ଏନ୍‌ଏଏସ୍‌ଆଇର ଜାତୀୟ ବିଜ୍ଞାନ ଦିବସ

ଭୁବନେଶ୍ବର : ରବିବାର ଦିନ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଓ ନ୍ୟାସନାଲ୍ ଏକାଡେମି ଅଫ୍ ସାଇନ୍ସ ଇଣ୍ଡିଆ(ଏନ୍‌ଏଏସ୍‌ଆଇ) ପକ୍ଷରୁ ଜାତୀୟ ବିଜ୍ଞାନ ଦିବସ-୨୦୨୧ ଅନୁଷ୍ଠିତ ହୋଇଯାଇଛି। କୋଭିଡ୍ କଟକଣା ହେତୁ ଜୁମ୍ ମିଟିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜନ କରଯାଇଥିଲା। ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର ପ୍ରକଳ୍ପ ସଂଯୋଜକ ସୌମେନ୍ ଘୋଷ ସଭାପତିତ୍ବ କରିଥିଲେ। ବିଜ୍ଞାନ ବଳରେ ମଣିଷ ମହାକାଶରେ ପହଞ୍ଚି ସାରିଥିବାବେଳେ କିଛି ଲୋକ ଆଜି ବି ଅନ୍ଧବିଶ୍ବାସକୁ ଜାବୁଡ଼ି ଧରିଛନ୍ତି ବୋଲି ସେ କହିଥିଲେ। ତେଣୁ ଅନ୍ଧବିଶ୍ବାସରୁ ମଣିଷକୁ ମୁକ୍ତ କରିବାକୁ ସେ ଆହ୍ବାନ ଦେଇଥିଲେ।

ଆଞ୍ଚଳିକ ନିର୍ଦ୍ଦେଶକ ଡ. କେ.ସି ଶତପଥୀ ଓଡିଶା ଅଧିବେଶନକୁ ଉଦ୍‌ଘାଟନ କରିଥିଲେ। ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବାୟୋ-ଇନ୍‌କ୍ୟୁବେଟର ତଥା ଭାରତ ସରକାରଙ୍କ ଜୀବ ବିଜ୍ଞାନ ପ୍ରତିଷ୍ଠାନର ପ୍ରାଧ୍ୟାପକ ଡ. ନିବେଦିତା ଜେନା ‘ବାୟୋଟେକ୍‌ନୋଲଜି: ଭାରତକୁ ଏକ ଅଭିନବ ରାଷ୍ଟ୍ର ଭାବରେ ଗଠନ କରିବ’ ପ୍ରସଙ୍ଗ ଉପସ୍ଥାପନ କରିଥିଲେ। ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ଵର ଏବଂ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଭୁବନେଶ୍ଵର ଦ୍ଵାରା ପରିଚାଳିତ ଅନେକ ଅପ୍‌ଟିକ୍ସ ପରୀକ୍ଷଣ ସମ୍ବନ୍ଧରେ ବିସ୍ତୃତ ଆଲୋଚନା ହେବା ସହିତ ଇନୋଭେସନ୍‌ ଏବଂ ବିଦ୍ୟୁତ୍ ଚୁମ୍ବକୀୟ ପ୍ରେରଣ ସମ୍ବନ୍ଧରେ ବିଭିନ୍ନ ପରୀକ୍ଷଣ ଦର୍ଶକମାନଙ୍କୁ ଡିଜିଟାଲ ମାଧ୍ୟମରେ ପ୍ରଦର୍ଶନ କରଯାଇଥିଲା। ଶେଷରେ କେନ୍ଦ୍ର ପରିସରରେ ଦର୍ଶକମାନଙ୍କ ପାଇଁ ଏକ ସୁନ୍ଦର ପ୍ରକଳ୍ପ ‘ସରଳ କ୍ୟାମେରା’ ପ୍ରଫେସର ବିଜୟ କୁମାର ପରିଡାଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଥିଲା। ଓଡ଼ିଶା ଏବଂ ଭାରତର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୧୦୦ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଏହି କାର୍ଯ୍ୟକ୍ରମକୁ ଅନ୍‌ଲାଇନ ମାଧ୍ୟମରେ ଉପଭୋଗ କରିଥିଲେ।

ବିଜ୍ଞାନ-ଇଞ୍ଜିନିୟରିଂ-ପ୍ରଯୁକ୍ତି ବିଦ୍ୟା ପରସ୍ପର ସହ ଜଡ଼ିତ
ଭୁବନେଶ୍ବର : ସିଏସ୍‌ଆଇଆର୍‌ ଅଧୀନ ଭୁବନେଶ୍ବରସ୍ଥିତ ଆଇଏମ୍‌ଏମ୍‌ଟି ପକ୍ଷରୁ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ଚଳିତବର୍ଷ ଏହି ଦିବସର ବିଷୟବସ୍ତୁ ‘ଏସ୍‌ଟିଆଇର ଭବିଷ୍ୟତ: ଶିକ୍ଷା, ଦକ୍ଷତା ଓ କାର୍ଯ୍ୟ ଉପରେ ପ୍ରଭାବ’ ରହିଥିଲା। ଏହି ଅବସରରେ ଦେଶ‌ ଗଠନରେ ଇଞ୍ଜିନିୟରିଂ ବିଜ୍ଞାନର ଭୂମିକା ଉପରେ ଏକ ବକ୍ତୃତା କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ଆଇସିଟି ମୁମ୍ବାଇର କୁଳପତି ଅନିରୁଦ୍ଧ ବି ପଣ୍ଡିତ ଯୋଗଦେଇ ବିଜ୍ଞାନ, ଇଞ୍ଜିନିୟରିଂ ଏବଂ ପ୍ରଯୁକ୍ତି ବିଦ୍ୟା କିଭଳି ପରସ୍ପର ସହ ଯୋଡ଼ି ହୋଇ ରହିଛନ୍ତି, ତାହା ଉପରେ ଆଲୋକପାତ କରିଥିଲେ। ଏଥିରେ ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟିର ନିର୍ଦ୍ଦେଶକ ପ୍ରଫେସର ଶୁଦ୍ଧସତ୍ତ୍ବ ବସୁ ସ୍ବାଗତ ଭାଷଣ ଦେଇଥିବାବେଳେ ବରିଷ୍ଠ ପ୍ରମୁଖ ବୈଜ୍ଞାନିକ ତଥା ଜାତୀୟ ବିଜ୍ଞାନ ଦିବସ ଉତ୍ସବର ଅଧ୍ୟକ୍ଷ ଡ. କେ ସଞ୍ଜୟ ଏହି ଦିବସର ତାତ୍ପର୍ଯ୍ୟ ଉପରେ କହିଥିଲେ। କାର୍ଯ୍ୟକ୍ରମକୁ ପ୍ରମୁଖ ବୈଜ୍ଞାନିକ ଡ. ମଞ୍ଜୁ ଉନ୍ନିକ୍ରିଷ୍ଣନ୍ ସଂଯୋଜନା କରିଥିବାବେଳେ ବରିଷ୍ଠ ବୈଜ୍ଞାନିକ ତଥା କାର୍ଯ୍ୟକ୍ରମର ଆବାହକ ଡ. ମାନସ କୁମାର ଦଳାଇ ଧନ୍ୟବାଦ ଦେଇଥିଲେ।

ଗବେଷଣା କ୍ଷେତ୍ରରେ ଆଇଆଇଟି ସ୍ବପ୍ନକୁ ସାକାର କରୁଛି
ଭୁବନେଶ୍ବର : ମାନବ ଜୀବନକୁ ଉନ୍ନତ କରିବାରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଅବଦାନ ବହୁ ଗୁରୁତ୍ବ ବହନ କରେ। ପିଏସ୍‌ଏଲ୍‌ଭିସି-୫୧ ମାଧ୍ୟମରେ ଉପଗ୍ରହର ବାଣିଜ୍ୟିକ ଉତ୍‌କ୍ଷେପଣ ପାଇଁ ଇସ୍ରୋ ବୈଜ୍ଞାନିକମାନେ ପ୍ରଶଂସାର ଯୋଗ୍ୟ। ଏହାଦ୍ବାରା ଅନ୍ୟ ଦେଶଗୁଡ଼ିକ ପାଇଁ ଭାରତୀୟ ମହାକାଶ ବିଜ୍ଞାନର ନୂତନ ଯୁଗର ଦ୍ୱାର ଖୋଲିଛି। ଆଇଆଇଟି ଭୁବନେଶ୍ୱରର ଗବେଷକଙ୍କ ଦ୍ୱାରା ପୋଷ୍ଟର ଉପସ୍ଥାପନା ଇନଷ୍ଟିଚ୍ୟୁଟରେ ଚାଲିଥିବା ଗବେଷଣାର ବ୍ୟାପକତା ବିଷୟରେ ଏକ ନମୁନା ମାତ୍ର। ଆଇଆଇଟି ଭୁବନେଶ୍ୱର ନିଜର ସ୍ୱପ୍ନକୁ ସାକାର କରିବା ଦିଗରେ ନିରନ୍ତର କାର୍ଯ୍ୟ କରୁଛି। କରୋନା ମହାମାରୀ ଦ୍ବାରା ଗବେଷଣାରେ ଅନେକ ଆହ୍ବାନ ସୃଷ୍ଟି ହୋଇଥିବା ଭୁବନେଶ୍ବର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି(ଆଇଆଇଟି‌)ରେ ଜାତୀୟ ବିଜ୍ଞାନ ଦିବସ ପାଳନ ଅବସରରେ ଏହାର ଭୁବନେଶ୍ବର ଆଇଆଇଟି ନିର୍ଦ୍ଦେଶକ ପ୍ରଫେସର ଆର ଭି ରାଜା କୁମାର କହିଛନ୍ତି।

ସୋଆ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଡାକ୍ତରୀ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଅନେକ ଜଟିଳ ଦିଗ ବିଷୟତଥା ଦୈନନ୍ଦିନ ଜୀବନରେ ପରିବର୍ତନ ଆଣିଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଛାତ୍ରଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ସେମାନେ ଦେଶର ପ୍ରଗତି ଓ ବିକାଶ ଦିଗରେ କାର୍ଯ୍ୟ କରିପାରିବେ। ଆବଶ୍ୟକତା ଅନୁଯାୟୀ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଦ୍ବାରା ଲୋକଙ୍କ ମାନବିକତାରେ ପରିବର୍ତ୍ତନ ଆସିଛି। ଅନ୍ୟମାନଙ୍କ ମଧ୍ୟରେ ଆଲୁମିନି ଆଫେୟାର୍ସ ଡିନ୍‌ ଆର୍‌ କେ ପଣ୍ଡା, ଏକାଡେମିକ୍ ଆଫେୟାର୍ସ ଡିନ୍‌ ପି ଆର୍‌ ସାହୁ, ଭୁବନେଶ୍ବର ଆଇଆଇଟି ରେଜିଷ୍ଟାର ସୁବୋଧ କୁମାର ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର