠନ କରିପାରିବ

ଜାତୀୟ ପ୍ରେସ୍‌ ଦିବସ ସମାରୋହ

ଭୁବନେଶ୍ୱର: ସୁସ୍ଥ ଦେଶ ଓ ସମାଜ ଗଠନ କରିବାକୁ ହେଲେ ସୁସ୍ଥ ସାମ୍ବାଦିକତାର ଆବଶ୍ୟକତା ରହିଛି। ବର୍ତମାନର ସମାଜିକ ପରିସ୍ଥିତିରେ ଜଣେ ସାମ୍ବାଦିକ ସୁସ୍ଥ ହୋଇ ରହିପାରିବ ନାହିଁ। ଅନ୍ୟ ଦେଶ ତୁଳନାରେ ଆମ ଦେଶରେ ସାମାଜିକ ସୁରକ୍ଷା ଯଥେଷ୍ଟ କମ୍‌। ସହରାଞ୍ଚଳର କିଛି ସାମ୍ବାଦିକଙ୍କୁ ବାଦ୍‌ ଦେଲେ ଗାଁ ଗଣ୍ଡାରେ କାର୍ଯ୍ୟ କରୁଥିବା ସାମ୍ବାଦିକମାନେ ସୁସ୍ଥ ସାମ୍ବାଦିକତା କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ଆଜି ଉତ୍କଳ ସାମ୍ବାଦିକ ସଂଘ ପରିସରରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ୍‌ ଦିବସ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଷୟବସ୍ତୁ ଥିଲା ‘ଆଗାମୀ ଓଡ଼ିଶା ଭବିଷ୍ୟତର ସାମ୍ବାଦିକତା’। ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଲେ, ଭବିଷ୍ୟତାର ସାମ୍ବାଦିକତାକୁ ଆଗକୁ ନେବାକୁ ହେଲେ ଆଜିର ସମୟରେ ଘଟଣାବଳୀକୁ ଲୋକ ଲୋଚନକୁ ଆଣିବାକୁ ପଡ଼ିବ। କୁନ୍ଦୁଲି ଘଟଣାରେ କ’ଣ ସତ୍ୟତା ରହିଛି ତାହା ଲୋକ ଜାଣିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ବିଧାୟକ ଅରୁଣ ସାହୁ କହିଲେ, ଆସନ୍ତାକାଲିର ଓଡ଼ିଶାରେ ପ୍ରତିବଦ୍ଧତା ଓ ସାମାଜିକ ଚେତନା ଧୀରେ ଧୀରେ ସଂକୁଚିତ ହେବାରେ ଲାଗିଛି। ବ୍ୟକ୍ତିବାଦ ବା ବ୍ୟକ୍ତି କେନ୍ଦ୍ରୀକ ସମାଜ ଏବେ ମୁଣ୍ଡ ଟେକିଛି। ସହଜରେ ସବୁକିଛି ପାଇବାର ନିଶା ଘାରିଛି। ମନୁଷ୍ୟ ମଙ୍ଗଳରେ ଜୀବନ ଅଛି କି ନାହିଁ ଅବିଷ୍କାର କରିବାରେ ଲାଗିଛି, ମାତ୍ର ଆମ ଜୀବନରେ ମଙ୍ଗଳ ଦୂରକୁ ଦୂରକୁ ଚାଲି ଯାଉଛି ବୋଲି ଶ୍ରୀ ସାହୁ କହିଥିଲେ। ବିଜେପି ନେତା ଭୃଗୁ ବକ୍ସିପାତ୍ର କହିଲେ, ସାମାଜିକ ଗଣମାଧ୍ୟମ ଯୋଗୁଁ ଯେ କୌଣସି ନାଗରିକ ଯେ କୌଣସି ସମୟରେ ସାମ୍ବାଦିକ ହୋଇପାରୁଛି। ଫଳରେ ସାମ୍ବାଦିକତା ବୃତ୍ତିରେ ଥିବା ସାମ୍ବାଦିକତା ପାଇଁ ଆହ୍ଵାନ ସୃଷ୍ଟି ହୋଇଛି। ଏହାର ଗୁଣବତ୍ତା ବଜାୟ ରଖିବା ମଧ୍ୟ ଆଉ ଏକ ଆହ୍ଵାନ ଭାବେ ଉଭା ହୋଇଛି। ଏସବୁ ଆହ୍ଵାନକୁ ସାମ୍ବାଦିକମାନଙ୍କୁ ଆଗକୁ ସାମ୍ନା କରିବାକୁ ପଡ଼ିବ।

ଦୂରଦର୍ଶନର ଅତିରିକ୍ତ ବାର୍ତା ନିର୍ଦେଶକ ପ୍ରକାଶ ଦାସ କହିଲେ, ସ୍ୱାଧୀନତା ପରବର୍ତୀ ସମୟରେ ସାମ୍ବାଦିକତା କ୍ଷେତ୍ରରେ ଅନେକ ପରିବର୍ତନ ଆସିଛି। ବୈଦ୍ୟୁତିକ ଗଣମାଧ୍ୟମ ଆସିବା ପରେ ଖବରକାଗଜ ପ୍ରସାରଣ କମିବ ବୋଲି ଯେଉଁ ଆଶଙ୍କା କରାଯାଉଥିଲା କିନ୍ତୁ ଏହା ଭୁଲ ପ୍ରମାଣିତ ହୋଇଛି। ସାମ୍ବାଦିକତା ଆଜି କେବଳ ଖବର ପ୍ରସାରଣରେ ସୀମିତ ରହିନାହିଁ। ଖବର ପଛର ଖବରକୁ ଲୋକଙ୍କୁ ଜଣାଇବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ପପୁ ମହାନ୍ତି ଉପସ୍ଥିତ ଥିଲେ।ପ୍ରାରମ୍ଭରେ ସଂଘର ସଭାପତି ବିଭୂତି ଭୂଷଣ କର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂପାଦକ ପୂର୍ଣ୍ଣଚନ୍ଦ୍ର ନାୟକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର