ଭୁବନେଶ୍ୱର: ଭାରତୀୟ ସହାୟକ ପ୍ରଯୁକ୍ତିବିତ୍ ସଂଘ (ଆଇଏଏଟି)ର ପ୍ରଥମ ଜାତୀୟ କର୍ମଶାଳା ସ୍ଥାନୀୟ ଇଡିକଲ୍ ଅଡିଟୋରିୟମ୍ରେ ଉଦ୍ଘାଟିତ ହୋଇଛି। ସ୍ବାମୀ ବିବେକାନନ୍ଦ ନେସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ରିହାବିଲିଟେସନ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ପକ୍ଷରୁ ଆୟୋଜିତ ଏହି କର୍ମଶାଳାର ଶୀର୍ଷକ ରହିଛି ‘ଆସିଷ୍ଟିଭ୍ ଟେକ୍ନୋଲୋଜି ଏମ୍ପାୱାରିଂ ଆବିଲିଟି’। କର୍ମଶାଳାକୁ ସାମାଜିକ ନିରାପତ୍ତା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗୀୟ ପ୍ରମୁଖ ସଚିବ ନୀତିନ ଚନ୍ଦ୍ରା ଉଦ୍ଘାଟନ କରିଛନ୍ତି। ଉଦ୍ଘାଟନ କରିବା ଅବସରରେ ସେ କହିଛନ୍ତି, ଅକ୍ଷମତାର ସଂଜ୍ଞା ବଦଳିଛି। ବର୍ତ୍ତମାନ କେବଳ ବାହାରକୁ ଦେଖାଯାଉଥିବା ଅକ୍ଷମତାରେ ଏହାର ସଂଜ୍ଞା ସୀମିତ ନାହିଁ, ବରଂ ପ୍ରତ୍ୟେକଙ୍କ ପାଖରେ ଅକ୍ଷମତା ରହିଛି। ଦ୍ରୁତ ନଗରୀକରଣ ଓ କ୍ରମଶଃ କ୍ଷୁଦ୍ର ହୋଇ ଯାଉଥିବା ପରିବାରକୁ ନେଇ ଜୀବନ ଧାରଣ ପ୍ରକ୍ରିୟା ଜଟିଳ ହୋଇଯାଇଛି। ମନୁଷ୍ୟ ଚାପଗ୍ରସ୍ତ ହେବା ପରେ ମାନସିକ ଅକ୍ଷମତା ପ୍ରକାଶ ପାଉଛି। ବୟସ ବଢ଼ିବା ସହ ବିଭିନ୍ନସ୍ତରରେ ଅକ୍ଷମତା ବଢ଼ି ବଢ଼ି ଯାଉଛି। ଏକ ସ୍ବାଚ୍ଛନ୍ଦ୍ୟ ଜୀବନଯାପନ କରିବାକୁ ହେଲେ ଅକ୍ଷମତା ଓ ସକ୍ଷମତା ଭିତରେ ଥିବା ପ୍ରଭେଦକୁ ବୁଝିବା ଜରୁରୀ ହୋଇଛି ବୋଲି କହିଛନ୍ତି। ସମ୍ମାନିତ ଅତିଥି ଭାବେ ଅସ୍ଥିଶଲ୍ୟ ବିଶେଷଜ୍ଞ ଡା. ସଞ୍ଜୟ କୁମାର ଦାସ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଜେନେଭା ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଟେକ୍ନିକାଲ ଅଫିସର ଚପଲ ଖାସନ୍ବିସ୍ ଓ ଏସ୍ଭିନିରତାର ନିର୍ଦ୍ଦେଶକ ଡା. ଶକ୍ତିପ୍ରସାଦ ଦାସ ଯୋଗ ଦେଇଥିଲେ। ସାଂଗଠନିକ ଅଧ୍ୟକ୍ଷ ଏ.କେ. ବନ୍ଦୋପାଧ୍ୟାୟ, ଆଇଏଏଟି ସଭାପତି ପି.କେ ମେହେଟ୍ଟା, ସମ୍ପାଦକ ଏ.ଏନ୍.ନନ୍ଦ ପ୍ରମୁଖ ମଞ୍ଚାସୀନ ଥିଲେ। ଦୁଇଟି ପର୍ଯ୍ୟାୟରେ ଦେଶର ବିଭିନ୍ନ ଆଇଆଇଟିରୁ ବକ୍ତାମାନେ ଯୋଗଦେଇ ଭିନ୍ନଭିନ୍ନ ପ୍ରକାରର ଅକ୍ଷମତା ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ୧୦ ଜଣ ପ୍ରତିଷ୍ଠାତା ସଭ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହିତ ୩୦ ବର୍ଷ ଧରି ସେବାରେ ଲାଗିଥିବା ଏମ୍ଭି ରାଘବନ୍, ଚପଲ ଖାସନ୍ବିସ୍, କେ. ସମଙ୍ଗମ୍, ଆଲ୍ବିନା ଶଙ୍କର ପ୍ରମୁଖଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଆସନ୍ତାକାଲି ଏହି କର୍ମଶାଳା ଉଦ୍ଯାପିତ ହେବ।
ସହାୟକ ପ୍ରଯୁକ୍ତିବିତଙ୍କ ଜାତୀୟ କର୍ମଶାଳା
/sambad/media/post_attachments/wp-content/uploads/2018/12/Untitled-14-22.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)