ରାଷ୍ଟ୍ରୀୟ ପ୍ରସାରଣ ଦିବସ ପାଳିତ

ଭୁବନେଶ୍ବର: ୯୨ ବର୍ଷ ହେଲା ରେଡିଓ ଆମକୁ ଖବର ସହ ମନୋରଞ୍ଜନ ଯୋଗାଇ ଚାଲିଛି। ଟେଲିଭିଜନରେ ବାରମ୍ବାର ପ୍ରସାରଣ ହେଉଥିବା ଖବର ବା ଧାରାବାହିକକୁ ଦେଖି ବିରକ୍ତ ଲାଗୁଛି। ରେଡିଓ କିନ୍ତୁ ଶ୍ରୁତିମଧୁର। ସମସ୍ତଙ୍କ ସ୍ମାର୍ଟ ଫୋନ୍‌ରେ ରେଡିଓ ଆପ୍ଲିକେସନ୍‌ଟିଏ ନିଶ୍ଚୟ ରହୁଛି। ଏହିଭଳି ଭା‌ବେ ରେଡିଓ ପୂର୍ବରୁ ଚାହିଦାରେ ଥିଲା ଓ ଆଗକୁ ବି ରହିବ ଏବଂ ଦିନ ଆସିବ ରେଡିଓର ୧୦୦ବର୍ଷ ପୂର୍ତ୍ତ ଉତ୍ସବ ବି ଆମେ ପାଳିବା ବୋଲି କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ।

ଆଜି ରାଷ୍ଟ୍ରୀୟ ପ୍ରସାରଣ ଦିବସ ଅବସରରେ ଆଉଟ୍‌ରିଚ୍‌ ପକ୍ଷରୁ ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ଏହାର ୯୨ ବର୍ଷ ପୂର୍ତ୍ତି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପାଣିଗ୍ରାହୀ ଏହା କହିଥିଲେ। କାର୍ଯ୍ୟକ୍ରମରେ ‘ସମ୍ବାଦ ଗ୍ରୁପ୍‌’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ଗଣମାଧ୍ୟମ ବିଶେଷକରି ପ୍ରସ‌ାରଣ ଗଣମାଧ୍ୟମ ଖବର ପରିବେଷଣ ସହ ଶ୍ରୋତା ବା ଦର୍ଶକଙ୍କୁ ବାନ୍ଧି ରଖିବା ପାଇଁ ମନୋରଞ୍ଜନ ଉପରେ ବେଶି ଧ୍ୟାନ ଦେଇଥାଏ। କିନ୍ତୁ ଏହି ମନୋରଞ୍ଜନ ଆଳରେ ଆମେ ଆମ ପରମ୍ପରା, କଳା, ସଂସ୍କୃତି ଓ ରୀତିନୀତିକୁ ଭୁଲିଯିବା ଠିକ୍‌ ନୁହେଁ। ଗଣମାଧ୍ୟମର କାମ ହେଉଛି ଲୋକଙ୍କୁ ଲୋକଙ୍କ ସହ ଯୋଡ଼ିବା। ସେ ଆହୁରି କହିଲେ, ବର୍ତ୍ତମାନ ଗଣମାଧ୍ୟମର ସ୍ବାଧୀନତା ଓ ବିଶ୍ବସନୀୟତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆମେ ଆମ ଖବର ବ୍ୟବସାୟରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରିବା ଦ୍ବାରା କି ଦୃଶ୍ୟପଟ୍ଟକୁ ସୁନ୍ଦର କରି ଦର୍ଶକଙ୍କୁ ନିଜ ଆଡ଼କୁ ଟାଣି ପାରିବା ନାହିଁ। କେବଳ ଖବରର ମାନ ଉଚ୍ଚ ରହିଲେ ହିଁ ବିଶ୍ବାସଭାଜନ ହୋଇପାରିବା ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ। ଲୋକପ୍ରିୟ ରେଡିଓ ଉଦ୍‌ଘୋଷକ ନଦିଆ ବିହାରୀ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶାରେ ରେଡିଓର ଆରମ୍ଭରୁ ଏପର୍ଯ୍ୟନ୍ତର ଯାତ୍ରା ସମ୍ପର୍କରେ କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ରେଡିଓ ବ୍ୟକ୍ତିତ୍ବ ଅଶୋକ ପାଣିଗ୍ରାହୀ ଯୋଗଦେଇ ରେଡିଓର ଇତିହାସ, ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ଆଲୋକପାତ କରିଥିଲେ। ଆଉଟ୍‌ରିଚ୍‌ର ଆବାହକ ସୁବ୍ରତ ପତି ସ୍ବାଗତ ଭାଷଣ ଓ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର