ଓୟୁଏଟିରେ ଜାତୀୟ କର୍ମଶାଳା, ଓଡ଼ିଶାରେ ମସଲା ଚାଷର ଭବିଷ୍ୟତ ଉଜ୍ଜ୍ବଳ

ଖଣ୍ଡଗିରି : ଓଡ଼ିଶାରେ ମସଲା ଚାଷର ଭବିଷ୍ୟତ ଉଜ୍ଜ୍ବଳ। ମସଲା ଚାଷ ଓ ଚାଷୀଙ୍କୁ ଉପଯୁକ୍ତ ଜ୍ଞାନକୌଶଳ ଓ ପ୍ରୋତ୍ସାହନ ମିଳିଲେ, ଓଡ଼ିଶା ମସଲା ଉତ୍ପାଦନରେ ଦେଶର ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇପାରିବ। ଉପଯୁକ୍ତ ଜଳବାୟୁ ଓ ପରିବେଶ ଥିବାରୁ ଏଠାରେ ମସଲା ଓ ସୁଗନ୍ଧିତ ଉଦ୍ଭିଦ ଚାଷକୁ ଅଧିକ ପ୍ରୋତ୍ସାହନ ମିଳିବା ଆବଶ୍ୟକ। ବୁଧବାର ଓଡ଼ିଶା କୃଷି ଓ ‌ବୈଷୟିକ ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ଦୁଇ ଦିନିଆ ଜାତୀୟ କର୍ମଶାଳାରେ ଏଭଳି ମତ ପ୍ରକାଶ ପାଇଛି। ଓଡ଼ିଶାର କନ୍ଧମାଳ ଜିଲ୍ଲାରେ ପ୍ରଚୁର ହଳଦୀ, ଅଦା ଚାଷ ହୋଇ ପାରୁଛି। ସେହିଭଳି କୋରାପୁଟ ଜିଲ୍ଲା ପଟାଙ୍ଗୀ ଭଳି ଉଚ୍ଚ ଦ୍ରାଘିମାରେ ଥିବା ଅଞ୍ଚଳରେ ଅଳେଇଚ ଓ ଗୁଜୁରାତି ଚାଷ କରାଯାଉଛି। ବଲାଙ୍ଗୀର ଜିଲ୍ଲାର ବହୁ ଅଞ୍ଚଳରେ ପିଆଜ ଚାଷ କରାଯାଉଛି। ଗଞ୍ଜାମ, କୋରାପୁଟ, ଫୁଲବାଣୀ ଆଦି ଜିଲ୍ଲା ଲଙ୍କା ଚାଷ ପାଇଁ ଉପଯୁକ୍ତ। ଧାନ ଓ ପରିବା ଚାଷଠାରୁ ଏହି ଚାଷରେ ଚାଷୀ ଅଧିକ ଲାଭବାନ ହୋଇଥାଏ। କିନ୍ତୁ ଓଡ଼ିଶାରେ ଏଭଳି ମସଲା ଚାଷ ଯେତିକି ଅଗ୍ରଗତି କରିବା କଥା ତାହା ହୋଇପାରିନାହିଁ। ତେଣୁ ଏଥିପାଇଁ ଚାଷୀମାନଙ୍କୁ ଉପଯୁକ୍ତ ଜ୍ଞାନକୌଶଳ ଯୋଗାଇ ଦିଆଯିବା ଦରକାର। ଅନ୍ୟ ଚାଷ ଭଳି ଏହି ଚାଷୀମାନଙ୍କୁ ସମସ୍ତ ପ୍ରକାର ସରକାରୀ ପ୍ରୋତ୍ସାହନ(ଋଣ ଯୋଗାଣ, ବିପଣନ ବ୍ୟବସ୍ଥା) ମଧ୍ୟ ଯୋଗାଇ ଦିଆଯିବା ଉଚିତ୍। ଏହି ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ଓୟୁଏଟିରେ ଏକ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଛି। ଏଥିରେ ଦେଶର ୪୫ କୃଷି ବିଶ୍ବବିଦ୍ୟାଳୟରୁ ପ୍ରାୟ ୧୦୦ ଜଣ ବୈଜ୍ଞାନିକ ଯୋଗ ଦେଇଛନ୍ତି। କେରଳ କାଲିକଟସ୍ଥିତ ଗୁଆ ଓ ମସଲା ଉନ୍ନୟନ ନିର୍ଦେଶାଳୟ ଓ ଓୟୁଏଟିର ମିଳିତ ଉଦ୍ୟମରେ ଆୟୋଜିତ ଏହି କର୍ମଶାଳାରେ ନୂଆଦିଲ୍ଲୀ ହର୍ଟିକଲ୍‌ଚର କମିସନର ଡ. ବିଏନ୍‌ଏସ୍‌ ମୂର୍ତ୍ତି, କେରଳ ଗୁଆ ଓ ମସଲା ନିର୍ଦେଶାଳୟ ନିର୍ଦେଶକ ଡ. ହୋମି ଚେରିୟନ୍, ଆଜ୍‌ମେର୍ ଗବେଷଣା କେନ୍ଦ୍ର ନିର୍ଦେଶକ ଡ. ଗୋପାଲ ଲାଲା ପ୍ରମୁଖ ଏହି କର୍ମଶାଳାରେ ଅତିଥିଭାବେ ଯୋଗ ଦେଇଛନ୍ତି। ଓୟୁଏଟି କୁଳପତି ଡ. ପୱନ କୁମାର ଅଗ୍ରୱାଲଙ୍କ ଅନୁପସ୍ଥିତି‌ରେ ଡିନ୍‌ ଡ. ଏସ୍‌କେ ଦାସ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ପ୍ରନିସ୍‌ପାଲ ଇନ୍‌ଭେଷ୍ଟିଗେଟର ଡ. ସୁବାସଚନ୍ଦ୍ର ସ୍ବାଇଁ ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ ଡ. ଦେବପ୍ରସାଦ ମଲ୍ଲିକ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର