ଖଣ୍ଡଗିରି: ବିଭିନ୍ନ ରାଜ୍ୟରୁ ମୋଗ, ବିରିଜିଆ, ଭୂମିଜ, ଚକମା, ଚଉଧାରୀ, ଗଡ଼ବା, ଗଲୋ, ଗରୋ, ଭିଲି ଭଳି ଆଦିବାସୀ ଭାଷାର ୭୦ରୁ ଅଧିକ ଲେଖକ ଥିଲେ ପ୍ରେକ୍ଷାଳୟରେ। ଭିନ୍ନ ଭିନ୍ନ ଭାଷା, ପରମ୍ପରା ଓ ସଂସ୍କୃତିର ଲୋକେ ବସିଥିବାରୁ ପ୍ରେକ୍ଷାଳୟ ମିନି ଭାରତ ଭଳି ଲାଗୁଥିଲା। ଅବସର ଥିଲା ସାହିତ୍ୟ ଅକାଦେମି ଏବଂ ପ୍ରାଚୀନ, ଶିକ୍ଷା ଓ ଅନୁସନ୍ଧାନ ପକ୍ଷରୁ ଅନ୍ତର୍ଜାତୀୟ ବିଶ୍ୱ ମୂଳନିବାସୀ ଦିବସ ଅବସରରେ ଆୟୋଜିତ ‘ସର୍ବ ଭାରତୀୟ ଜନଜାତି ଲେଖକ ସମ୍ମିଳନୀ’ର।
୨ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଉଦ୍ଘାଟକ ଭାବେ ପଦ୍ମଶ୍ରୀ ହଳଧର ନାଗ ଯୋଗଦେଇ କହିଥିଲେ, କବି ଶ୍ରଷ୍ଟା, ବ୍ରହ୍ମା ଓ ଯୁଗଜନ୍ମା। ଆଦିକବି ବାଲ୍ମିକୀ ଯଦି ରାମାୟଣ ଲେଖି ନଥାନ୍ତେ, ତେବେ ରାମଙ୍କୁ କେହି ଜାଣି ନଥାନ୍ତେ; ବ୍ୟାସଦେବ ଯଦି ଭାଗବତ ଲେଖି ନଥାନ୍ତେ ତେବେ ଶ୍ରୀକୃଷ୍ଣଙ୍କୁ କେହି ଜାଣି ନଥାନ୍ତେ। କବି ଯେମିତି ନିଜ ଲେଖନୀରେ ଠାକୁରଙ୍କୁ ଦେଖେଇଲେ, ଲୋକେ ଠାକୁରଙ୍କୁ ସେମିତି ଗ୍ରହଣ କଲେ। କବି ଭଗବାନଙ୍କ ବିଷୟରେ ଲେଖିବାରୁ ହିଁ ଭଗବାନ, ଭଗବାନ ଭାବେ ପୂଜା ପାଇଲେ। ସେ ଆହୁରି କହିଥିଲେ, ବିଶ୍ୱର ୭୦୦୦ ମୂଳଭାଷାରୁ ୪୦ ପ୍ରତିଶତ ଲୋପ ପାଇସାରିଥିବା ବେଳେ ଏହି ଧାରାକୁ ବନ୍ଦ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ। ଏଥିପାଇଁ ୟୁନେସ୍କୋ ପକ୍ଷରୁ ୨୦୨୨-୨୦୩୨ ଦଶକକୁ ମୂଳନିବାସୀ ଭାଷାଗୁଡ଼ିକର ସୁରକ୍ଷା ଓ ସଂରକ୍ଷଣର ବର୍ଷ ଭାବେ ଘୋଷଣା କରାଯାଇଛି। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ସାହିତ୍ୟ ଅକାଦେମିର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ଗୌରହରି ଦାସ କହିଥିଲେ, ଆଦିବାସୀ ସଂସ୍କୃତିରେ ସ୍ବାଭିମାନ, ସମ୍ପର୍କ ଓ ସୌନ୍ଦର୍ଯ୍ୟବୋଧ ଭଳି ତିନିଟି କଥା ଦେଖିବାକୁ ମିଳେ। ସେମାନଙ୍କ ସମ୍ପର୍କରେ ଭୌତିକ ଓ ଅଧ୍ୟାତ୍ମିକ ଭାବନା ଯୋଡ଼ି ହୋଇଥାଏ। ଓଡ଼ିଶାରେ ପ୍ରାୟ ୬୨ ପ୍ରକାରର ଜନଜାତିର ଲୋକ ବସବାସ କରୁଛନ୍ତି, ସେମାନେ ୭୪ଟି ଭାଷା ବ୍ୟବହାର କରନ୍ତି। ତନ୍ମଧ୍ୟରୁ ଅନେକ ଭାଷା ବିଲୁପ୍ତ ହୋଇଯାଇଛି ଆଉ ଅନେକ ମରିମରି ଚାଲିଛି। ଏହି ଭାଷାଗୁଡ଼ିକୁ ତଥା ଏହାର କାହାଣୀ ଓ କଥାକୁ ସାଇତି ରଖିବା ଉଚିତ ବୋଲି ଶ୍ରୀ ଦାସ କହିଥିଲେ। ସାହିତ୍ୟ ଅକାଦେମିର ସଚିବ କେ. ଶ୍ରୀନିବାସ ରାଓ କହିଲେ, ମୂଳନିବାସୀ ଜନଜାତି ବିଶ୍ୱ ସଂସ୍କୃତିର ମୂଳ ଭଣ୍ଡାର, ସେମାନଙ୍କର ଯତ୍ନ ନନେଲେ ଆମେ ଆମ ସଂସ୍କୃତିକୁ ହରାଇବା ଓ ସେମାନଙ୍କ ନିକଟରେ ଉପଲବ୍ଧ ପୁରାତନ ଜ୍ଞାନ ମଧ୍ୟ ହଜିଯିବ। ଆଦିବାସୀ ଭାଷା ଓ ସଂସ୍କୃତିକୁ ଆହୁରି ଭଲ ଭାବରେ ଜାଣିବା ପାଇଁ ଓ ସଂରକ୍ଷଣ ପାଇଁ ଓଡ଼ିଶା ସରକାଙ୍କ ସହାୟତାରେ ‘ସେଣ୍ଟର ଫର୍ ରୁରାଲ ଓ ଟ୍ରାଇବାଲ ଲିଟରେଚର୍’ ନାମରେ ଏକ କାର୍ଯ୍ୟାଳୟ ନିର୍ମାଣ ପାଇଁ ଖୁବ୍ ଶୀଘ୍ର କାମ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଥିଲେ।
ବିଶିଷ୍ଟ ଗବେଷକ ଜଗନ୍ନାଥ ଦାଶ ଜନଜାତି ସମ୍ପ୍ରଦାୟ ଆଧୁନିକତାରେ ପ୍ରଭାବିତ ହୋଇ ନିଜ ସଂସ୍କୃତି ଠାରୁ ଦୂରେଇଯାନ୍ତି ନାହିଁ ବୋଲି କହିଥିଲେ। ସେମାନେ ପାହାଡ, ପର୍ବତ, ନଦୀ ଓ ଝରଣା ସହିତ ଯୋଡି ହୋଇ ରହିଥାନ୍ତି ବୋଲି କହିଥିଲେ। ସାହିତ୍ୟ ଅକାଦେମି ସାନ୍ତାଳୀ ଉପଦେଷ୍ଟା ମଣ୍ଡଳୀର ଆବାହକ ଚୈତନ୍ୟ ପ୍ରସାଦ ମାଝି, ବିଶିଷ୍ଟ ଭାଷାବିତ୍ ଦେବୀପ୍ରସନ୍ନ ପଟ୍ଟନାୟକ ଏହି ଅବସରରେ ମଞ୍ଚରେ ଉପସ୍ଥିତ ରହି ନିଜର ଅଭିଭାଷଣ ରଖିଥିଲେ। ଏହି ଅବସରରେ ‘ପ୍ରାଚୀନ’ ପକ୍ଷରୁ ଆଦିକବି ସାରୋଳଦାସଙ୍କ ‘ସାରୋଳଦାସ ମହାଭାରଥ’ର ଗଦ୍ୟ ରୂପାନ୍ତର ‘ଆଦିପର୍ବ’ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ କରାଯାଇଥିଲା। ‘ପ୍ରାଚୀନ’ର ମୁଖ୍ୟ ଗାୟତ୍ରୀବାଳା ପଣ୍ଡା ଅତିଥି ପରିଚୟ କରାଇଥିବା ବେଳେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏହାକୁ ପରିଚାଳନା କରିଥିଲେ। ପରେ ବିଭିନ୍ନ ରାଜ୍ୟରୁ ଆସଥିବା ଆଦିବାସୀ କବି କଥାକାରମାନେ ନିଜ କବିତା ଓ ଗଳ୍ପ ପାଠ କରିଥିଲେ।