ଜାତୀୟ ସୁରକ୍ଷା ଦିବସ : ବିଦ୍ୟୁତ କ୍ଷେତ୍ରରେ ସୁରକ୍ଷାକୁ ଗୁରୁତ୍ବ, କେନ୍ଦ୍ରାପଡ଼ା ଗ୍ରିଡ୍ ସବଷ୍ଟେସନ୍‌ ଶ୍ରେଷ୍ଠ

ଭୁବନେଶ୍ବର : ଆକସ୍ମିକ ଦୁର୍ଘଟଣାକୁ ହୁଏତ ରୋକା ଯାଇ ନ ପାରେ, ହେଲେ ଦୁର୍ଘଟଣାରେ ଘଟୁଥିବା ଧନ ଜୀବନ ହାନିକୁ ରକ୍ଷା କରାଯାଇପାରିବ। ଏଥିପାଇଁ ସମସ୍ତଙ୍କୁ ସତକର୍ତା ଅବଲମ୍ବନ କରିବାକୁ ହେବ। କର୍ମଚାରୀମାନେ ନିଷ୍ଠାର ସହ କାର୍ଯ୍ୟ କରିବା ଓ କାର୍ଯ୍ୟରେ କୌଣସି ତ୍ରୁଟିକୁ ପ୍ରଶ୍ରୟ ନ ଦେଲେ ମଣିଷ ଜୀବନ ରକ୍ଷା ହୋଇପାରିବ ବୋଲି କହିଛନ୍ତି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଆଜି କୃଷି ଭବନରେ ଓପିଟିସିଏଲ ଓ ଗ୍ରିଡକୋ ପକ୍ଷରୁ ୪୯ତମ ଜାତୀୟ ସୁରକ୍ଷା ଦିବସ ପାଳନ ଅବସର‌ରେ ସେ ଏହା କହିଛନ୍ତି।

ଏହି ଦିବସ ଉତ୍ସବରେ ଶକ୍ତି ସଚିବ ବିଷ୍ଣୁପଦ ସେଠୀ କହିଲେ, ରାଜ୍ୟରେ ଏବେ ବିଦ୍ୟୁତ ଉପଭୋକ୍ତାଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ମାତ୍ର ବିଦ୍ୟୁତ କ୍ଷେତ୍ରରେ ସୁରକ୍ଷାକୁ ଯେତିକି ଗୁରୁତ୍ବ ଦିଆଯିବା କଥା ତାହା ଦିଆଯାଇ ନାହିଁ। ଯେଉଁ କର୍ମଚାରୀମାନେ କାର୍ଯ୍ୟକ୍ଷେତ୍ରରେ ପ୍ରାଣ ହରାଉଛନ୍ତି ସେମାନଙ୍କୁ ୪ଲକ୍ଷ ଟଙ୍କାର କ୍ଷତିପୂରଣ ବ୍ୟବସ୍ଥା କରାଯାଇଛି। କିନ୍ତୁ ଯେପରି ଜଣେ ହେଲେ ବ୍ୟକ୍ତି ବିଦ୍ୟୁତ କାରଣରୁ ରାଜ୍ୟରେ ପ୍ରାଣ ନ ହରାଇବେ ତାହାକୁ ଗୁରୁତ୍ବ ଦିଆଯାଉଥିବା ଶ୍ରୀ ସେଠୀ କହିଥିଲେ।

ଓପିଟିସିଏଲ ଓ ଗ୍ରିଡକୋର ସିଏମ୍‌ଡି ସୌରଭ ଗର୍ଗ କହିଲେ, ବିଦ୍ୟୁତ କ୍ଷେତ୍ରରେ ସୁରକ୍ଷାକୁ ଗୋଟିଏ ଦିନ ପାଳନ କରିଦେଲେ ହେବ ନାହିଁ, ପ୍ରତ୍ୟେକ ଦିନ ଏଥିପାଇଁ ଗୁରୁତ୍ବ ଦେବାକୁ ହେବ।

ସେସୁର ସିଇଓ ଅରୁଣ ବୋଥ୍ରା କହିଲେ, ବିଦ୍ୟୁତ ଆଘାତ କାରଣରୁ ଯେଉଁଭଳି ଭାବେ ଲୋକ ପ୍ରାଣ ହରାଉଛନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ। ଗୋଟିଏ ବର୍ଷରେ ବିଦ୍ୟୁତ ଯୋଗୁଁ ଯେତିକି ସଂଖ୍ୟକ ଲୋକ ପ୍ରାଣ ହରାଉଛନ୍ତି ତହିଁରୁ ୨୦ ପ୍ରତିଶତ ହେଉଛନ୍ତି ବିଦ୍ୟୁତ ବିଭାଗର କର୍ମଚାରୀ। ତେଣୁ ଯେଉଁମାନେ ପ୍ରାଣ ହରାଉଛନ୍ତି ସେମାନଙ୍କ ପରିବାରକୁ ଜଣକୁ ନିଯୁକ୍ତି ଦେବାର ବ୍ୟବସ୍ଥା କରାଯାଉ ବୋଲି ଶ୍ରୀ ବୋଥ୍ରା କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଇଂ ଉମାକାନ୍ତ ମିଶ୍ର, ସନ୍ତୋଷ ଦାସ, ଗ୍ରିଡକୋର କାର୍ଯ୍ୟନିର୍ବାହୀ ନିର୍ଦେଶକ ଆଶିଷ ଈଶ୍ବର ପାଟିଲ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଦିବସ ଉପଲକ୍ଷେ ଆୟୋଜିତ ପ୍ରତିଯୋଗିତାର ବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା। ବିଶେଷକରି ଶ୍ରେଷ୍ଠ ସୁରକ୍ଷିତ ‌ଗ୍ରିଡ୍ ଭାବେ ମନୋନୀତ ଗ୍ରିଡ୍‌କୁ ପୁରସ୍କୃତ କରାଯାଇଥିଲା। ଏଥିରେ କେନ୍ଦ୍ରାପଡ଼ା ଗ୍ରିଡ୍‌ ସବଷ୍ଟେସନ୍ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଲକ୍ଷ୍ମୀପୁର ଦ୍ବିତୀୟ ଓ ଆସ୍କା ଗ୍ରିଡ୍ ସବଷ୍ଟେସନ୍‌କୁ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। ସର୍ବୋତ୍ତମ ନିର୍ମାଣ କାର୍ଯ୍ୟକ୍ଷେତ୍ର ଭାବେ ମଞ୍ଚେଶ୍ବରର ୧୩୨/୩୩କେଭି ଜିଆଇଏସ୍‌ ପୁରସ୍କୃତ ହୋଇଥିଲା।

ସମ୍ବନ୍ଧିତ ଖବର