ଆଜି ଜାତୀୟ ଯୁବ ଦିବସ: ଅପରାଧ ମୁହାଁ ଯୁବପିଢ଼ି

ଭୁବନେଶ୍ବର: ୨୦୨୦ ଜାନୁଆରି ୧୦ ତାରିଖ। ସଂଧ୍ୟା  ୭ଟା। ମାର୍କେଟ୍‌ ବିଲ୍ଡିଂ ପଛପଟ ପାର୍କିଂ ସ୍ଥଳ। ଦ୍ରୁତ ବେଗରେ ଆସି ଲାଗିଲା ୨୦ରୁ ୨୫ ବାଇକ୍। ସାଙ୍ଗରେ ଆଣିଥିବା କଳାମୁଖାକୁ ବାଇକ ଆରୋହୀମାନେ ମୁହଁରେ ଢାଙ୍କି ହାତରେ ଧରିଥିବା ହକି ଷ୍ଟିକ୍, କ୍ରିକେଟ ଷ୍ଟମ୍ପ, ଲୁହାରଡ଼ ଆଦିରେ ଗୋଟିଏ ପଟୁ ପିଟିବା ଆରମ୍ଭ କରିଥିଲେ। ୧୦ରୁ ଅଧିକ ଦୋକାନ ଭାଙ୍ଗିରୁଜି ଛିନ୍‌ଛତର୍‌ ହୋଇଗଲା। ଯିଏ ପ୍ରତିବାଦ କଲା ତାକୁ ବି ନିସ୍ତାର ନ ଥିଲା। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ଗିରଫ ହୋଇଛନ୍ତି ୨୧ ଜଣ। ସେମାନଙ୍କ ବୟସ ୧୭ରୁ ୩୦।

ନିଷ୍ଠା, ସାଧନା ଓ ଆତ୍ମସଂଯମତାର ଅଭାବ ଏହାର ପ୍ରମୁଖ କାରଣ
ଯୁବକମାନଙ୍କ ମଧ୍ୟରେ ଅପରାଧପ୍ରବଣତା ବଢ଼ିବାର ୨ଟି କାରଣ ରହିଛି। ଗୋଟିଏ ହେଉଛି ସାର୍ବଜନୀନ କାରଣ। ଅନ୍ୟଟି ସମସାମୟିକ କାରଣ। ସାଧାରଣତଃ ବଡ଼ ରାସ୍ତାଟିଏ ତିଆରି ପାଇଁ ଛୋଟ ରାସ୍ତାଟିକୁ ଭାଙ୍ଗିବାକୁ ପଡ଼େ। ଠିକ୍‌ ସେହିଭଳି କିଶୋରାବସ୍ଥାରୁ ଯୁବାବସ୍ଥାକୁ ଯିବା ସମୟରେ ବ୍ୟକ୍ତିର ମସ୍ତିଷ୍କ ମଧ୍ୟରେ ଥିବା ସ୍ନାୟୁ ସବୁ ଭାଙ୍ଗି ପୁଣି ତିଆରି ହୁଏ। ଫଳରେ ଯୁବକମାନେ ମାନସିକସ୍ତରରେ ଟିକେ ପଛୁଆ ହୋଇଯାନ୍ତି। ଏହି ସମୟରେ ପରିପକ୍ବ ଚିନ୍ତା କିମ୍ବା ନିଷ୍ପତ୍ତି ନେଇ ହୁଏନି। ଏହା ଅତୀତରେ ଥିଲା ଆଉ ଏବେ ବି ରହିଛି। ଏହା ସାର୍ବଜନୀନ କାରଣ। ଫଳରେ ଯୁବଗୋଷ୍ଠୀ ମଧ୍ୟରେ ଅପରାଧ ପ୍ରବଣତା ସବୁ ସମୟରେ ଅଧିକ। କିନ୍ତୁ ସମସାମୟିକ କାରଣ ଯୋଗୁଁ ଏବେ ଏହି ଅପରାଧ ପ୍ରବଣତା ଆହୁରି ଦ୍ବିଗୁଣିତ ହୋଇଯାଇଛି। ହଠାତ ଉପରକୁ ଉଠିବା ପ୍ରବୃତ୍ତି, ଅନ୍ୟର ଦୃଷ୍ଟି ଆକର୍ଷଣ କରିବାର ଚିନ୍ତାଧାରା ଏବେ ପ୍ରମୁଖ କାରଣ ସାଜିଛି। ଫଳରେ ଯୁବପିଢ଼ିଙ୍କ ମଧ୍ୟରେ ନିଷ୍ଠା, ସାଧନା ଓ ଆତ୍ମସଂଯମତାର ଅଭାବ ‌ଦେଖାଯାଉଛି। ଅପେକ୍ଷା କରିବାର ମନବୃତ୍ତି ଓ ଧୈର୍ଯ୍ୟଶକ୍ତି ଆଦି ଯୁବକଙ୍କ ଭିତରେ କମି କମି ଯାଉଥିବାରୁ ଏଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହେଉଛି।

-ପ୍ରଫେସର ଫକୀର ମୋହନ ସାହୁ, ମନସ୍ତତ୍ତ୍ବ ବିଜ୍ଞାନୀ

ସେହିପରି ୨୦୧୯ ଡିସେମ୍ବର ୨୫ ତାରିଖ ବଡ଼ଦିନ। ସାରା ରାଜଧାନୀ ଉତ୍ସବମୁଖର ଥିବା ବେଳେ ସଂଧ୍ୟା ପ୍ରାୟ ୭ଟା ବେଳେ ମହର୍ଷି କଲେଜ ରାସ୍ତାରେ ୧୦ରୁ ୧୫ଜଣ ପରସ୍ପର ମଧ୍ୟରେ ମାର୍‌ପିଟ୍‌ ହୋଇଥିଲେ। ଖାଲି ସେତିକି ନୁହେଁ, ଏନେଇ ପ୍ରତିବାଦ କରିବାରୁ ସେହି ରାସ୍ତା ଦେଇ ଯା’ଆସ କରୁଥିବା ଲୋକଙ୍କୁ ବି ଅମୁହାଁ ପିଟିଥିଲେ। ଫଳରେ ଅଧିକାଂଶ ସାଧାରଣ ଲୋକ ଏଥିରେ ଆହତ ହେବା ସହ ୫ଜଣ ଗୁରୁତର ହୋଇପଡ଼ିଥିଲେ। ସେତିକିରେ ମନ ଭରି ନ ଥିଲା ଯେ ଦୁର୍ବୃତ୍ତମାନେ ହକି ଷ୍ଟିକ୍‌ରେ ପିଟି ଗାଡ଼ି ମୋଟର ମଧ୍ୟ ଭଙ୍ଗାରୁଜା କରିଥିଲେ। ଏହି ଘଟଣାରେ ସଂପୃକ୍ତ ଥିବା ସମସ୍ତ ଅଭିଯୁକ୍ତ ଯୁବକ ଥିଲେ।

୨୦୧୯ ଅକ୍ଟୋବର ୨୭ ତାରିଖ ଦୀପାବଳିର ରାତି। ଏୟାରଫିଲ୍‌ଡ ଥାନା ପଛ ପଟେ ଏକାମ୍ର କଲେଜକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ନିକଟରେ ଏକ ହତ୍ୟାକାଣ୍ଡ ଘଟିଥିଲା। ସାମାନ୍ୟ ବଚସାକୁ କେନ୍ଦ୍ର କରି ଅମରେଶ ନାୟକଙ୍କ ଉପରେ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଥିଲା। ଅମରେଶଙ୍କ ଜୀବନ ଯିବା ପର୍ଯ୍ୟନ୍ତ ଦୁର୍ବୃତ୍ତମାନେ ପିଟି ଚାଲିଲେ। ଶେଷରେ ତାଙ୍କ ମୁଣ୍ଡକୁ ପଥରରେ ଛେଚିବା ସହ ଗାଡ଼ି ଚଢ଼ାଇ ଦେଇଥିଲେ। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡରେ ୬ଜଣ ଗିରଫ ହୋଇଥିବା ବେଳେ ଆଉ ୭ ଜଣ ‌ଏବେବି ଫେରାର୍‌ ଅଛନ୍ତି। ଗିରଫ ହୋଇଥିବା ଓ ଫେରାର ଥିବା ସମସ୍ତ ଅଭିଯୁକ୍ତ ଯୁବକ।

ଯୁବପିଢ଼ିଙ୍କୁ ଅଧିକ ଯତ୍ନବାନ ହେବାକୁ ପଡ଼ିବ
ଯୁବଗୋଷ୍ଠୀ ହେଉଛନ୍ତି ଦେଶର ଗୁରୁତ୍ବପୂର୍ଣ୍ଣ ମାନବ ସମ୍ବଳ। ଏଣୁ ଯୁବଗୋଷ୍ଠୀଙ୍କୁ ଅଧିକ ଯତ୍ନବାନ ହେବାର ଆବଶ୍ୟକତା ରହିଛି। ଅପରାଧ କଥା ତ ଦୂରେ ଥାଉ, ଅନେକ ସମୟରେ ଯୁବକମାନେ ରାସ୍ତାରେ ବହୁତ ଜୋର୍‌ରେ ଗାଡ଼ି ଚଲାଉଥିବା ଦେଖିବାକୁ ମିଳୁଛି। ଜିଗ୍‌ଜାଗ୍‌ ଗାଡ଼ି ଚଲାଇବା, ରାସ୍ତା ଉପରେ ଷ୍ଟଣ୍ଟ୍‌ ଦେଖାଉଥିବା ‌ନଜରକୁ ଆସୁଛି। ଯୁବପିଢ଼ିଙ୍କୁ ବୁଝିବା ଦରକାର ଯେ ରାସ୍ତାରେ ସେମାନଙ୍କ ଛଡ଼ା ଶିଶୁ, ବୃଦ୍ଧ ଓ ରୋଗୀମାନେ ବି ଯା’ଆସ କରନ୍ତି। ଜଣେ ଯତ୍ନଶୀଳ ନାଗରିକ ଭାବେ ଆମେ ଆମ ସହ ଦେଶ ତଥା ସମାଜ ପାଇଁ ଚିନ୍ତା କରିବାର ଆବଶ୍ୟକତା ରହିଛି।

-ସାଗରିକା ନାଥ, ଡିସିପି, ଟ୍ରାଫିକ୍‌

ନିକଟ ଅତୀତରେ ଘଟିଥିବା କେବଳ ଏହି ତିନିଟି ଘଟଣା ନୁହେଁ। ଗତ କିଛି ବର୍ଷ ଧରି ରାଜଧାନୀରେ ଘଟୁଥିବା ବହୁ ଅପରାଧରେ ଯୁବଗୋଷ୍ଠୀଙ୍କର ହିଁ ସଂପୃକ୍ତି ଦେଖିବାକୁ ମିଳୁଛି। ଛିନ୍‌ତାଇ ହେଉ କି ଅସଦାଚରଣ, ସଂଘବଦ୍ଧ ଆକ୍ରମଣ ହେଉ କି ଅପହରଣ, ଲୁଟ୍‌ ବା ଦୁଷ୍କର୍ମ; ସବୁଠି ଅଭିଯୁକ୍ତଙ୍କ ମଧ୍ୟରେ ଅଧିକାଂଶ ଯୁବକ। ଛୋଟ ଛୋଟ ଘଟଣାକୁ ନେଇ ହତ୍ୟା ପରି ଚରମ ଅପରାଧ ଘଟାଇବାକୁ ବି ଏମାନେ ପଛଘୁଞ୍ଚା ଦେଉନାହାନ୍ତି। ଜାତୀୟ ସ୍ତରରେ ଭୁବନେଶ୍ବରର ବିକାଶର ଚିତ୍ର ଉପସ୍ଥାପନ ହେଉଥିଲା ବେଳେ ଏଠାରେ ଯୁବଗୋଷ୍ଠୀଙ୍କ ଏପରି ଅପରାଧପ୍ରବଣତା ଏବେ ଚିନ୍ତାର କାରଣ ହୋଇଛି। ଉଚ୍ଚଶିକ୍ଷିତ ଯୁବକ ମଧ୍ୟ ବେଧଡ଼କ ଭାବେ ଅପରାଧ ଦୁନିଆରେ ନାମ ଲେଖାଇବାକୁ ପଛାଉ ନାହାନ୍ତି।

କେବଳ ହତ୍ୟା, ଆତଙ୍କରାଜ, ଲୁଟ୍‌, ଅପହରଣ ନୁହେଁ, ଆତ୍ମହତ୍ୟା ଭଳି ଅପରାଧପ୍ରବଣତା ବି ଯୁବଗୋଷ୍ଠୀଙ୍କ ମଧ୍ୟରେ ବଢ଼ିବାରେ ଲାଗିଛି। ଗତ ୨ ତାରିଖ ଦିନ ଇମ୍ଫୋସିସ୍‌ ଥାନା ଅଧୀନସ୍ଥ ଏକ ଭଡ଼ା ଘରୁ ଇଂଜିନିୟରିଂ ଛାତ୍ରୀଙ୍କ ମୃତ ଶରୀର ମିଳିଥିଲା। ଛାତ୍ରୀଜଣକ ଫ୍ୟାନ୍‌ରେ ନିଜ ଓଢ଼ଣୀ ଦ୍ବାରା ଆତ୍ମହତ୍ୟା କରିଥିଲେ। ସେହିପରି ସହିଦନଗର ଥାନା ଅଧୀନ ମଞ୍ଚେଶ୍ବର  ଅଞ୍ଚଳରେ ଜଣେ ଯୁବକ ଆତ୍ମହତ୍ୟା କରିଥିଲେ। ଉଭୟ ଆତ୍ମହତ୍ୟା ପ୍ରେମ ବ୍ୟାପାର ଯୋଗୁଁ ବୋଲି ସନ୍ଦେହ କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ ୧ ଲକ୍ଷ ଲୋକଙ୍କ ମଧ୍ୟରେ ୧୬.୫ ପ୍ରତିଶତ ଭାରତୀୟ ଯୁବଗୋଷ୍ଠୀ ଆତ୍ମହତ୍ୟା କରୁଛନ୍ତି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ରିପୋର୍ଟ କହୁଛି, ବିଶେଷକରି ୧୫ରୁ ୨୯ବର୍ଷ ବୟସର ଯୁବଗୋଷ୍ଠୀ ଏଭଳି ଏକ ସାମାଜିକ ଅପରାଧକୁ ଆପଣାଇ ନେଉଛନ୍ତି।

ନିଶାଭ୍ୟାସ କମିଲେ, ଅପରାଧ କମିପାରିବ
ଯୁବପିଢ଼ିଙ୍କ ଅପରାଧ ପ୍ରବଣତାକୁ ଆମକୁ ଗୁରୁତ୍ବର ‌ସହ ନେବା ଉଚିତ। ବେଳେବେଳେ ଆମେ କଲେଜ ଛାତ୍ରଛାତ୍ରୀଙ୍କୁ ଗିରଫ କରି ତାଗିଦା କରି ଛାଡ଼ିଦେଉ। କିନ୍ତୁ ଏହା ଯଥେଷ୍ଟ ନୁହେଁ, ଯୁବପିଢ଼ିଙ୍କୁ ଭଲ ସଂସ୍କାର ଶିକ୍ଷା ଦେବା ଓ ଭଲ ଦିଗରେ ପ୍ରେରିତ କରିବାର ପ୍ରକ୍ରିୟା ଘରୁ ଆରମ୍ଭ ହେବା ଆବଶ୍ୟକ। ଏହା ପରେ ସ୍କୁଲ, କଲେଜ କର୍ତ୍ତୃପକ୍ଷ ପିଲାଙ୍କ ଦାୟିତ୍ବ ନେବା ସହ ସେମାନଙ୍କ କାର୍ଯ୍ୟକଳାପ ଓ ଗତିବିଧି ଉପରେ ନଜର ଦେବାକୁ ପଡ଼ିବ। ମୁଖ୍ୟ କଥା ଯୁବପିଢ଼ିଙ୍କୁ ନିଶାରୁ ଦୂରେଇ ରଖି ପାରିଲେ, ସମାଜରୁ ୫୦ପ୍ରତିଶତ ଅପରାଧ କମିପାରିବ। କାରଣ ଅଧିକାଂଶ ସମୟରେ ଦେଖାଯାଏ, କିଏ ନିଶା ପାଇଁ ତ’ ପୁଣି କିଏ ନିଶା ଗ୍ରହଣ କଲା ପରେ ଅପରାଧ କରୁଛନ୍ତି। ଏଣୁ ଏ ଦିଗରେ ଅଧିକ ସଚେତନତା ସୃଷ୍ଟି ହୋଇପାରିଲେ ଭଲ ହୁଅନ୍ତା।

-ଅନୁପ କୁମାର ସାହୁ, ଭୁବନେଶ୍ବର ଡିସିପି

ଯୁବଗୋଷ୍ଠୀ ହାତରେ ଦେଶର ଭବିଷ୍ୟତ ନିର୍ଭର କରୁଛି। ଦିନେ ସ୍ବାମୀ ବିବେକାନନ୍ଦ କହିଥିଲେ, ‘ଯୁବ ସମୟ ହେଉଛି ଜୀବନର ‌ଶ୍ରେଷ୍ଠ ସମୟ, ଏହି ସମୟକୁ ତୁମେ ଯେଉଁ ଭଳି ଭାବେ ବ୍ୟବହାର କରିବ ତାହା ହିଁ ତୁମ ଭବିଷ୍ୟତ ଜୀବନର ସ୍ବଭାବ ସ୍ଥିର କରିବ’। ଜାନୁଆରି ୧୨ ତାରିଖକୁ ବିବେକାନନ୍ଦଙ୍କ ଜୟନ୍ତୀକୁ ‘ଜାତୀୟ ଯୁବ ଦିବସ’ ଭାବେ ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସ୍ଲୋଗାନ୍‌ ମାଧ୍ୟମରେ ଯୁବଶକ୍ତିକୁ ଦେଶର ବିକାଶ ଓ ପ୍ରଗତିର ପରିଚୟ ବୋଲି କୁହାଯାଉଛି। କିନ୍ତୁ ବାସ୍ତବ ସ୍ଥିତିକୁ ଆମକୁ ନଜରରେ ରଖିବାକୁ ପଡ଼ିବ। କେବଳ ଯୁବ ଦିବସ ପାଳନ କରିଦେଲେ ହେବ ନାହିଁ, ଯୁବପିଢ଼ିଙ୍କ ମନରୁ କିପରି ଅପରାଧପ୍ରବଣତା ହ୍ରାସ ପାଇବ, ସେ ଦିଗରେ ସବୁସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି। ଏ ଦିଗରେ ପରିବାର, ଶିକ୍ଷାନୁଷ୍ଠାନ ଓ ସମାଜର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଭୁବନେଶ୍ବର ପରି ଏକ ବିକାଶଶୀଳ ସହରରେ ଏବେଠୁ ଏପରି ଅପରାଧକୁ ନିୟନ୍ତ୍ରଣ କରିବାକୁ ଠୋସ୍ ପଦକ୍ଷେପ ନିଆ ନ ଗଲେ ଆଗାମୀ ଦିନରେ ବହୁତ ମୂଲ୍ୟ ଦେବାକୁ ପଡ଼ିବ ବୋଲି ସଚେତନ ନାଗରିକମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର