ମଦୁଆ ଗାଡ଼ି ଚାଳକଙ୍କ ଉପରେ ଲାଗିବ ଲଗାମ

ଜାତୀୟ ସଡ଼କ ସୁରକ୍ଷା ସପ୍ତାହ

ଚନ୍ଦ୍ରଶେଖରପୁର : ଦୃତଗତିରେ ଗାଡ଼ି ଚଳାଇବା ଏଣିକି ମହଙ୍ଗା ପଡ଼ିବ। ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଲାଇସେନ୍ସ ବାତିଲ୍‌ କରାଯିବ। ଆଗକୁ ଏଭଳି ପଦକ୍ଷେପ ନେବାକୁ ଯାଉଛି ପରିବହନ ବିଭାଗ। ଏଥିସହ ମଦୁଆ ଚାଳକଙ୍କ ଉପରେ ରୋକ୍‌ ଲଗାଇବା ପାଇଁ ଆସନ୍ତା ବର୍ଷରୁ ରାଜ୍ୟର ସମସ୍ତ ପୁଲିସ ଥାନାକୁ ବ୍ରେଥ୍‌ ଆନାଲାଇଜର୍‌ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି। ଏବେ କେବଳ କମିସନରେଟ୍‌ ପୁଲିସ ଅଧୀନରେ ଥିବା ସମସ୍ତ ଥାନାକୁ ବ୍ରେଥ୍‌ ଆନାଲାଇଜର୍‌ ଯୋଗାଇ ଦିଆଯାଇଛି ବୋଲି ରାଜ୍ୟସ୍ତରୀୟ ଜାତୀୟ ସଡ଼କ ସୁରକ୍ଷା ସପ୍ତାହର ଶୁଭାରମ୍ଭ ଅବସରରେ ପରିବହନ କମିସନର ସଞ୍ଜୀବ ପଣ୍ଡା କହିଛନ୍ତି।

ଏହି ଅବସରରେ କିଟ୍‌ ବିଶ୍ବବିଦ୍ୟାଳୟରୁ ଏକ ବିଶାଳ ଶୋଭାଯାତ୍ରାକୁ ଉଦ୍‌ଘାଟନ କରି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡ. ନୃସିଂହ ଚରଣ ସାହୁ କହିଲେ, ଦୁର୍ଘଟଣାମୁକ୍ତ ସମାଜ ଗଠନ ପାଇଁ ସମସ୍ତଙ୍କୁ ସଂକଳ୍ପ ନେବାକୁ ହେବ। ବେଗ ନିୟନ୍ତ୍ରଣ ପାଇଁ ଗାଡ଼ିଗୁଡ଼ିକରେ ସ୍ପିଡ୍‌ ଗଭର୍ଣ୍ଣର ଲଗାଇବା ଦିଗରେ ପଦକ୍ଷେପ ନିଆଯାଉଛି। ଏହାଦ୍ବାରା ଯେଉଁ ଗାଡ଼ି ଚାଳକମାନେ ନିର୍ଦ୍ଧାରିତ ବେଗଠାରୁ ଅଧିକ ଜୋରରେ ଗାଡ଼ି ଚଳାଉଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଫାଇନ୍‌ ଆଦାୟ କରାଯିବ। ଫଳରେ ଦୁର୍ଘଟଣା କିଛି ମାତ୍ରାରେ କମିପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
ସପ୍ତାହ ପାଳନ ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଉତ୍ତର ଭୁବନେଶ୍ବର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଜି ଶ୍ରୀନିବାସନ୍‌, ଅତିରିକ୍ତ ପରିବହନ କିମସନର ଶ୍ରୀନିବାସ ବେହେରା, ଅତିରିକ୍ତ ଡିଜି ସନ୍ତୋଷ ଉପାଧ୍ୟୟ, ସ୍ବେଚ୍ଛାସେବୀ ସଙ୍ଗଠନ ଓଡ଼ିଶା କଳିଙ୍ଗ ଫାଉଣ୍ଡେସନର ଦେବବ୍ରତ ନାୟକ, ଡେପୁଟି କମିସନର ମନୋରଞ୍ଜନ ଲୋଧା, ଯୁଗ୍ମ କମିସନର ରିତ୍ତରଞ୍ଜନ ରାୟ ପ୍ରମୁଖ ଯୋଗଦେଇଥିଲେ। ଆଞ୍ଚଳିକ ପରିବହନ ଅଧିକାରୀ ସଞ୍ଜୟ କୁମାର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଟ୍ରକ୍‌, ବସ୍‌, ମିନିଟ୍ରକ, ଟ୍ୟାକ୍ସି, ଅଟୋ ସଂଘର ସଭାପତି ଓ ସମ୍ପାଦକ, କିନ୍ନର ସଂଘ, ଡ୍ରାଇଭିଂ ଟ୍ରେନିଂ ସ୍କୁଲର କର୍ମକର୍ତ୍ତା ପ୍ରମୁଖ ସାମିଲ ହୋଇଥିଲେ। ସଡ଼କ ସୁରକ୍ଷା ସମ୍ବନ୍ଧୀୟ ସଚେତନତା ପାଇଁ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା। ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସଚେତନତା‌ ସୃଷ୍ଟି ଲକ୍ଷ୍ୟରେ ଟ୍ରାନ୍ସପୋର୍ଟ ବିଭାଗ ପକ୍ଷରୁ ଏକ ସଡ଼କ ସୁରକ୍ଷା ରଥ ସହ ସାଇକେଲ ଶୋଭାଯାତ୍ରା ବିଭିନ୍ନ ସହର ପରିକ୍ରମା କରିବ।

ସମ୍ବନ୍ଧିତ ଖବର