ଶିଶୁଯୌନ ଶୋଷଣ ବିଲୋପ ସମ୍ପର୍କିତ ଜାତୀୟ କର୍ମଶାଳା ଉଦ୍‌ଯାପିତ: ପିଲାଙ୍କୁ ନିର୍ଯାତନାରୁ ଦୂରେଇ ରଖିବା ସମସ୍ତଙ୍କର ଦାୟିତ୍ୱ

ଭୁବନେଶ୍ୱର: ‘ଏନ୍‌ଏସିଜି ଇଭାକ୍‍ ଇଣ୍ଡିଆ’ ଆନୁକୂଲ୍ୟରେ ‘ପିକକ୍‌’ ପକ୍ଷରୁ ଆୟୋଜିତ ‘ଶିଶୁଯୌନ ଶୋଷଣ ଓ ନିର୍ଯାତନା ବିଲୋପ’ ଜାତୀୟ କର୍ମଶାଳାର ଉଦ୍‌ଯାପିତ ହୋଇଯାଇଛି। ଏହି ଉତ୍ସବରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇ କହିଲେ ଯେ ପିଲାମାନଙ୍କୁ ଯୌନ ଶୋଷଣ ଓ ନିର୍ଯାତନାରୁ ଦୂରେଇ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ। ଘରେ ପିତାମାତାଙ୍କଠୁ ଆରମ୍ଭ କରି ସ୍ୱେଚ୍ଛାସେବୀ ସଂଗଠନ ଓ ସରକାର, ସମସ୍ତଙ୍କର ଏକ୍ଷେତ୍ରରେ ଦାୟିତ୍ୱ ରହିବା ଆବଶ୍ୟକ। ରାଜ୍ୟରେ ଶିଶୁ ଯୌନ ନିର୍ଯାତନା ଓ ଶୋଷଣକୁ ସମ୍ପୂର୍ଣ୍ଣ ବିଲୋପ କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ।

ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷ ପିୟଙ୍କ କାନୁନ୍‌ଗୋ ପିଲାଙ୍କୁ ସ୍ୱତନ୍ତ୍ର ଭାବେ ସୁରକ୍ଷା ଦେବା ଉପରେ ଗୁରୁତ୍ୱ ଦେଇଥିଲେ। ରାଜ୍ୟ ଶ୍ରମ ସଚିବ ସନ୍ଥ ଗୋପାଳନ କହିଥିଲେ ଯେ ଶିଶୁ ଶ୍ରମିକମାନେ ଯୌନ ନିର୍ଯାତନା ଓ ଶୋଷଣର ଶିକାର ହେବା ଯଥେଷ୍ଟ ସମ୍ଭାବନା ରହିଛି। ଏହାର ବିଲୋପ ପାଇଁ ରାଜ୍ୟ ସରକାର ବଦ୍ଧପରିକର। ୱାର୍ଲଡ ଭିଜନ୍‌ର ଆଡଭୋକାସି ମୁଖ୍ୟ ମିଖାଇଲ ପ୍ରଧାନ ଶିଶୁମାନଙ୍କୁ ଯୌନ ଶୋଷଣରୁ ମୁକ୍ତ କରିବା ସଂକ୍ରାନ୍ତରେ ବିସ୍ତୃତ ଭାବେ ସୂଚନା ଦେଇଥିଲେ। ଏନ୍‍ଏସିଜି ଇଭାକ୍‌ ଇଣ୍ଡିଆର ଅଧ୍ୟକ୍ଷ ରଞ୍ଜନ ମହାନ୍ତି କହିଲେ ଯେ ଏଥିପାଇଁ ପ୍ରତିଷେଧକମୂଳକ ବ୍ୟବସ୍ଥା ହେଉଛି ସର୍ବୋତ୍ତମ। ଗ୍ରାମ୍ୟସ୍ତରରୁ ଜାତୀୟସ୍ତର ପର୍ଯ୍ୟନ୍ତ ସବୁଠାରେ ସମନ୍ୱୟ ରକ୍ଷା କରି ଏକତ୍ର କାମ କରିବାର ଆବଶ୍ୟକତା ରହିଛି। ପିକକ୍‌ର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଧନ୍ୟବାଦ ଦେଇଥିଲେ। ବିଭିନ୍ନ ଅଧିବେଶନରେ କର୍ଣ୍ଣାଟକ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷ କେ ନଗନ୍ନାଗୌଡ, ଆନ୍ଧ୍ରପ୍ରଦେଶ ଆୟୋଗର ଅଧ୍ୟକ୍ଷ କେଶାଲି ଆପ୍ପାରାଓ, ପଶ୍ଚିମବଙ୍ଗ ସୁରକ୍ଷା ଆୟୋଗର ଅନନ୍ୟା ଚକ୍ରବର୍ତ୍ତୀ, ସୁପ୍ରିମ୍‌କୋର୍ଟର ବରିଷ୍ଠ ଆଇନଜୀବୀ ଶଶାଙ୍କ ଶେଖର, ଓଡିଶାର ଆୟୋଗର ପୂର୍ବତନ ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର