ଭାରତୀୟ ଜଳବାୟୁ କଂଗ୍ରେସ ଉଦ୍‌ଯାପିତ: ବିଶ୍ବର ତାପମାତ୍ରା ଜଳବାୟୁର ନିୟନ୍ତ୍ରକ

ଖଣ୍ଡଗିରି: ବିଶ୍ବର ତାପମାତ୍ରା ହେଉଛି ଜଳବାୟୁର ନିୟନ୍ତ୍ରକ। ସମ୍ପ୍ରତି କିଛି ବର୍ଷ ହେଲା ସମୟଚକ୍ରକୁ ବ୍ୟତିକ୍ରମ କରି ଜଳବାୟୁର ପରିବର୍ତ୍ତନ ଘଟୁଛି। ଏଥିପାଇଁ ବିଶ୍ବର ତାପମାତ୍ରା ବୃଦ୍ଧି ହେଉଛି ପ୍ରମୁଖ କାରଣ। ବିଭିନ୍ନ କାରଣରୁ ବିଶ୍ବର ତାପମାତ୍ରା ବଢ଼ି ବଢ଼ି ଚାଲିଛି ଓ ଜଳବାୟୁଚକ୍ରରେ ବ୍ୟତିକ୍ରମ ଦେଖାଯାଉଛି। ଆଗାମୀ ଦିନରେ ସମଗ୍ର ବିଶ୍ବ ପାଇଁ ଏହା ଏକ ଗୁରୁତର ସମସ୍ୟା ସୃଷ୍ଟି କରିବ। ଆଧୁନିକ ଜ୍ଞାନ କୌଶଳ ପ୍ରାୟୋଗ କରି ବିଶ୍ବକୁ ସବୁଜ ଓ ସ୍ବଚ୍ଛ ରଖିବା ଏବେ ଜରୁରୀ ହୋଇପଡ଼ିଛି। ଶୁକ୍ରବାର ଓୟୁଏଟି ସ୍ବାମୀନାଥନ୍ ହଲ୍‌ରେ ଉଦ୍‌ଯାପିତ ହୋଇ ଯାଇଥିବା ଭାରତୀୟ ଜଳବାୟୁ କଂଗ୍ରେସ ଅଧିବେଶନରେ ଅତିଥିମାନେ ଏହା କହିଛନ୍ତି। କଟକ ସତ୍ୟସାଇ ଟ୍ରଷ୍ଟର ସଭାପତି ପ୍ରଫେସର ସଂଜୟ କୁମାର ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଇସିଏଆର୍ ମହାନିର୍ଦେଶକ ଡ. ତ୍ରିଲୋଚନ ମହାପାତ୍ର, ଆଇଏମ୍‌ଡି ମହାନିର୍ଦେଶକ ଡ. କେୱାଇ ରମେଶ, ଓୟୁଏଟିର କୁଳପତି ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ, ବେଙ୍ଗାଲୁର୍ କୃଷି ବିଶ୍ବ ବିଦ୍ୟାଳୟର କୁଳପତି ଡ. ରାଜେନ୍ଦ୍ର ପ୍ରସାଦ ପ୍ରମୁଖ ଅତିଥିଭାବେ ଯୋଗ ଦେଇ ଜଳବାୟୁ ଉପରେ ସବିଶେଷ ତଥ୍ୟ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଆଧୁନିକ ଜ୍ଞାନ କୌଶଳ ଓ ସୂଚନା ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଉପରେ ଗୁରୁତ୍ବ ଦେଇଥିଲେ। ଇଂ ପ୍ରଭାକର ସ୍ବାଇଁ ପ୍ରାରମ୍ଭିକ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର