ଆରମ୍ଭ ହେଲା ଜାତୀୟ ନାଟ୍ୟ ଉତ୍ସବ ‘ପୂର୍ବ ରଂଗ’: ଆଖିରେ ଲୁହ ଭରିଲା ‘କୁଆଁ କୁଆଁ’

ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସଂଗୀତ ନାଟକ ଏକାଡେମି, ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର (କୋଲକାତା) ଓ ଓଡ଼ିଶା ନାଟ୍ୟସଂଘର ମିଳିତ ସହଯୋଗରେ ଆଜିଠାରୁ ରବୀନ୍ଦ୍ର ମଣ୍ଡପରେ ଆରମ୍ଭ ହୋଇଛି ଜାତୀୟ ନାଟ୍ୟ ଉତ୍ସବ ‘ପୂର୍ବ ରଂଗ-୨୦୨୩’। ଆଜି ପ୍ରଥମ ସଂଧ୍ୟାରେ ନାଟ୍ୟକାର ଓ ନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକଙ୍କ ଓଡ଼ିଆ ନାଟକ ‘କୁଆଁ କୁଆଁ’ ମଞ୍ଚସ୍ଥ ହୋଇଛି। ଏହି ନାଟକ କରୋନା ସମୟର କାହାଣୀ ଉପରେ ପର୍ଯ୍ୟବସିତ। କରୋନା କେମିତି ଦେଶକୁ ଆସିଲା। କରୋନା ଆସିବା ପରେ କ’ଣ ସବୁ ସମସ୍ୟା ଦେଖାଦେଲା। ବିଶେଷକରି ପେଟ ପୋଷିବାକୁ ନିଜ ଗାଁ ଛାଡ଼ି ଦୂର ସହରକୁ ଯାଇଥିବା ମଣିଷମାନଙ୍କ ଦୁଃଖ, ଯନ୍ତ୍ରଣାକୁ ଏହି ନାଟକରେ ଚିତ୍ରଣ କରାଯାଇଛି।

ଭୁବନେଶ୍ବର ନାଟ୍ୟ ଚେନତାର କଳାକାର ଦେବାଶିଷ, ସୁଜାତା ପ୍ରିୟମ୍ବଦା, ସ୍ମୃତି, ଉମା, ରାହୁଲ, ଧନଞ୍ଜୟ, ପୂଜା, ସଞ୍ଜୀବ, ପ୍ରତାପ, ରତିକାନ୍ତ, ବଣ୍ଟି, ଅରୟୁଷ, ବିପ୍ଳବ, ସଞ୍ଜିତ୍‌ ଓ ଚନ୍ଦନ ନିଖୁଣ ଅଭିନୟ ମାଧ୍ୟମରେ ନାଟକକୁ ଜୀବନ୍ତ କରିଥିଲେ। ନାଟକ ଅନେକଙ୍କ ଆଖିରେ ଲୁହ ଆଣି ଦେଇଥିଲା। ସଂଧ୍ୟାରେ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, ବିଭାଗର ନିର୍ଦ୍ଦେଶକ ରଂଜନ କୁମାର ଦାସ, ଯୁଗ୍ମ ସଚିବ ମଧୁସୂଦନ ଦାସ, ଓଡ଼ିଶା ସଂଗୀତ ନାଟକ ଏକାଡେମିର ସଭାପତି ଅରୁଣା ମହାନ୍ତି, ଉପସଭାପତି ମନ୍ମଥ ଶତପଥୀ, ସଚିବ ପ୍ରବୋଧ ରଥ, ଓଡ଼ିଶା ନାଟ୍ୟସଂଘର ସଭାପତି ହରେନ୍‌ ସାହୁ, ସମ୍ପାଦକ ଶୁଭକାନ୍ତ ପାଢ଼ୀ ପ୍ରମୁଖ ଯୋଗଦେଇ କଳାକାରଙ୍କୁ ଉତ୍ସାହିତ କରିଥିଲେ। ଆସନ୍ତାକାଲି ହିନ୍ଦୀ ନାଟକ ‘ୟେ ହେ ବମ୍ବେ ମେରି ଜାନ୍‌’ ମଞ୍ଚସ୍ଥ ହେବାକୁ ଥିବା ବେଳେ ୩ ତାରିଖରେ ‘ଆରେ ମାୟାବୀ ସରୋବର’ ଓ ଶେଷ ଦିନ ବଙ୍ଗଳା ନାଟକ ‘ମେଡିଆ’ ମଞ୍ଚସ୍ଥ ହେବ।

ସମ୍ବନ୍ଧିତ ଖବର