ଜାତୀୟ ଜନଜାତି କଳାବସ୍ତୁ ମେଳା : ଆକର୍ଷିତ କରୁଛି ଅଭଙ୍ଗା କଣ୍ଢେଇ

ଭୁବନେଶ୍ୱର : ଆଜିର ସହରି ମଣିଷ ଯେତେ ଆଧୁନିକତା ପଛରେ ଗୋଡ଼ାଇଲେ ମଧ୍ୟ ପୁରୁଣା ହାତ ତିଆରି ଜିନିଷର ଆକର୍ଷଣକୁ ସହଜରେ ଏଡ଼ାଇ ପାରେନି। ରାଜଧାନୀରେ ଗତକାଲିଠାରୁ ଆରମ୍ଭ ହୋଇଥିବା ଜାତୀୟ ଜନଜାତି କଳାବସ୍ତୁ ମେଳାରେ ଲୋକଙ୍କ ଭିଡ଼ ଏହା ହିଁ ପ୍ରମାଣ କରୁଛି। ଏହି ମେଳାରେ ସହରବାସୀ ସିଧାସଳଖ ଆଦିବାସୀ କାରିଗର ଅଦ୍ଭୁତ କାରିଗରୀ ସମ୍ପର୍କରେ ଜାଣିବା ସହ ଓ ତାଙ୍କ ହାତ ତିଆରି ଜିନିଷ ହାତପାଆନ୍ତାରେ ପାଇପାରୁଛନ୍ତି। ଘର ସଜାଇବା ପାଇଁ ମେଳାରେ ଉପଲବ୍ଧ ପୁରାତନ ଜିନିଷର ଚାହିଦା ଅଧିକ ରହିଛି। ଯେମିତିକି ମେଳାରେ ମିଳୁଥିବା ଅଭଙ୍ଗା କଣ୍ଢେଇ ଲୋକଙ୍କୁ ବିଶେଷ ଭାବେ ଆକର୍ଷିତ କରୁଛି।

କାଗଜରେ ତିଆରି ହୋଇଥିବା ବିଭିନ୍ନ ପ୍ରକାରର ଅଭଙ୍ଗା କଣ୍ଢେଇ ଦେଖିବା ପାଇଁ ଏବଂ କିଣିବା ପାଇଁ ଏହି ଷ୍ଟଲ୍‌ରେ ବିଶେଷ ଭିଡ଼ ଜମୁଛି। ଏସବୁ କଣ୍ଢେଇ ତିଆରିର ବିଶେଷ ପ୍ରଣାଳୀ ରହିଛି। ଜଣେ କାରିଗରଙ୍କ କହିବା ଅନୁଯାୟୀ ପ୍ରଥମେ କାଗଜକୁ ପାଣିରେ ବତୁରା ଯାଇ ଏହାକୁ ଗ୍ରାଇଣ୍ଡିଂ କରାଯାଇଥାଏ। ପରେ ଏହାକୁ କଇଁଆ ମଞ୍ଜି ଅଠା ଓ ଚକ୍‌ ଗୁଣ୍ଡ ସାହାଯ୍ୟରେ ଏକପ୍ରକାର ମଣ୍ଡ ପ୍ରସ୍ତୁତ କରାଯିବା ପରେ ହାତରେ କଣ୍ଢେଇ ତିଆରି କରାଯାଏ। ଶେଷରେ ଏହାକୁ ରଙ୍ଗ ଦେଇ ପେନ୍‌ଷ୍ଟାଣ୍ଡ, କାଗଜ ଗଣେଶ, ମାଛ, ପାନପତ୍ର, ବଡ଼ ବଡ଼ ଫୁଲଦାନି, ଜଗନ୍ନାଥଙ୍କ ଫଟୋ ପରି ଅନେକ ଜିନିଷ ତିଆରି କରାଯାଇଥାଏ। କାଗଜରେ ତିଆରି ଏଭଳି ଜିନିଷ ତିଆରି କରିବା ପାଇଁ ୨ରୁ ୩ଦିନ ଲାଗିଥାଏ। ଏହି ସ୍ୱତନ୍ତ୍ର କାଗଜ ତିଆରି ଅଭଙ୍ଗା କଣ୍ଢେଇର ମୂଲ୍ୟ ୫୦ଟଙ୍କାରୁ ଆରମ୍ଭ ହୋଇ ୧୦,୦୦୦ଟଙ୍କା ପର୍ଯ୍ୟନ୍ତ ରହିଛି ବୋଲି ଜଣେ କାରିଗର କହିଛନ୍ତି।

ଜନଜାତି କଳାବସ୍ତୁ ମେଳାକୁ ଏହି ସାମଗ୍ରୀ ନେଇ ଆସିଥିବା କେନ୍ଦୁଝରର ଜ୍ୟୋତି ପ୍ରକାଶ କହନ୍ତି, ପ୍ରାୟ ୩୦ବର୍ଷ ହେଲା ଏହି କାମ ଆରମ୍ଭ କରିଛୁ। ପ୍ରଥମେ ମୋ ବାପା ଆରମ୍ଭ କରିଥିଲେ। ଏବେ କିଛି ପିଲା ଟ୍ରେନିଂ ନେଇ କାମ କରୁଛନ୍ତି । ଦିନକୁ ଦିନ ଏହାର ଚାହିଦା ବଢ଼ିବାରେ ଲାଗିଛି। ଏହାକୁ ଫୋପାଡ଼ିଲେ ବି ଭାଙ୍ଗିବ ନାହିଁ। ଅଭଙ୍ଗା କଣ୍ଢେଇ ନେବାପାଇଁ ଲୋକମାନେ ବହୁ ସଂଖ୍ୟାରେ ଆସୁଛନ୍ତି। ଭଲ ବେପାର ହେଉଛି।

ବଢ଼ୁଛି ଲୁହା ତିଆରି ମୂର୍ତିର ଚାହିଦା

ମେଳାରେ ଲୁହାରେ ତିଆରି ମୂର୍ତ୍ତିର ମଧ୍ୟ ଭଲ ଚାହିଦା ରହିଛି । ଛତିଶଗଡ଼ରୁ ଆସି ମେଳାରେ ଷ୍ଟଲ ପକାଇଥିବା ମୁକେଶ ବିଶ୍ୱକର୍ମା କହନ୍ତି ଆମେ ଲୁହାକୁ ତରଳାଇ ଛୋଟ ବଡ଼ ମୂର୍ତ୍ତି, ସୂର୍ଯ୍ୟ ଦେବତା, ବଡ଼ ବଡ଼ ତୋରଣ , ସୈନିକ, ଲଣ୍ଠନ, ପକ୍ଷୀ, ମାଛ ଏବଂ ଆହୁରି ଅନେକ ପ୍ରକାରର ଜିନିଷ ତିଆରି କରୁ। ଏଗୁଡ଼ିକୁ ଘରେ ସଜାଇଲେ ଏହାର ଆକର୍ଷଣ ଦ୍ୱିଗୁଣିତ ହୋଇଥାଏ। ଏହା ବହୁତ ସୂକ୍ଷ୍ମ କାମ ହୋଇଥିବାରୁ ତିଆରି କରିବା ପାଇଁ ୪ରୁ ୫ଦିନ ଲାଗିଥାଏ। ଏସବୁର ମୂଲ୍ୟ ୮୦ଟଙ୍କାରୁ ୧୬୦୦ଟଙ୍କା ପର୍ଯ୍ୟନ୍ତ ରହିଛି।

ମେଳାକୁ ବୁଲି ଆସିଥିବା ତୃପ୍ତି ରଞ୍ଜନ ରାଉତ କହନ୍ତି ଲୁହାରେ ତିଆରି ହୋଇଥିବା ଜିନିଷ ଟିକେ ଶସ୍ତା ଓ ଆଖିକୁ ବହୁତ ସୁନ୍ଦର ଦିଶୁଛି। ମୁଁ ଏଠାରୁ ସୂର୍ଯ୍ୟ ଓ ଶନି ଦେବଙ୍କ ମୂର୍ତ୍ତି କିଣିଛି। ଉଲ୍ଲେଖଯୋଗ୍ୟ ଯେ ଶୁକ୍ରବାରରୁ ଆରମ୍ଭ ହୋଇଥିବା ଏହି ମେଳାରେ ୧୦ଟି ରାଜ୍ୟର ଶହେରୁ ଅଧିକ ଜନଜାତି କାରିଗର ଅଂଶଗ୍ରହଣ କରିଛନ୍ତି। ମେଳାରେ ପ୍ରାୟ ୫୦ଟି ଷ୍ଟଲ ଖୋଲିଛି। ଏହି ମେଳା ଆସନ୍ତା ୩୦ ତାରିଖ ଯାଏ ଚାଲିବ।

ସମ୍ବନ୍ଧିତ ଖବର