ଦେଶର ଜନଜାତିଙ୍କୁ ସଶକ୍ତ କରିବାକୁ ହେବ: ରାଜ୍ୟପାଳ

ଜନଜାତି ଉପଯୋଜନା ନେଇ ଜାତୀୟ କର୍ମଶାଳା ଉଦ୍‌ଘାଟିତ

ଭୁବନେଶ୍ୱର : ଭାରତୀୟ କୃଷି ଗବେଷଣା ପରିଷଦ ଅଧୀନସ୍ଥ କେନ୍ଦ୍ରୀୟ ମଧୁର ଜଳଜୀବ ପାଳନ ଅନୁସନ୍ଧାନ ସଂସ୍ଥା (ସିଫା) ପକ୍ଷରୁ ଜନଜାତି ପ୍ରକଳ୍ପ ମାଧ୍ୟମରେ ଦୁଇ ଦିବସୀୟ କର୍ମଶାଳା ଆଜି ଉଦ୍‌ଘାଟିତ ହୋଇଯାଇଛି । କର୍ମଶାଳାର ଶୀର୍ଷକ ରହିଛି ‘ଭାରତୀୟ ଜନଜାତି କୃଷକମାନଙ୍କ ନିମନ୍ତେ ଜଳକୃଷି-ଜୀବିକା ଅର୍ଜନର ଏକ ବିକଳ୍ପ ପନ୍ଥା’। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କର୍ମଶାଳାକୁ ଉଦ୍‌ଘାଟନ କରିଥିଲେ। ସମୃଦ୍ଧ ଓ ସଶକ୍ତ ଭାରତ ଗଠନ କରିବାକୁ ହେଲେ ପ୍ରଥମେ ଦେଶର ଜନଜାତିଙ୍କୁ ସଶକ୍ତ ଓ ବିକଶିତ କରିବାକୁ ହେବ ବୋଲି ପ୍ରଫେସର ଲାଲ କହିଥିଲେ।

ଭାରତୀୟ କୃଷି ଗବେଷଣା ପରିଷଦର ଉପ-ମହାନିର୍ଦେଶକ ଜୟକୃଷ୍ଣ ଜେନା ଦେଶର ଜନଜାତି ବିକାଶ ତଥା ଜୀବିକା ଓ ଖାଦ୍ୟ ସୁରକ୍ଷା ନିମନ୍ତେ ପରିଷଦରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନା ଓ ପ୍ରକଳ୍ପ ଉପରେ ଆଲୋକପାତ କରିଥିଲେ।

ସିଫାର ନିର୍ଦେଶିକା ବିନ୍ଦୁ ଆର୍. ପିଲାଇ ସ୍ୱାଗତ ଭାଷଣରେ ଦେଶର ବିଭିନ୍ନ ଅଞ୍ଚଳରେ ମଧୁର ଜଳକୃଷିର ବିକାଶ ନିମନ୍ତେ ସିଫାର ଭୂମିକା ଉପରେ ଆଲୋକପାତ କରିଥିଲେ। ସଂସ୍ଥାର ପ୍ରଧାନ ବୈଜ୍ଞାନିକ ଓ ଜନଜାତି ପ୍ରକଳ୍ପର ମୁଖ୍ୟ ବିକାଶ ଚନ୍ଦ୍ର ମହାପାତ୍ର ଦୀର୍ଘ ୩ ଦଶନ୍ଧି ଧରି ମାଛ ଚାଷ ତଥା ମତ୍ସ୍ୟ ବିହନ ଉତ୍ପାଦନ ମାଧ୍ୟମରେ ଜନଜାତି କୃଷକମାନଙ୍କ ଉତ୍‌ଥାନ ଦିଗରେ ସିଫା ନିରନ୍ତର ପ୍ରଚେଷ୍ଟା ଜାରି ରଖିଛି ବୋଲି କହିଥିଲେ। ମତ୍ସ୍ୟ ବିଭାଗ ନିର୍ଦେଶକ ପି. କେ. ସେନାପତି ଦେଶର ବିଭିନ୍ନ ବର୍ଗର ହିତାଧିକାରୀମାନଙ୍କୁ ବୈଜ୍ଞାନିକ ଜ୍ଞାନକୌଶଳ ପ୍ରଦାନ କରି ମଧୁର ଜଳକୃଷିକୁ ଆଗେଇ ନେବାରେ ସିଫାର ସହଯୋଗ ଲାଗି ସାଧୁବାଦ ଜଣାଇଥିଲେ।

ଏହି ଅବସରରେ ରାଜ୍ୟପାଳ ‘ଜଳକୃଷି ମାଧ୍ୟମରେ ଭାରତୀୟ ତଫସିଲଭୁକ୍ତ ଜାତି ଓ ଉପଜାତି କୃଷକମାନଙ୍କର ସଶକ୍ତୀକରଣ: ସିଫାରେ ତିନି ଦଶନ୍ଧିର ନିରନ୍ତର ପ୍ରୟାସ’ ଶୀର୍ଷକ ଏକ ପୁସ୍ତକ ଏବଂ ଏକ ସ୍ମରଣିକକୁ ଉନ୍ମୋଚନ କରିଥିଲେ। କର୍ମଶାଳାରେ ବିଭିନ୍ନ ରାଜ୍ୟରୁ ୨୦୦ରୁ ଅଧିକ ଜନଜାତି ମତ୍ସ୍ୟଚାଷୀ ଯୋଗ ଦେଇଛନ୍ତି। ଆସନ୍ତାକାଲି ଉଦ୍‌ଯାପନୀ ଦିବସରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଦିବାସୀ ଚାଷୀମାନଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର