ବିଭିନ୍ନ ଅନୁଷ୍ଠାନ ପାଳିଲେ ଜାତୀୟ ବିଜ୍ଞାନ ଦିବସ

ସର୍ଭେ ଅଫ୍‌ ଇଣ୍ଡିଆ

ଚନ୍ଦ୍ରଶେଖରପୁର : ବିଗତ ୨୫୦ ବର୍ଷରୁ ଊର୍ଧ୍ୱ ସମୟ ଧରି ସମଗ୍ର ଦେଶକୁ ଭୌଗୋଳିକ ପରିସୀମା ବିଷୟରେ ତଥ୍ୟ ଯୋଗାଇଆସୁଥିବା କେନ୍ଦ୍ରୀୟ ସଂସ୍ଥା ସର୍ଭେ ଅଫ୍‌ ଇଣ୍ଡିଆ ପକ୍ଷରୁ ଆଜି ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ବିଶାଳ ଉପକୂଳ ସୁରକ୍ଷା ପରିଚାଳନା ହେଉ ଅବା ରାଜ୍ୟରେ ରହିଥିବା ସମସ୍ତ କୋଇଲା କ୍ଷେତ୍ରର ପରିମାପ, ଓଡ଼ିଆ, ଇଂରାଜୀ ଓ ହିନ୍ଦୀରେ ରାଜ୍ୟର ମାନଚିତ୍ର ଆଦି ଭଳି ବିଭିନ୍ନ ତଥ୍ୟ ପ୍ରକାଶନରେ ସର୍ଭେ ଅଫ୍‌ ଇଣ୍ଡିଆ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଥିବା ଅନୁଷ୍ଠାନର ନିର୍ଦ୍ଦେଶକ ବି ସି ପରିଡ଼ା ପ୍ରକାଶ କରିଛନ୍ତି।

‘ନିରନ୍ତର ବିକଶିତ ଭବିଷ୍ୟତ ଦିଗରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା’ ଚଳିତ ବର୍ଷ ଜାତୀୟ ବିଜ୍ଞାନ ଦିବସ ପାଳନର ବିଷୟବସ୍ତୁ ରହିଛି। ଓଡ଼ିଶାର ବିକାଶ କ୍ଷେତ୍ରରେ ନିଆଯାଉଥିବା ବିଭିନ୍ନ ନୀତିଗତ ନିଷ୍ପତ୍ତି ନିମନ୍ତେ ଯୋଜନାର ଏକ ଦୃଢ଼ ମୂଳଦୁଆ ଯୋଗାଇଦେବାରେ ସର୍ଭେ ଅଫ୍‌ ଇଣ୍ଡିଆ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ନେଇ ମତ ପ୍ରକାଶ ପାଇଥିଲା। ଏହି ଅବସରରେ ଅନୁଷ୍ଠାନର ଉପନିର୍ଦ୍ଦେଶକ ପି କେ ଦାସଙ୍କ ସମେତ ବହୁ ଅଧିକାରୀ ଯୋଗଦେଇଥିଲେ।

ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ

ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ପକ୍ଷରୁ ଆଜି ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ‘ଜଳ ହିଁ ଜୀବନ ସୃଷ୍ଟିର ମୂଳ ପିଣ୍ଡ’ ଏବଂ ‘ବିକଶିତ ଭବିଷ୍ୟତ ଗଠନ କ୍ଷେତ୍ରରେ ସିମ୍ପଲ୍‌ କମ୍ପ୍ୟୁଟର୍‌’ ଶୀର୍ଷକ ବିଷୟରେ ଆଲୋଚନା ହୋଇଥିଲା। ଫିଜିକାଲ୍‌ ରିସର୍ଚ୍ଚ ଲାବୋରୋଟାରି ଅହମ୍ମଦାବାଦର ନିର୍ଦ୍ଦେଶକ ଅନିଲ ଭରଦ୍ୱାଜ ଏବଂ ଟିଆଇଏଫ୍‌ଆର୍‌, ମୁମ୍ବାଇର ପୂର୍ବତନ ପ୍ରଫେସର ସୁବ୍ରତ ତ୍ରିପାଠୀ, ଆମେରିକା ବ୍ରୁକ୍‌ହେଭେନ୍‌ ଜାତୀୟ ପରୀକ୍ଷାଗାରର ଡ. ମିଲନ୍ଦ ଦିଓ୍ଵାନ୍‌, ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ସୁଧାକର ପଣ୍ଡା, ଦେବକାନ୍ତ ସାମଲ, ଆର୍‌ କେ ରଥ ପ୍ରମୁଖ ଏହି ଅବସରରେ ବିଜ୍ଞାନ ଓ ବିକଶିତ ସମାଜ ଗଠନ ଦିଗରେ ଏହାର ରହିଥିବା ମହତ୍ତ୍ୱପୂର୍ଣ୍ଣ ଭୂମିକା ସଂପର୍କରେ ଆଲୋକପାତ କରିଥିଲେ। ସାରା ରାଜ୍ୟରୁ ୩୦୦ରୁ ଊର୍ଧ୍ୱ ଛାତ୍ରଛାତ୍ରୀ ଓ ଶିକ୍ଷକ/ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର