ଭୁବନେଶ୍ୱର: ବିଶ୍ୱରେ ପରିବର୍ତ୍ତନ ହିଁ ଏକମାତ୍ର ସ୍ଥିର ପ୍ରକ୍ରିୟା | ପରିଚାଳନା ସମ୍ପର୍କିତ ନୂତନ ଓ କ୍ରିୟାଶୀଳ ଭିତିଭୂମି ମଧ୍ୟ ସର୍ବଦା ପରିବର୍ତ୍ତନଶୀଳ । ଏହା ସଦାସର୍ବଦା ଯୁଗୋପୋଯୋଗୀ ଏବଂ ସମଗ୍ର ପୃଥିବୀର ଆବଶ୍ୟକତା ଅନୁଯାୟୀ ପରିବର୍ତ୍ତିତ ହୋଇଥାଏ ଯେଉଁଥିରେ ସମସ୍ତ ଅଂଶୀଦାର ଭାଗୀଦାର ହୋଇଥାନ୍ତି । ଏହି କ୍ରମରେ ଭୁବନେଶ୍ବର ସ୍ଥିତ ୟୁନାଇଟେଡ ସ୍କୁଲ ଅଫ ବିଜନେସ ମ୍ୟାନେଜମେଣ୍ଟ ତରଫରୁ ଏକ ଜାତୀୟ ଆଲୋଚନା ଚକ୍ର ଆୟୋଜିତ ହୋଇ ଯାଇଛି । “ପରିଚାଳନା ସମ୍ପର୍କିତ ନୂତନ ଦିଗନ୍ତ ଓ ଆହ୍ୱାନ: ଏକ ବିଶ୍ଵସ୍ତରୀୟ ଦୃଷ୍ଟିକୋଣ” ବିଷୟବସ୍ତୁ ଉପରେ ଏହି ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।ଏହି ଆଲୋଚନାଚକ୍ରକୁ ମୁଖ୍ୟ ଅତିଥି ଭାବେ ଅର୍ଥନୀତି ଏବଂ ପରିସଂଖ୍ୟାନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡକ୍ଟର ବିଜୟ ଭୂଷଣ ନନ୍ଦ ଏବଂ ସମ୍ମାନୀତ ଅତିଥି ଭାବେ ସମ୍ବାଦ ଗ୍ରୁପ୍ରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକା ତନୟା ପଟ୍ଟନାୟକ ଉଦଘାଟନ କରିଥିବା ବେଳେ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୌମ୍ୟକାନ୍ତ ବଳବନ୍ତରାୟ, ଉପଦେଷ୍ଟା ପ୍ରଫେସର (ଡାଃ) କାହ୍ନୁ ଚରଣ ସ୍ଵାଇଁ ଓ ଅଧ୍ୟକ୍ଷ ପ୍ରଫେସର (ଡାଃ) ସଞ୍ଜୀବ କୁମାର ଦାସ ଉପସ୍ଥିତ ଥିଲେ ।
ଏହି ସେମିନାରରେ ପ୍ରଫେସର (ଡାଃ) ଡି. ଭି. ରମନା ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ବିଶ୍ୱବିଦ୍ୟାଳୟ, ପ୍ରଫେସର (ଡାଃ) ସୂର୍ଯ୍ୟପ୍ରକାଶ ପତି ଆଇଆଇଏମ୍, କୋଝିକୋଡ, ଶ୍ରୀ ଦିବ୍ୟାଜୋତି ପଟ୍ଟନାୟକ, ନିର୍ଦ୍ଦେଶକ, ଅନ୍ନପୂର୍ଣ୍ଣା ଫାଇନାନ୍ସ ଏବଂ ବିନୋଦ ଗୁପ୍ତା ସ୍କୁଲ ଅଫ ମ୍ୟାନେଜମେଣ୍ଟ(ଆଇଆଇଟି, ଖରଗପୁର)ର ପ୍ରଫେସର, (ଡାଃ) ରୁଦ୍ରପ୍ରକାଶ ପ୍ରଧାନ ପ୍ରମୁଖ ନିଜସ୍ୱ ମତାମତ ଉପସ୍ଥାପନ କରିଥିଲେ । ଅନୁଷ୍ଠାନର ସମସ୍ତ ସଦସ୍ୟଙ୍କ ସହଯୋଗରେ ଏବଂ ଡାଃ ସ୍ଵାତୀ ମିଶ୍ର ସଂଯୋଜନାରେ ହୋଇଥିବା ଏହି ଜାତୀୟ ଆଲୋଚନା ଚକ୍ରରେ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗଦାନ କରିଥିଲେ ।