ଜାତୀୟ ଧାରା କାର୍ଯ୍ୟକ୍ରମ ‘ସମୁଦ୍ରମନ୍ଥନ’ ଉଦ୍‌ଘାଟିତ

ଭୁବନେଶ୍ୱର: ଆଜାଦୀ କା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ତିନିଦିନିଆ ଜାତୀୟ ଧାରା କାର୍ଯ୍ୟକ୍ରମ ‘ସମୁଦ୍ରମନ୍ଥନ’ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ (ସୋଆ)ରେ ଉଦ୍‌ଘାଟିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କର ଶିକ୍ଷା ମନ୍ତ୍ରାଳୟର ଭାରତୀୟ ଜ୍ଞାନ ବ୍ୟବସ୍ଥା (ଇଣ୍ଡିଆନ୍ ନଲେଜ ସିଷ୍ଟମ୍ ଡିଭିଜନ୍‌), ସଂସ୍କୃତି ମନ୍ତ୍ରଣାଳୟ ଓ ସୋଆର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ବକ୍ତାମାନେ ଭାରତର ସାମୁଦ୍ରିକ ଇତିହାସ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟାମଣ୍ଡଳୀର ସଦସ୍ୟ ତଥା ଲେଖକ ସଞ୍ଜୀବ ସାନ୍ୟାଲ୍‌, ଆଇକେଏସ୍ ଡିଭିଜନ୍‌ର ଜାତୀୟ ସଂଯୋଜକ ପ୍ରଫେସର୍‌ ଜିଏସ୍‌ ମୂର୍ତ୍ତି, ଆଜାଦୀ କା ଅମୃତ ମହୋତ୍ସବର ନିର୍ଦ୍ଦେଶିକା ପ୍ରିୟଙ୍କା ଚନ୍ଦ୍ରା ଏବଂ ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ।

ଶ୍ରୀ ସାନ୍ୟାଲ୍‌ ଭାରତର ପୁରାତନ ସାମୁଦ୍ରିକ ଐତିହ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଭାରତ ଏକମାତ୍ର ଦେଶ, ଯାହା ନାମରେ ଏକ ମହାସାଗର ନାମିତ କରାଯାଇଛି ବୋଲି ସେ କହିଥିଲେ। ପ୍ରଫେସର୍‌ ମୂର୍ତ୍ତି କହିଥିଲେ, ସମୁଦ୍ରମନ୍ଥନ କାର୍ଯ୍ୟକ୍ରମ ଭାରତର ପୁରାତନ ସାମୁଦ୍ରିକ ଇତିହାସ ଏବଂ ସଫଳତାକୁ ଗୁରୁତ୍ୱ ଦେବା ନିମନ୍ତେ ଆୟୋଜିତ ହେଉଛି। ଏହାକୁ ମାଧ୍ୟମ କରି ଆଗାମୀ ୨୫ବର୍ଷ ପର୍ଯ୍ୟନ୍ତ ଏକ ଭବିଷ୍ୟତ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା ନିମନ୍ତେ ପ୍ରଚେଷ୍ଟା କରାଯାଉଛି। ସୋଆର ୟୁନିଭର୍ସିଟି ଆଉଟ୍‌ରିଚ୍ ପ୍ରୋଗ୍ରାମ୍‌ ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ସ୍ୱାଗତ ଭାଷଣ ଦେଇଥିବା ବେଳେ ଛାତ୍ର ମଙ୍ଗଳ ଡିନ୍‌ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଧନ୍ୟବାଦ ଦେଇଥିଲେ। ଏହି ୩ ଦିନିଆ ସମ୍ମିଳନୀର ଶେଷ ଦୁଇଦିନ କାର୍ଯ୍ୟକ୍ରମ କଟକଠାରେ ଅବସ୍ଥାପିତ ଓଡ଼ିଶା ସାମୁଦ୍ରିକ ସଂଗ୍ରହାଳୟରେ ଆୟୋଜିତ ହେବ। ଏଥିରେ ଭାରତର ପ୍ରାଚୀନ ସାମୁଦ୍ରିକ ପରମ୍ପରା, ଜାହଜ ନିର୍ମାଣ, ଜାହାଜ ଚଳାଚଳ, ବାଣିଜ୍ୟ ଏବଂ ସଂସ୍କୃତିର ଆଦାନପ୍ରଦାନ, ସାମୁଦ୍ରିକ ସୁରକ୍ଷା ଓ ଅନ୍ତର୍ଜାତୀୟ ଆଇନ ଆଦି ସଂପର୍କରେ ଆଲୋଚନା କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର