ଭୁବନେଶ୍ୱର : ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ନାଗରିକଙ୍କ ହାତରେ ସବୁଠାରୁ କ୍ଷମତାଶାଳୀ ଅସ୍ତ୍ର ହେଉଛି ମତଦାନ। ଭାରତ ପରି ଏକ ବିଶାଳ ଗଣତାନ୍ତ୍ରିକ ରାଷ୍ଟ୍ରରେ ମତଦାନର ଭୂମିକା ଆହୁରି ଗୁରୁତ୍ୱପୂର୍ଣ୍ଣ। ପ୍ରତି ପାଞ୍ଚ ବର୍ଷରେ ଥରେ ନାଗରିକମାନେ ଏହି ଅସ୍ତ୍ରକୁ ବ୍ୟବହାର କରି ଗଣତନ୍ତ୍ରକୁ ମଜବୁତ୍‌ କରିବାରେ ସହାୟକ ହୁଅନ୍ତି। କିନ୍ତୁ ରାଜଧାନୀ ଭୁବନେଶ୍ୱରରେ ମତଦାନ ହାର ଦେଖିଲେ ଶିକ୍ଷିତ ସମାଜ ପ୍ରତି ଲଜ୍ଜା ଆସିବ। ଏଠାରେ ଅଧିକ ଉଚ୍ଚଶିକ୍ଷିତ ଲୋକ ରହୁଥିଲେ ବି ମତଦାନ ପ୍ରତି ବିମୁଖ। ଏପରିକି ଓଡ଼ିଶାର ମତଦାନ ତୁଳନାରେ ଭୁବନେଶ୍ୱରରେ ମତଦାନ କମ୍‌। ଶିକ୍ଷିତ ହୋଇ ମଧ୍ୟ ନିଜ ପାଇଁ ଜନପ୍ରତିନିଧି ବାଛିବାରେ ସହରବାସୀ କୁଣ୍ଠାବୋଧ ପ୍ରକାଶ କରିବା ଆଶ୍ଚର୍ଯ୍ୟର ବିଷୟ।

Advertisment

୨୦୦୯ ଓ ୨୦୧୪ ସାଧାରଣ ନିର୍ବାଚନରେ ଭୁବନେଶ୍ୱରର ତିନି ନିର୍ବାଚନମଣ୍ଡଳୀର ମତଦାନ ହାର ବେଶ୍‌ ନୈରାଶ୍ୟଜନକ। ୨୦୧୪ରେ ଭୁବନେଶ୍ୱର ମଧ୍ୟ, ଉତ୍ତର ଓ ଏକାମ୍ର ନିର୍ବାଚନମଣ୍ଡଳୀରେ ମତଦାନ ହାର ଥିଲା ଯଥାକ୍ରମେ ୪୧.୯୫, ୪୧.୩୪ ଓ ୪୫.୯୮ ପ୍ରତିଶତ। ଏହି ନିର୍ବାଚନରେ ଓଡ଼ିଶାରେ ମତଦାନ ହାର ଥିଲା ୭୩.୬୫%। ୨୦୦୯ରେ ତ ସ୍ଥିତି ଆହୁରି ସଙ୍ଗୀନ ଥିଲା। ଭୁବନେଶ୍ୱରର ମଧ୍ୟ, ଉତ୍ତର ଓ ଏକାମ୍ର ନିର୍ବାଚନମଣ୍ଡଳୀରେ ମତଦାନ ହାର ଥିଲା ଯଥାକ୍ରମେ ୩୩.୭୮,୩୫.୦୯ ଓ ୩୭.୨୧ ପ୍ରତିଶତ। ଏହି ନିର୍ବାଚନରେ ଓଡ଼ିଶାର ମତଦାନ ହାର ଥିଲା ୬୫.୩୦%। କେବଳ ସାଧାରଣ ନିର୍ବାଚନ ନୁହେଁ, ବିଏମ୍‌ସି ନିର୍ବାଚନରେ ମଧ୍ୟ ସମାନ ସ୍ଥିତି। ୨୦୧୪ ବିଏମ୍‌ସି ନିର୍ବାଚନରେ ମତଦାନ ୪୩ ପ୍ରତିଶତରେ ସୀମିତ ଥିଲା। ୨୦୦୮ ବିଏମ୍‌ସି ନିର୍ବାଚନରେ ମତଦାନ ହାର ଆହୁରି କମ୍‌ ଥିଲା।

ଭୁବନେଶ୍ୱରରେ ମତଦାନ ହାର ଦେଖିଲେ ସ୍ପଷ୍ଟ ଜଣାପଡ଼ୁଛି ଏଠାରେ ୫୫ ପ୍ରତିଶତରୁ ଅଧିକ ଭୋଟର୍‌ ମତଦାନ କେନ୍ଦ୍ରକୁ ଯିବାକୁ ପ୍ରସ୍ତୁତ ନାହାନ୍ତି। ଏଠାରେ ସର୍ବାଧିକ ଶିକ୍ଷିତ ଓ ସଚେତନ ନାଗରିକ ଥିଲେ ମଧ୍ୟ ମତଦାନ ପ୍ରତି ଏପରି ବିମୁଖ ହେବା ଘଟଣା ଗଣତାନ୍ତ୍ରିକ ରାଷ୍ଟ୍ର ପ୍ରତି ଏକ ଲଜ୍ଜାଜନକ ବିଷୟ ବୋଲି ମତପ୍ରକାଶ ପାଉଛି। ଆହୁରି ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ ଯେତିକି ମତଦାନ ହେଉଛି ସେଥିରୁ ସିଂହଭାଗ ବସ୍ତିରେ ହେଉଛି। ବସ୍ତି ଭୋଟ୍‌ ହିଁ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେଉଛି। ସହରର ତଥାକଥିତ ଶିକ୍ଷିତ ଓ ସମ୍ଭ୍ରାନ୍ତ ଅଞ୍ଚଳରେ ମତଦାନ ଅତ୍ୟନ୍ତ ନୈରାଶ୍ୟଜନକ।

ପ୍ରତି ବର୍ଷ ଜାନୁଆରି ୨୫ରେ ଭାରତର ନିର୍ବାଚନ କମିସନ୍‌ଙ୍କ ପ୍ରତିଷ୍ଠା ଦିବସ ପାଳନ କରାଯିବା ସହ ଏହି ଦିନଟିକୁ ଜାତୀୟ ମତଦାନ ଦିବସ ରୂପେ ପାଳନ କରାଯାଉଛି। ଭାରତ ବର୍ଷର ଯୁବ ଭୋଟମାନଙ୍କୁ ନିର୍ବାଚନରେ ମତଦାନ କରିବା ପାଇଁ ସଚେତନ କରିବା ଓ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବା ହେଉଛି ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ଭୁବନେଶ୍ୱର ପରି ବିକାଶୋନ୍ମୁଖୀ ସହରରେ ମତଦାନ ନେଇ ଆବଶ୍ୟକ ସଚେତନତା ସୃଷ୍ଟି ନ ହେବା ଚିନ୍ତାର କାରଣ ହୋଇଛି।

ସହରର ଲୋକ ଭଲ କଥା କୁହନ୍ତି, ଭୋଟ ଦେବା ପାଇଁ ଆଗ୍ରହୀ ନୁହଁନ୍ତି
ନିର୍ବାଚନ କମିସନ୍‌ଙ୍କୁ ଭାରତରେ ଭୋଟର ଦିବସ ପାଳନ କରିବା ପାଇଁ ମୁଁ ମତାମତ ଦେଇଥିଲି। ଏହା ମଧ୍ୟ ଗୃହୀତ ହେଲା। ସହରବାସୀ କଥା କହିବାରେ ଆଗୁଆ, ମଜା ଖଟି କରିବାରେ ଆଗୁଆ। କିନ୍ତୁ ୧୦ ମିନିଟ୍‌ ମତଦାନ କେନ୍ଦ୍ରରେ ଠିଆ ହୋଇ ଭୋଟ୍‌ ଦେବା ପାଇଁ କେବେ ଆଗ୍ରହ ପ୍ରକାଶ କରନ୍ତି ନାହିଁ। ତେବେ ଗ୍ରାମାଞ୍ଚଳରେ ଭୋଟ ଦେବା ପାଇଁ ଲୋକମାନେ ଆଗ୍ରହ ପ୍ରକାଶ କରନ୍ତି। ଯୁବକ ଯୁବତୀମାନେ କିପରି ଅଧିକ ପରିମାଣରେ ଭୋଟ ଦେବେ, ସେଥିପାଇଁ ଭୋଟରଦାତାଙ୍କ ବୟସ ୨୧ରୁ କମ୍‌ କରାଯାଇ ୧୮କୁ କରାଗଲା। ମତଦାନ ହାର କମିବାର କାରଣ ଜାଣିବା ପାଇଁ ଇଲେକ୍ସନ କମିସନ ଏକ ଅଧ୍ୟୟନ କରିଥିଲେ। ସେଥିରୁ ଜଣାଗଲା ଯେ ଭୋଟର୍‌ମାନେ ମତଦାନ ଅଧିକାର ପ୍ରତି ବିଶେଷ ଭାବେ ସଚେତନ ନ ଥିବାରୁ ଏପରି ସମସ୍ୟା ସୃଷ୍ଟି ହେଉଛି।
ଡ.ଭଗବାନ ପ୍ରକାଶ, ଭାରତର ନିର୍ବାଚନ କମିସନ୍‌ଙ୍କ ପରାମର୍ଶଦାତା

ପ୍ରାର୍ଥୀଙ୍କ ପ୍ରତି ଆସ୍ଥା ରହିଲେ ଭୋଟର୍‌ମାନେ ଭୋଟ ଦେବାକୁ ଆଗ୍ରହୀ ହେବେ
ମୋ ମତରେ ଯଦି ତିନିଟି କଥାକୁ ଠିକ୍‌ ଭାବେ ପାଳନ କରାଯିବ, ତା’ହାଲେ ସମସ୍ତ ମତଦାତା ନିଜ ଇଚ୍ଛାରେ ଭୋଟ ଦେବେ। ପ୍ରଥମତଃ ଯଦି ଭଲ ପ୍ରାର୍ଥୀଟିଏ ନିର୍ବାଚନ ଲଢ଼ୁଥାଏ ଓ ସେ ଭୋଟରମାନଙ୍କୁ ସମ୍ମାନ ଦେଉଥାଏ, ତା’ହାଲେ ଆମର ଯେତେ ପରିମାଣରେ ମତଦାନ କମୁଛି ତାହା ହେବ ନାହିଁ। ଦ୍ୱିତୀୟତଃ ଯିଏ ଲୋକମାନଙ୍କୁ ସାହାଯ୍ୟ କରିପାରୁଥିବ ଓ ଲୋକମାନେ ବିଶ୍ୱାସ କରିବା ଦରକାର କି ସେ ନିର୍ବାଚନରେ ଜିତିଲେ ନିଜ ଅଞ୍ଚଳରେ ହେଉଥିବା ବିଭିନ୍ନ ପ୍ରକାରର ସମସ୍ୟାର ସମାଧାନ କରିବାରେ ସକ୍ଷମ ହେବ। ତୃତୀୟ କଥା ହେଲା ଅନେକ ଲୋକଙ୍କ ଭୋଟ ଦେବାର କୌଣସି ଆଗ୍ରହ ନଥାଏ, ଯାହା ଦ୍ୱାରା ସେମାନେ ବୁଥ୍‌କୁ ଯାଆନ୍ତି ନାହିଁ କି ଭୋଟ ଦିଅନ୍ତି ନାହିଁ। ସେମାନଙ୍କ ମଧ୍ୟରେ ଯଦି ଆଗ୍ରହ ସୃଷ୍ଟି କରାଯିବ, ତେବେ ଏହି ସମସ୍ୟା କିଛି ପରିମାଣରେ ସମାଧାନ ହୋଇପାରିବ।
ଅଜିତ୍‌ ତ୍ରିପାଠୀ, ପୂର୍ବତନ ରାଜ୍ୟ ନିର୍ବାଚନ କମିସନର୍‌

ମତଦାନ ପାଇଁ ପରିବାର ଲୋକ ଆଗ୍ରହ ସୃଷ୍ଟି କରିବା ଦରକାର
ଭୋଟ ଦେବା ଜନସାଧାରଣଙ୍କ ମୌଳିକ ଅଧିକାର। କିନ୍ତୁ ସଚେତନତା ଅଭାବରୁ ଭୋଟ ଦେବା ପାଇଁ କେହି ଆଗ୍ରହ ପ୍ରକାଶ କରୁନାହାନ୍ତି। ଏହାର ମୁଖ୍ୟ କାରଣ ରହିଛି ପରିବାରରେ ସଚେତନତାର ଅଭାବ ଓ ରାଜନେତା ମାନଙ୍କର ମିଛ ପ୍ରତିଶ୍ରୁତି। ଜଣେ ନାଗରିକ ହିସାବରେ କିପରି ଦାୟିତ୍ୱବାନ ଭୋଟର ଭାବେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଭାଗୀଦାରି ରହିବ, ସେହି ବିଷୟରେ ସମସ୍ତେ ଧ୍ୟାନ ଦେବା ଆବଶ୍ୟକ। ଏହା ସହିତ ଠିକ୍‌ ପ୍ରାର୍ଥୀ ବାଛିବା ଦରକାର। ପ୍ରଲୋଭନର ଶିକାର ହୋଇ ଭୁଲ୍‌ ଲୋକଙ୍କୁ ଭୋଟ ଦେଲେ ଗଣତନ୍ତ୍ରର ଶାସନ କ୍ଷତିଗ୍ରସ୍ତ ହେବାର ବହୁତ ଆଶଙ୍କା ରହିଛି।
ରଞ୍ଜନ ମହାନ୍ତି, ଆବାହକ, ଓଡ଼ିଶା ଇଲେକ୍ସନ୍‌ ଓ୍ଵାଚ୍‌