ଭୁବନେଶ୍ୱର: କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ‘ମୋ ଦୃଷ୍ଟିରେ’ କାର୍ଯ୍ୟକ୍ରମ ଆଜି ରାଜ୍ୟ ଅଭିଲେଖାଗାରଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନାଟ୍ୟକାର ସଂଘମିତ୍ରା ମିଶ୍ର ଯୋଗ ଦେଇ ପ୍ରଖ୍ୟାତ ନାଟ୍ୟକାର ପ୍ରଫେସର ରମେଶ ପ୍ରସାଦ ପାଣିଗ୍ରାହୀଙ୍କ କୃତି ଉପରେ ଅଭିବ୍ୟକ୍ତି ପ୍ରଦାନ କରି କହିଲେ, ଶ୍ରୀ ପାଣିଗ୍ରାହୀ ନାଟକରେ ଦର୍ଶକଙ୍କ ସହିତ ସିଧାସଳଖ ଯୋଗାଯୋଗ କରିଥା’ନ୍ତି। ନାଟକ ସହ ସେ ଅନେକ ଯାତ୍ରା ନାଟକ, ଗୀତି କବିତା, କ୍ଷୁଦ୍ରଗଳ୍ପ ଓ ଉପନ୍ୟାସ ରଚନା କରିଛନ୍ତି। ତାଙ୍କର ପ୍ରତ୍ୟେକ ସୃଷ୍ଟି ଅନ୍ୟଠାରୁ ସ୍ୱତନ୍ତ୍ର। ନାଟକ ସହ ସେ ଉଚ୍ଚକୋଟୀର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ଚେତନା, ଅବଚେତନା, ଓ ରୂପକଳ୍ପ ସହ ଲୋକନାଟକ ଶୈଳୀର ପ୍ରୟୋଗ ହୋଉଛି ଶ୍ରୀ ପାଣିଗ୍ରାହୀଙ୍କ ବୈଶିଷ୍ଟ୍ୟ ବୋଲି ଶ୍ରୀମତୀ ମିଶ୍ର କହିଥିଲେ। ଶ୍ରୀ ପାଣିଗ୍ରାହୀ ନିଜ ବକ୍ତବ୍ୟରେ କହିଲେ, ନାଟକ ହେଉଛି ଅଗୋଚରକୁ ଗୋଚର କରିବା ତଥା ଅଦୃଶ୍ୟକୁ ଦୃଶ୍ୟ କରିବାର ମୁଖ୍ୟ ମାଧ୍ୟମ। ଓଡ଼ିଆ କବିତା ଦୁର୍ବୋଧ୍ୟ ହୋଇ ପାଠକଙ୍କ ଉପରେ ଲଦି ହୋଇଥିବା ସମୟରେ ଲୋକଙ୍କ ପାଖକୁ ପହଞ୍ଚିବା ପାଇଁ ସେ ନାଟକ ଲେଖିବା ଆରମ୍ଭ କରିଥିଲେ ବୋଲି ଶ୍ରୀ ପାଣିଗ୍ରାହୀ ମତବ୍ୟକ୍ତ କରିଥିଲେ। ସାହିତ୍ୟ ଅକାଦେମି ଉପଦେଷ୍ଟା ପରିଷଦର ଆବାହକ ବିଜୟାନନ୍ଦ ସିଂହଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୋଲକାତା ଆଞ୍ଚଳିକ କାର୍ଯ୍ୟାଳୟର ଭାରପ୍ରାପ୍ତ ଅଧିକାରୀ ମିହିର କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଓଡ଼ିଆ ପରିଷଦ ସଦସ୍ୟ ପ୍ରଦୀପ କୁମାର ପଣ୍ଡା ଅତିଥି ନିମନ୍ତ୍ରଣ କରିଥିବା ବେଳେ କ୍ଷେତ୍ରବାସୀ ନାୟକ ଧନ୍ୟବାଦ ଜଣାଇଥିଲେ।
କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ‘ମୋ ଦୃଷ୍ଟିରେ’
/sambad/media/post_attachments/wp-content/uploads/2018/09/m12-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)